ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗ୍‌ୱାର୍‌ : ୩ ଆହତ, ଲୁଚାଇବାକୁ ଜୋର୍‌ଦାର ଉଦ୍ୟମ

ଚୌଦ୍ୱାର : ଚୌଦ୍ୱାର ସର୍କଲ ଜେଲରେ ଦୁଇ ଗ୍ୟାଙ୍ଗ୍‌ ମଧ୍ୟରେ ସଂଘର୍ଷ ଘଟିଛି। ପରସ୍ପରକୁ ଆକ୍ରମଣ କରିବା ଫଳରେ ୩ ଜଣ ଆହତ ହୋଇଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଜବତ କରିଥିଲେ ବି ଏହି ଘଟଣାକୁ ମିଛ ବୋଲି କହି ଲୁଚାଇବାକୁ ଚେଷ୍ଟା କରିଛନ୍ତି।

ମିଳିଥିବା ଖବର ମୁତାବକ, ଗତ ୧ ତାରିଖ ରାତିରେ ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀମାନେ ରହୁଥିବା ୪୮ନଂ ସେଲ୍‌ରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଦୁଇ ଗ୍ୟାଙ୍ଗ ମଧ୍ୟରେ ମାରପିଟ୍ ହୋଇଥିଲା। ଜଗତସିଂହପୁର ଟୁଲିଆ ଜେନା ଗୋଷ୍ଠୀର ନିହାର ରଂଜନ ପଟ୍ଟନାୟକ, ସୁମନ ଦାସ ଓ ଆଶୁ ପ୍ରମୁଖ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଲିଟୁ ଓରଫ୍ ଦେବୀପ୍ରସାଦ ଦାସକୁ ଆକ୍ରମଣ କରିଥିଲେ। ମାରପିଟ୍‌ ରୋକିବାକୁ କର୍ତ୍ତୃପକ୍ଷଙ୍କୁ ନା‌କେଦମ୍‌ ହେବାକୁ ପଡ଼ିଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆକ୍ରମଣରେ ୩ ଜଣ ଆହତ ହୋଇଥିଲେ ଓ ସେମାନଙ୍କ ନିକଟରୁ ୪ଟି ମୋବାଇଲ୍‌ ଜବତ କରାଯାଇଥିଲା। ତେବେ, ଜେଲ୍‌ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେଇଥିବା ଜଣାପଡ଼ିଛି। ଏପରି କିଛି ଘଟି ନାହିଁ ବୋଲି ଅଧୀକ୍ଷକ ରାଜକୁମାର ସାହୁ ଓ ଜେଲର୍‌ ହେମନ୍ତ ସେଠୀ କହୁଥିବାବେଳେ ଡିଆଇଜି ଗୋପବନ୍ଧୁ ମଲ୍ଲିକ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ୩ ମାସ ତଳେ କେନ୍ଦ୍ରାପଡ଼ା ଜେଲରେ ଟିଟୋ ଓ ଲିଟୁ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ଲିଟୁକୁ କେନ୍ଦ୍ରାପଡ଼ାରୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଥିଲେ। ହେଲେ, ଗତ ୧ତାରିଖ ରାତିରେ ଲିଟୁକୁ ଏଠାରେ ଆକ୍ରମଣ କରାଯାଇଥିବାରୁ, ସମଗ୍ର ଘଟଣା ଯୋଜନାବଦ୍ଧ ଭାବେ କରାଯାଇଥିବା କୁହାଯାଉଛି। ପୂର୍ବରୁ ଟେଣ୍ଡର ଓ ଅନ୍ୟାନ୍ୟ କଳହକୁ ନେଇ ଚୌଦ୍ୱାର ଜେଲ୍‌ରେ ଅନେକବାର ଏଭଳି ଘଟିଥିଲେ ବି ବର୍ତ୍ତମାନର ସ୍ଥିତି ଅଧିକ ସଙ୍ଗିନ ହେଉଥିବା ‌ଜଣାପଡ଼ିଛି। ଜେଲ୍‌ କର୍ମଚାରୀମାନେ କଏଦୀଙ୍କ ଇଙ୍ଗିତରେ କାମ କରୁଛନ୍ତି ତଥା ଗ୍ୟାଙ୍ଗଷ୍ଟରମାନେ ୱାର୍ଡରମାନଙ୍କୁ ଧମକ୍ ଦେଇ ନିଜ ଇଚ୍ଛା ମୁତାବକ ଜେଲ ଭିତରେ ଚଳୁଛନ୍ତି। ଜେଲ୍‌ ଭିତରେ ବର୍ତ୍ତମାନ ପାଖାପାଖି ୫୦ଟି ମୋବାଇଲ ବ୍ୟବହାର କରାଯାଉଛି। ଗତ ଜୁନ୍ ୨୪ତାରିଖ ଦିନ ଜେଲ୍‌ରେ କଟକ ତୁଳସୀପୁର ମଠସାହି ଅଞ୍ଚଳର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଏକ କୋଦାଳରେ ହାଣି ହତ୍ୟା କରାଯାଇଥିବା ବେଳେ ମାର୍ଚ୍ଚ ୧୧ ତାରିଖରେ କଟକର ବହୁଚର୍ଚ୍ଚିତ କେଶବ ବେହେରା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଟନି ଓରଫ୍ ଶୁଭ୍ରାଂଶୁ କୁମାର ଦାସର ଜେଲ୍‌ ଭିତରେ ସନ୍ଦେହାଜନକ ଭାବେ ମୃତ୍ୟୁ ଘଟିଥିଲା। ଦଶହରା ସମୟରେ ୪୯ ନମ୍ବର ସେଲ ଭିତରେ ଗ୍ୟାଙ୍ଗଷ୍ଟର ରାଜା ଓ ହାଡ଼ିଆ ନିଜ ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ବେଳେ ଏହା ସାମ୍ନାକୁ ଆସିଥିଲେ ବି ତା’ ପରେ ଜେଲ୍‌ ଭିତରର ଅବସ୍ଥାରେ ବିଶେଷ ପରିବର୍ତ୍ତନ ଆସି ନାହିଁ।

ସମ୍ବନ୍ଧିତ ଖବର