ବାଲେଶ୍ବର ଗ୍ୟାଙ୍ଗ୍‌ୱାର୍: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ‌, ଜଣେ ମୃତ

ବାଲେଶ୍ବର/ସୋର: ବାଲେଶ୍ବର ସଦର ଥାନା ଇଲାକାରେ ଗ୍ୟାଙ୍ଗୱାର। ସୋମବାର ରାତିରେ ଛତ୍ରପୁର ଛକ ନିକଟରେ ତପନ କୁମାର ପାତ୍ର ଓରଫ ତପୁ (୨୩) ନାମକ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ, ପିଠି, ଦୁଇ ହାତ ଓ ଗୋଡ଼କୁ ଖଣ୍ଡାରେ ହାଣିଛନ୍ତି। ଏମିତିକି ତାଙ୍କ ବାମହାତ ପାପୁଲିକୁ ହାଣି ଅଲଗା କରି ଦେଇଛନ୍ତି। ଏହି ଘଟଣାରେ ତପନଙ୍କ ସହଯୋଗୀ ପ୍ରିୟବ୍ରତ ମହାପାତ୍ର ମଧ୍ୟ ହଣା ଖାଇ ଗୁରୁତର ଅବସ୍ଥାରେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହତ୍ୟାକାଣ୍ଡରେ ୧୦ ଜଣଙ୍କର ସଂପୃକ୍ତି ରହିଥିବାବେଳେ ସମସ୍ତେ ଫେରାର୍‌ ହୋଇ ଯାଇଛନ୍ତି। ଏ ନେଇ ସଦର ଥାନା କେସ୍‌ ନଂ ୨୧୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମୃତ ତପନଙ୍କ ଘର ସଦର ଥାନା ପାରିକୂଳ ଗାଁରେ ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତପନ ଓ ଅନ୍ୟ ଏକ ଅପରାଧୀ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ସୋମବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉକ୍ତ ଗ୍ୟାଙ୍ଗ ସହ ତପନ ଓ ତାଙ୍କ ସହଯୋଗୀଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଉଭୟ ଗୋଷ୍ଠୀ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ଆସିବା ଭୟରେ ସମସ୍ତେ ସେଠାରୁ ଚାଲିଯାଇଥିଲେ। ହେଲେ ରକ୍ତମୁଖା ହୋଇଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅପରାଧୀମାନେ ତପନଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିଲେ। ରାତି ପ୍ରାୟ ୧୦ଟା ସମୟରେ ତପନ ଓ ତାଙ୍କ ଦୁଇ ସହଯୋଗୀ ପ୍ରିୟବ୍ରତ ମହାପାତ୍ର, ବିଜୁଳି ଜେନା ଛତ୍ରପୁରସ୍ଥିତ ଏକ ଘରୋଇସଂସ୍ଥା ଟାୱାରରେ ଲାଗିଥିବା ଜେନେରେଟରରେ ତେଲ ପକାଇବାକୁ ଯାଇଥିଲେ। ସେଠାରୁ ତେଲ ପକାଇ‌ ଫେରିବାବେଳେ ଛତ୍ରପୁର ଛକ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ଅତର୍କିତ ଭାବେ ଖଣ୍ଡା, ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପ୍ରିୟବ୍ରତଙ୍କ ଡାହାଣ ହାତରେ ଖଣ୍ଡାଚୋଟ ଲାଗିଥିବା ବେଳେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ସେହିପରି ବିଜୁଳି ମଧ୍ୟ ଖଣ୍ଡିଆଖାବରା ହୋଇଥିଲା। ଆହତ ସତ୍ତ୍ବେ ୨ଜଣ ବାଇକ୍‌ରେ ଫେରାର୍‌ ହେବାରେ ସକ୍ଷମ ହୋଇଥିଲେ। ହେଲେ ପଛରେ ବସିଥିବା ତପନଙ୍କ ମୁଣ୍ଡରେ ଖଣ୍ଡା ଚୋଟ ଲାଗିବାରୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ଚାରିପଟୁ ଘେରିଯାଇ ତାଙ୍କ ହାତ, ଗୋଡ଼, ଜଂଘ, ମୁଣ୍ଡକୁ ହାଣି ପକାଇଥିଲେ। ଖଣ୍ଡା ଚୋଟରେ ତପନଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତପନଙ୍କ ଶରୀର ଅବଶ ହୋଇଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ।

ଖବର ପାଇ ସଦର ପୁଲିସ ଘଟଣାସ୍ଥଳରୁ ତପନଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ସକାଳେ କଟକ ସ୍ଥାନାନ୍ତର କରାଯିବା ବେଳେ ବାଟରେ ସୋର ନିକଟରେ ସେ ପ୍ରାଣ ହରାଇଥିଲେ। ଆକ୍ରମଣରେ ଆହତ ପ୍ରିୟବ୍ରତ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ତପନଙ୍କ ଅନ୍ୟ ସହଯୋଗୀ ବିଜୁଳି ‌ଫେରାର୍‌ ହେବାକୁ ନେଇ ପୁଲିସ ସନ୍ଦେହ କରିଛି। ମୃତ ତପନଙ୍କ ନାମରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ସଦର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର