ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ଜୀବନ ବଞ୍ଚାଇବାକୁ ଉଲଗ୍ନ ହୋଇ ରାସ୍ତ‌ାରେ ଦୌଡ଼ିଲେ

ବୃତ୍ତି ଟଙ୍କା ପାଇଁ ଆସି ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଲେ, ୪ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌ ଗଲେ

କାଳିଆପାଣି : ରାତି ପାହିଲେ ଥିଲା ବିଶ୍ବ ମହିଳା ଦିବସ। ମହିଳାଙ୍କ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କେତେ କାର୍ଯ୍ୟକ୍ରମ ଅପେକ୍ଷା କରିଥିଲା। ଗତକାଲି ରାତିରେ ଜଣେ ଆଦିବାସୀ ନାବାଳିକା କଲେଜ ଛାତ୍ରୀଙ୍କ ପାଇଁ ପରିସ୍ଥିତି କିନ୍ତୁ ଭିନ୍ନ ଥିଲା। ବୃତ୍ତି ପାଇବା ଆଶାରେ ଆସିଥିବା ବେଳେ ‌ଗଣଦୁଷ୍କର୍ମର ଶିକାର ହୋଇଥି‌ଲେ ଏହି ଛାତ୍ରୀ ଜଣକ। ବିଡ଼ମ୍ବନାର ବିଷୟ ଯେ, ବହୁ ସଂଘର୍ଷ କରି ଦୁର୍ବୃତ୍ତଙ୍କ କବଳରୁ ନିଜକୁ ମୁକୁଳାଇଲା ବେଳକୁ ସେ ଉଲଗ୍ନ ହୋଇଯାଇଥିଲେ। ସେହି ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଦଉଡ଼ି ଦଉଡ଼ି ଜଣେ ଗୃହରକ୍ଷୀଙ୍କ ଘରେ ଶରଣ ନେଇଥିଲେ। ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୁଖ୍ୟ ଅଭିଯୁକ୍ତ ଜଣକ ଓଡ଼ିଶା ପୁଲିସର ଓଆଇଏସ୍‌ଏଫ୍‌ କାଳିଆପାଣି ୟୁନିଟ୍‌ରେ ରୋଷେୟା ଭାବେ କାମ କରୁଥିବା ସନ୍ତୋଷ ପୃଷ୍ଟି ଓରଫ୍‌ କୁତୁଆ(୩୧) ବୋଲି ଜଣାପଡ଼ିଛି। ସେ କାଳିଆପାଣି ତାରିଣୀ ମାର୍କେଟ୍‌ ପଛ ବସ୍ତିରେ ରହୁଥିବା ଆଦିତ୍ୟ ପୃଷ୍ଟିଙ୍କ ପୁଅ। ଅନ୍ୟ ଅଭିଯୁକ୍ତମାନେ ହେଲେ: ବୃନ୍ଦାବନ ନାଏକଙ୍କ ପୁଅ ରବି(୨୦), ମହ୍ଲାରସାହି କାଟେପୂର୍ତ୍ତିନଗର ବସ୍ତିର ଗୋକୁଳ ଚନ୍ଦ୍ର ମହାନ୍ତଙ୍କ ପୁଅ ଉମେଶ ଓରଫ୍‌ ସିଲୁ(୨୦) ଓ ସନାତନ ବେହେରାଙ୍କ ପୁଅ ସତ୍ୟବ୍ରତ ଓରଫ୍ ବବୁଲୁ(୨୦)। ପୀଡ଼ିତାଙ୍କ ଏତଲା ଆଧାରରେ ଥାନାରେ ଏକ କେସ୍‌ ୨୪/୨୧ ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତମାନଙ୍କୁ ଆଇପିସି ଦଫା ୩୪୧, ୩୬୩, ୩୭୬(ଡି), ୫୦୬/୩୪ ଓ ୪ ଶିଶୁ ‌ଯୌନ ନିର୍ଯାତନା ଓ ନିରାକରଣ ଆଇନ(‌ପୋକ୍ସୋ ଆକ୍ଟ୍) ଆଧାରରେ ଯାଜପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

କଳିଙ୍ଗନଗର ଥାନା ଏକ ଗାଁର ଏହି ପୀଡ଼ିତା ଗତକାଲି ତାଙ୍କ ବୃତ୍ତି(ଟାଟାଷ୍ଟିଲ ଜ୍ୟୋତି ଫେଲୋସିପ୍‌ ଆୱାର୍ଡ) ଅର୍ଥ ପାଇବା ଆଶାରେ ପୁରୁଷ ସହପାଠୀଙ୍କ ସହ ବ୍ରାହ୍ମଣୀପାଳ ଯାଇଥିଲେ। ସେଠାରୁ ଫେରି ଦୁହେଁ ଡୁବୁରି ଆସିଥିଲେ। ଡୁବୁରିରୁ ବସ୍‌ ଯୋଗେ ଉଭୟ କାଳିଆପାଣି ପହଞ୍ଚିଲାବେଳକୁ ରାତି ୮ଟା ବାଜି ଯାଇଥିଲା। ଦୁହେଁ ବଜାରରୁ ପୋଷାକ କିଣାକିଣି କରି ଟାଟା ମେନଗେଟ୍‌ ସମ୍ମୁଖ ଏକ ଜଳଖିଆ ଦୋକାନରେ ରାତ୍ର‌ ଭୋଜନ କରିଥିଲେ। ଏଠୁ ପାଖାପାଖି ୪ କିଲୋମିଟର ଦୂର କଲରଙ୍ଗି ଗାଁର ପୁରୁଷ ସହପାଠୀଙ୍କ ଘରକୁ ଚାଲିଚାଲି ବାହାରିଥିଲେ। ବଜାର‌ରେ ବୁଲୁଥିବା ବେଳେ ସେମାନଙ୍କ ଗତିବିଧିକୁ ରବି ଓ ବବୁଲୁ ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତମାନେ ଡକାଡକି ହୋଇ ପୀଡ଼ିତା ଓ ତାଙ୍କ ସହପାଠୀଙ୍କୁ ପିଛା କରିଥିଲେ। କଲରଙ୍ଗି ଢାବା ଛକ ପୂର୍ବରୁ ବନ୍ଦ ପଡ଼ିଥିବା ଓଏମ୍‌ସି କଲରଙ୍ଗି କ୍ରୋମାଇଟ୍‌ ଖଣି ମଧ୍ୟସ୍ଥ ପାଦଚଲା ରାସ୍ତାରେ ଅଭିଯୁକ୍ତମାନେ ସେମାନଙ୍କ ବାଟ ଓଗାଳିଥିଲେ। ସନ୍ତୋଷ ପ୍ରଥମେ ପୀଡ଼ିତାଙ୍କୁ ଝିଙ୍କି ନେବା ଉଦ୍ୟମ କରିଥିଲା। ଏହି ସମୟରେ ସହପାଠୀ ଜଣକ ‌ସନ୍ତୋଷକୁ ଠେଲି ଦେଇଥିଲେ। ଏହାପରେ ଅଭିଯୁକ୍ତ ରବି ଓ ସିଲୁ ସହପାଠୀଙ୍କ ମୋବାଇଲ୍‌ ଛଡ଼ାଇ ନେଇ ତାଙ୍କୁ କାବୁ କରିଥିଲେ। ଅନ୍ୟ ୨ ଜଣ ପୀଡ଼ିତାଙ୍କୁ ଜଙ୍ଗଲ ଆଡ଼କୁ ଟେକି ନେଇଥିଲେ। ସନ୍ତୋଷ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ସମସ୍ତ କାମାନ୍ଧ ପାଳିକରି ଏଥି‌ରେ ସାମିଲ ହୋଇଥିଲେ। ଏହା ପରେ ୪ ଜଣଯାକ ଏକ ସାଇକଲ୍‌ ମଗାଇ ପୀଡ଼ିତାଙ୍କୁ ମହ୍ଲାରସାହିସ୍ଥିତ ଏକ ଘରକୁ ନେବାକୁ ଯୋଜନା କରିଥିଲେ। ପ୍ରଥମେ ଇଜ୍ଜତ ଓ ପରେ ନିଜ ଜୀବନ ରକ୍ଷା ପାଇଁ ସେ କାକୁତି ମିନତି ହୋଇଥିଲେ। ମାତ୍ର, କାକୁତିମିନତି ହୋଇଥିଲେ ମଧ୍ୟ ଅପରାଧୀଙ୍କ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିନଥିଲା।

ପୁରୁଷ ସହପାଠୀ ଜଣକ ପାଖରେ କର୍ତ୍ତବ୍ୟରତ ନିଜ ଗାଁର ଜଣେ ନିରାପତ୍ତାରକ୍ଷୀଙ୍କୁ ସହାୟତା ମାଗିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ଏହି ସମୟରେ ପୀଡ଼ିତାଙ୍କ ଫୋନକୁ ଏକ କଲ୍‌ ଆସିଥିଲା। ପୀଡ଼ିତା ଫୋନ୍‌ ରିସିଭ୍‌ କରିବା ନାଁରେ ଭ୍ୟାନିଟି ବ୍ୟାଗ୍‌ ଓ ଫୋନ୍ ଛାଡ଼ି ଘଟଣାସ୍ଥଳରୁ ଉଠି ଦୌଡ଼ିଥିଲେ। ସେତେବଳେ ସେ ଉଲଗ୍ନ ଅବସ୍ଥାରେ ରହିଥିଲେ। ପୀଡ଼ିତା ଛାତ୍ରୀ କୌଣସି ପ୍ରକାରେ ଚତୁର୍ଥ ଅଭିଯୁକ୍ତକୁ ଠେଲି ଉଲଗ୍ନ ଅବସ୍ଥାରେ ଦୌଡ଼ି ଜଣେ ମହିଳା ଗୃହରକ୍ଷୀଙ୍କ ଘରେ ପଶି ଯାଇଥିଲେ। ପୀଡ଼ିତାଙ୍କ ଅବସ୍ଥା ଦେଖି ଗୃହରକ୍ଷୀ ଜଣକ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ। ଥାନାକୁ ଖବର କରିଥିଲେ। ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଏସ୍ଆଇ ବିଭୂତି ଭୂଷଣ ମହାପାତ୍ର ଓ ମନୋରଞ୍ଜନ ସେଠୀ ସଦଳବଳ ତୁରନ୍ତ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ।

ରାତି ପାହିଲେ ମହିଳା ଦିବସ ଥିବାରୁ ଘଟଣା ସଂପର୍କରେ ଏସ୍‌ପି ରାହୁଲ ପିଆର୍ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଥିଲେ। ପୁଲିସ ରାତିତମାମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସହପାଠୀ ଓ ପୀଡ଼ିତାଙ୍କ ସୂଚନା ଆଧାରରେ ପୁଲିସ ପ୍ରଥମେ ସନ୍ତୋଷକୁ ଧରିଥିଲା। ସେ ସନ୍ଦେହଜନକ ଭାବେ ଜଙ୍ଗଲ ଆଡ଼ୁ ଛୋଟେଇ ଛୋଟେଇ ବାହାରୁଥିବା ବେଳେ ପୁଲିସ ନଜରରେ ପଡ଼ିଥିଲା। ତା’ ଫୋନ୍‌ ସୂଚନା ଆଧାରରେ ଅନ୍ୟମାନଙ୍କୁ ମହ୍ଲାରସାହିସ୍ଥିତ ଏକ ଘରୁ ଗିରଫ କରାଯାଇଥିଲା। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ଏହି ଘଟଣା ଆଜି ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିସହିତ, ମହିଳା ଦିବସ ପାଳନ ସମୟରେ ଘଟିଥିବା ଏହିଭଳି ଏକ ଉଦ୍‌ବେଗଜନକ ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର