ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ କୋଟି କୋଟି ଲୋକଙ୍କ ଜୀବନରେଖା ଗଙ୍ଗାନଦୀ ଶୁଖିବାରେ ଲାଗିଛି, ଯାହା ରେକର୍ଡ ହୋଇଥିବା ଇତିହାସରେ ଅଭୂତପୂର୍ବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ, ମୌସୁମୀର ଢାଞ୍ଚାରେ ପରିବର୍ତ୍ତନ, ନିରନ୍ତର ଜଳ ଉତ୍ତୋଳନ ଓ ବନ୍ଧ ନିର୍ମାଣ ଏହି ଶକ୍ତିଶାଳୀ ନଦୀକୁ ଅବକ୍ଷୟ ଆଡକୁ ଠେଲି ଦେଉଛି, ଯାହାର ପ୍ରଭାବ ସମଗ୍ର ଅଞ୍ଚଳରେ ଖାଦ୍ୟ, ଜଳ ଓ ଜୀବିକା ଉପରେ ପଡ଼ିଛି।
ଶହ ଶହ ବର୍ଷ ଧରି ଗଙ୍ଗା ଓ ଏହାର ଉପନଦୀର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବିଶ୍ୱର ସବୁଠାରୁ ଘନ ଜନବହୁଳ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ହିମାଳୟରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିବା ସମଗ୍ର ନଦୀ ଅବବାହିକାରେ ୬୫୦ ନିୟୁତରୁ ଅଧିକ ଲୋକ ବାସ କରନ୍ତି। ଏହା ଭାରତର ମଧୁର ଜଳର ଏକ ଚତୁର୍ଥାଂଶ ଏବଂ ଏହାର ଖାଦ୍ୟ ଓ ଅର୍ଥନୈତିକ ମୂଲ୍ୟର ଅଧିକାଂଶ ଅଂଶ ବହନ କରେ। ତଥାପି ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ରେକର୍ଡ ହୋଇଥିବା ଇତିହାସରେ ସବୁଠାରୁ ଦ୍ରୁତ ଗତିରେ ଏହାର ଅବକ୍ଷୟ ଘଟୁଛି। ସାମ୍ପ୍ରତିକ ଦଶନ୍ଧି ମଧ୍ୟରେ, ବୈଜ୍ଞାନିକମାନେ ବିଶ୍ୱର ଅନେକ ବଡ଼ ନଦୀରେ ଉଦ୍ବେଗଜନକ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି, କିନ୍ତୁ ଗଙ୍ଗାନଦୀର ଅବକ୍ଷୟ ସବୁଠାରୁ ଅଧିକ।
ଏକ ନୂତନ ଅଧ୍ୟୟନରେ, ବୈଜ୍ଞାନିକମାନେ ୧,୩୦୦ ବର୍ଷର ପୁରୁଣା ପ୍ରବାହର ରେକର୍ଡକୁ ପୁନଃନିର୍ମାଣ କରି ଦର୍ଶାଇଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଅବବାହିକା ଏହାର ସବୁଠାରୁ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହୋଇଛି। ଏକଦା ବର୍ଷସାରା ନୌଚଳାଚଳକୁ ସମର୍ଥନ କରୁଥିବା ନଦୀର ଅନେକ ଅଂଶରେ ବର୍ତ୍ତମାନ ଗ୍ରୀଷ୍ମଋତୁରେ ଡଙ୍ଗା ଚାଲିବା ଅସମ୍ଭବ। ଏକଦା ବଙ୍ଗଳା ଓ ବିହାରରୁ ବାରାଣସୀ ଓ ପ୍ରୟାଗରାଜ ଦେଇ ଗଙ୍ଗାରେ ବଡ଼ ଡଙ୍ଗା ଚାଲୁଥିଲା। ଏକ ପିଢ଼ି ପୂର୍ବରୁ ଅନେକ ସପ୍ତାହ ଧରି କ୍ଷେତକୁ ଜଳସେଚନ କରୁଥିବା କେନାଲଗୁଡ଼ିକ ବର୍ତ୍ତମାନ ଶୀଘ୍ର ଶୁଖିଯାଉଛି। ବିଶ୍ୱ ଜଳବାୟୁ ମଡେଲଗୁଡିକ ଏହି ଶୁଖିବାର ଗମ୍ଭୀରତା ପୂର୍ବାନୁମାନ କରିବାରେ ବିଫଳ ହୋଇଛି।
ଜଳ କେନାଲକୁ ପଠାଯାଉଛି, ଚାଷ ପାଇଁ ଭୂତଳ ଜଳକୁ ପମ୍ପ କରାଯାଉଛି ଏବଂ ନଦୀ କୂଳରେ ଶିଳ୍ପଗୁଡ଼ିକ ବୃଦ୍ଧି ପାଇଛି। ଏକ ହଜାରରୁ ଅଧିକ ଡ୍ୟାମ୍ ଓ ବ୍ୟାରେଜ୍ ନଦୀକୁ ମୂଳତଃ ବଦଳାଇ ଦେଇଛି। ପୃଥିବୀ ଉତ୍ତପ୍ତ ହେବା ସହିତ ଗଙ୍ଗାକୁ ପାଣି ଯୋଗାଉଥିବା ମୌସୁମୀ ଦିନକୁ ଦିନ ଅନିୟମିତ ହେବାରେ ଲାଗିଛି। ଫଳାଫଳ ହେଉଛି ଏକ ନଦୀ ପ୍ରଣାଳୀ ନିଜକୁ ଜଳ ଦ୍ବାରା ପୂରଣ କରିବାରେ ଅସମର୍ଥ। ଗଙ୍ଗା ଏକ ନଦୀଠାରୁ ଅଧିକ। ଏହା ଏକ ଜୀବନରେଖା, ଏକ ପବିତ୍ର ପ୍ରତୀକ ଏବଂ ଦକ୍ଷିଣ ଏସୀୟ ସଭ୍ୟତାର ଏକ ଆଧାରଶିଳା। କିନ୍ତୁ ଏହା ପୂର୍ବାପେକ୍ଷା ଦ୍ରୁତ ଗତିରେ ଶୁଖିବାରେ ଲାଗିଛି। ଚେତାବନୀ ଦେବାର ସମୟ ଅତିବାହିତ ହୋଇଛି। ଗଙ୍ଗା ପ୍ରବାହ ଜାରି ରଖିବା ପାଇଁ ଆମକୁ ବର୍ତ୍ତମାନ କାର୍ଯ୍ୟ କରିବାକୁ ପଡିବ - କେବଳ ଆମ ପାଇଁ ନୁହେଁ, ବରଂ ଭବିଷ୍ୟତ ପିଢି ପାଇଁ ବୋଲି ଗବେଷକମାନେ କହିଛନ୍ତି।