ନାବାଳିକାଙ୍କୁ ଗଣଦୁଷ୍କର୍ମ

ବୁର୍ଲା: ବୁର୍ଲା ସହରରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଷ୍କର୍ମ କରି ନାବାଳିକାଙ୍କୁ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ ଗୋଶାଳା ନିକଟ ଏକ ଢାବା ପାଖରେ ଛାଡ଼ି ଦେଇଥିଲେ। ବୁର୍ଲା ପୁଲିସ୍‌ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୁର୍ଲା ବଡ଼ ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗ ଓ ପରେ ପ୍ରସୂତି ଓ ସ୍ତ୍ରୀ’ରୋଗ ବିଭାଗରେ ଭର୍ତ୍ତି କରିଥିଲା। ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନାବାଳିକାଙ୍କ ଚିକିତ୍ସା ପରେ ତାଙ୍କ ଡାକ୍ତରୀ ମାଇନା କରାଯିବ ଓ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ପୁଲିସ୍‌ କହିଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁର୍ଲା ଥାନା ଅଧିକାରୀ କହିଛନ୍ତି। ଏହି ଘଟଣାରେ ବୁର୍ଲା ପୁଲିସ୍ ଜଣେ ଢାବା ମାଲିକ ସହ ଅନ୍ୟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଥାନା ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର