ଜି.ବାବୁ, ଚିତ୍ତୋ ଓ ମୁନା କୋର୍ଟଚାଲାଣ : ଜାମିନ ଖାରଜ, ବାରିମୂଳ ଜେଲ ପଠାଗଲା

କେନ୍ଦ୍ରାପଡା : କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଆଜି ୨ଟି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ୍ ଉସମାନ୍ ଅଲ୍ଲୀର ଦୁଇ ଭାଇ ଜି. ବାବୁ ଓ ଚିତ୍ତୋ ସମେତ ସଢୁ ମୁନାକୁ ସ୍ଥାନୀୟ ଏସ୍‌ସଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ଆଜି ରାତିରେ କେନ୍ଦ୍ରାପଡା ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗୋପଛକ ନିକଟରେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ସଂସ୍ଥାର ସରୋଜିନୀ ମିଶ୍ରଙ୍କ ନାମରେ ଥିବା ୩୬ ଗୁଣ୍ଠ ଜମିକୁ ଟିଟୋ ଓ ତାର ସମ୍ପର୍କୀୟ ଜବରଦଖଲ କରି ନେଇଥିଲେ। ଏ ନେଇ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ଏତଲା କ୍ରମେ(କେସ୍ ନଂ. ୧୦/୧୮) ଏସଟିଏଫ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିଲା। ଏହି ଘଟଣାରେ ଚିତ୍ତୋ, ଜି. ବାବୁ ଓ ମୁନାକୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିବା କୋର୍ଟରେ ଦର୍ଶାଯାଇଥିଲା। ଗତକାଲି ଏସଟିଏଫ୍‌ ଟିଟୋର ଦିଲାରପୁରସ୍ଥିତ ଘରୁ ଏହି ୩ ଜଣଙ୍କୁ ଉଠାଇ ନେଇଥିଲା। ଏସଟିଏଫ ଇନସପେକ୍ଟର ତଥା ମାମଲାର ତଦନ୍ତକାରୀ ଅଧିକାରିଣୀ ସାବିତ୍ରୀ ଆଚାର୍ଯ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆଜି ସେମାନଙ୍କୁ ଦଫା ୫୦୬ ଓ ୩୪ ଧାରା ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ନଂ. ୧୦/୨୦୧୮ ଓ ନଂ.୧୨/୨୦୧୮ ଏବଂ ଜିଆର ନଂ. ୮୪୪ ବଳରେ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ୩ଜଣଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଥିବା ଜଣାପଡ଼ିଛି। କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ କୋର୍ଟ ପରିସରରେ ବ୍ୟାପକ ପୁଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଅଭିଯୁକ୍ତମାନଙ୍କ ନାମରେ କଟକ ସେସନ୍ସ ଜଜ କୋର୍ଟ ଓ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଙ୍କ କୋର୍ଟରେ ମଧ୍ୟ ୧୦ଟିରୁ ଅଧିକ ମାମଲା ବିଚାରାଧୀନ ଥିବା ପୁଲିସ ସୁତ୍ରରୁ ଜଣାପଡିଛି। ଏହାଛଡା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଭଳି କେତେକ ଜିଲ୍ଲାରେ ଚିତୋ ନାମରେ ୧୬ଟିରୁ ଅଧିକ,ଜି. ବାବୁ ନାମରେ ୧୨ଟିରୁ ଅଧିକ ଏବଂ ମୁନା ନାମରେ ୮ଟିରୁ ଅଧିକ ସଂଗୀନ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧିତ ଖବର