ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଖନନ ଓ ନିର୍ମାଣ ନେଇ ବିବାଦ ସୃଷ୍ଟି ହୋଇଛି। ଏଭଳିସ୍ଥଳେ ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରୁ ଗଙ୍ଗବଂଶ ରାଜତ୍ବ କାଳର ଅର୍ଥାତ୍‌ ହଜାର ବର୍ଷ ଦଳର ଐତିହ୍ୟ କୀର୍ତ୍ତିରାଜିର ସନ୍ଧାନ ମିଳିବା ଏହି ପ୍ରସଙ୍ଗକୁ ଆହୁରି ସମ୍ବେଦନଶୀଳ କରି ଦେଇଛି। ନିୟମ ଅନୁଯାୟୀ ଯଦି କୌଣସି ଜାଗାରୁ ଐତିହ୍ୟ କୀର୍ତ୍ତିରାଜିର ସନ୍ଧାନ ମିଳେ, ସେ ଜାଗାରେ ପ୍ରତ୍ନତତ୍ତ୍ବ ବିଭାଗ ନାଲି ପତାକା ମାରି ଏହାକୁ ସଂରକ୍ଷିତ ଅଞ୍ଚଳ ଘୋଷଣା କରିବା କଥା। କିନ୍ତୁ ଏ ଦିଗରେ ପ୍ରତ୍ନତତ୍ତ୍ବ ବିଭାଗର ଅସମ୍ଭବ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।
Advertisment

କେନ୍ଦ୍ର ସରକାରଙ୍କ ଆମସାର ଆଇନ ଅନୁଯାୟୀ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳ ଓ ବାକି ୨ଶହ ମିଟର ନିୟନ୍ତ୍ରିତ ଅଞ୍ଚଳ। ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ନିଷେଧ ଥିବାବେଳେ ନିୟନ୍ତ୍ରଣ ଅଞ୍ଚଳରେ ପ୍ରତ୍ନତତ୍ତ୍ବ ବିଭାଗର ଅନୁମତିପୂର୍ବକ ନିର୍ମାଣ କାର୍ଯ୍ୟ ହୋଇପାରିବ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଓବିସିସି ଅଧୀନରେ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜରିଆରେ ମନ୍ଦିର ଚତୁଃପାର୍ଶ୍ବରେ ୨୦ରୁ ୩୦ ଫୁଟ ଖନନ କରି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଯାହା ଶ୍ରୀମନ୍ଦିର ଓ ଏହାର ଐତିହ୍ୟ କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଛି। ଏଭଳି ସ୍ଥିତିରେ ଗତ ୧୬ ତାରିଖରେ ଏମାର ମଠ ଖନନସ୍ଥଳରୁ ଜେସିବି ମାଡ଼ରେ ଖଣ୍ଡବିଖଣ୍ଡିତ ଦୁଇଟି ସିଂହମୂର୍ତ୍ତି ମିଳିଥିଲା। ଗଣମାଧ୍ୟମରେ ମାଟିତେଳ ଅଧାପୋତା ଅବସ୍ଥାରେ ଏମାର ମଠ ଖନନସ୍ଥଳରୁ ସିଂହମୂର୍ତ୍ତି ମିଳିବା ନେଇ ଖବର ପ୍ରକାଶ ପରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଦୌଡ଼ିଥିଲେ। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି, ସିଂହର ଅନୁସନ୍ଧାନ କରି ଆସିଥିବା ପ୍ରତ୍ନତତ୍ତ୍ବ ବିଭାଗ ଖନନସ୍ଥଳରୁ ଏକ ବିରାଟ ପ୍ରାଚୀରର ସନ୍ଧାନ ପାଇଛି। ଯେଉଁ ପ୍ରାଚୀର ପ୍ରାୟ ୨୦ ଫୁଟ ମାଟି ତଳେ ରହିଛି। ଏଣୁ ଏହା ବି ଗଙ୍ଗବଂଶ ସମୟର ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ଗଣମାଧ୍ୟମ ଆଗରେ କହିଛନ୍ତି।

publive-image

ଉଭୟ ସିଂହ, ପ୍ରାଚୀର ସହ କିଛି ମାଟି ପାତ୍ରର ସନ୍ଧାନ ମିଳିବା ପରେ ଏହାର ନମୁନା ବି ସଂଗ୍ରହ କରାଯାଇଛି। ସିଂହମୂର୍ତ୍ତିକୁ ପ୍ରତ୍ନତତ୍ତ୍ବ ବିଭାଗ ଉଦ୍ଧାର କରି ପୁରୀ କାର୍ଯ୍ୟାଳୟରେ ରଖିଛି। କିନ୍ତୁ ପ୍ରାଚୀରର ରହସ୍ୟ ଓ ମିଳିଥିବା ମାଟି ପାତ୍ରର ରହସ୍ୟ ଉନ୍ମୋଚନ ହୋଇପାରିନି। ସବୁଠୁ ବଡ଼କଥା, ଯଦି କୌଣସି ଜାଗାରୁ ଐତିହ୍ୟ କୀର୍ତ୍ତିରାଜିର ସନ୍ଧାନ ମିଳୁଛି, ପ୍ରତ୍ନତତ୍ତ୍ବ ବିଭାଗ ତାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା କଥା। ଏହି ଜାଗାରେ ନାଲି ପତାକା ମାରିବା କଥା। ଖନନ କାର୍ଯ୍ୟ ବନ୍ଦ ହେବା କଥା, ଅବାଧ ପ୍ରବେଶରେ ରୋକ୍‌ ଲାଗିବା କଥା। ଏହା ପ୍ରତ୍ନତତ୍ତ୍ବ ବିଭାଗ ନିୟମ କହୁଛି। କିନ୍ତୁ ଏମାର ମଠ ଜାଗାରୁ କୀର୍ତ୍ତିରାଜିର ସନ୍ଧାନ ମିଳିବା ୬ ଦିନ ବିତିଥିଲେ ବି ଏ ଦିଗର ପ୍ରତ୍ନତତ୍ତ୍ବ ବିଭାଗ ନିରବ ରହିଛି। ଏପରିକି ସିଂହଦ୍ବାର ଥାନାରେ ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାମରେ ଏତଲା ମଧ୍ୟ ହୋଇଛି। ଏହା ସତ୍ତ୍ବେ ଏଏସ୍‌ଆଇ ନିରବ ରହିଛି। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ସଂରକ୍ଷଣ ସହ ଖନନ ପାଇଁ ଏକ ସ୍ବତନ୍ତ୍ର ବିଭାଗ ରହିଛି। ଏହି ବିଭାଗ ନମୁନା ସଂଗ୍ରହ କରି ଯାଇଛନ୍ତି। ବାକି ନାଲିପତାକା ମାରିବା କଥା ହେଉ କି ଖନନ କଥା ହେଉ, ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଅନୁମତିକ୍ରମେ ହେବ। ଏଥିପାଇଁ କିଛି ସମୟ ଲାଗିବ ବୋଲି ଅଧିକାରୀ କହିଛନ୍ତି।

ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ପ୍ରତ୍ନତତ୍ତ୍ବ ବିଭାଗ ସବୁବେଳ ନିଜସ୍ବ ଫାଇଦା ଦେଖୁଛି। ଐତିହ୍ୟ ସଂରକ୍ଷଣ ଦିଗରେ ସେଭଳି କୌଣସି ଦରଦ ନ ଥିଲା ଭଳି ଲାଗୁଛି। କେବଳ ଉପର ଦେଖାଣିଆ କାମ କରୁଛି। ନଚେତ୍‌ ଏମାର ମଠ ଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଐତିହ୍ୟ କୀର୍ତ୍ତିରାଜି ଭରି ରହିଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଏ ଦିଗରେ କୌଣସି ଦୃ୍ଷ୍ଟି ଦେଉନାର୍ହି।