ପୁରୀ : ଦୁର୍ଦ୍ଦାନ୍ତ ଅଭିଯୁକ୍ତ ପପୁ ବରାଳକୁ ଜେଲ୍ରେ ମରଣାନ୍ତକ ଆକ୍ରମଣ ହେବ, ସେ ମଧ୍ୟ କେବେ ଭାବିନଥିଲା। କିନ୍ତୁ ହଠାତ ତାକୁ ଜେଲ୍ରେ ଆକ୍ରମଣ ହେବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆକ୍ରମଣକାରୀ ଅନ୍ତେବାସୀ କଣାସ ଥାନା ଦୋକନ୍ଦାର ମୃତ୍ୟୁଞ୍ଜୟ ଭାରିମଲ୍ଲ ବୋଲି କାରାଗାର ଅଧୀକ୍ଷକ ଲିଖିତ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣକୁ ନେଇ ସେ ଆକ୍ରମଣ କରିଥିଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଆକ୍ରମଣ ହଠାତ୍ ଗଣ୍ଡଗୋଳରୁ ହୋଇଛି ନାଁ ଏହା ପଛରେ କିଛି ଷଡ଼୍ଯନ୍ତ୍ର ରହିଛି ତାହା ଏବେ ସବୁଆଡ଼େ ଆଲୋଚନା ହେଉଛି। ଜେଲ୍ ପରିସରରେ ପପୁ ଓ ମୃତ୍ୟୁଞ୍ଜୟଙ୍କ ମଧ୍ୟରେ କୌଣସି ବଚସା ହୋଇଛି କି ନାହିଁ, ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ସାମାନ୍ୟ ବଚସାକୁ ନେଇ ମୃତ୍ୟୁଞ୍ଜୟ ଆକ୍ରମଣ କରିଛି, ନା ପପୁକୁ ହତ୍ୟା କରିବା ପାଇଁ ତାକୁ କେହି ସୁପାରୀ ଦେଇଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ପପୁ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ଭଳି ୩୭ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାଁରେ ମଧ୍ୟ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରହିଛି। ତେଣୁ ଜେଲ୍ରେ ପତିଆରା ଦେଖାଇବାକୁ ଏପରି ହତୃା ଉଦ୍ୟମ ହୋଇଛି ନାଁ ପପୁକୁ ରାସ୍ତାରୁ ହଟାଇବାକୁ କୌଣସି ବ୍ୟକ୍ତି ମୃତ୍ୟୁଞ୍ଜୟକୁ ସୁପାରୀ ଦେଇଛି ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଯଦି କେହି ସୁପାରି ଦେଇଥାଏ, ତେବେ ସେ କିଏ ବୋଲି ପ୍ରଶ୍ନ ହେଉଛି। କିନ୍ତୁ ଏହି ପ୍ରଚ୍ଛଦପଟ ଷଡ଼ଯନ୍ତ୍ରକାରୀ ଯଦିଓ ପୁଲିସ ଚିହ୍ନଟ କରିବ, ମାତ୍ର ତା’ର ଜୀବନପ୍ରତି ବିବଦ ରହିଥିବା ଆଶଙ୍କା ରଖି ପୁଲିସ ଏହାକୁ ଗୁପ୍ତରେ ରଖିବ ବୋଲି ଚର୍ଚ୍ଚା ହେଉଛି।
ଡାକ୍ତରଖାନାରେ ଭିଡ଼
ଦୁର୍ଦ୍ଦାନ୍ତ ଅଭିଯୁକ୍ତ ପପୁ ବରାଳକୁ ଜେଲ୍ରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଖବର ପ୍ରଚାର ହେବା ପରେ ତାକୁ ଦେଖିବା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଆଜି ପ୍ରବଳ ଭିଡ଼ ହୋଇଥିଲା। ପପୁର ମା’, ଭଉଣୀ ଓ ପତ୍ନୀଙ୍କ ସମେତ ତା’ର ସମ୍ପର୍କୀୟମାନେ ଏଠାରେ ଭିଡ଼ ଜମାଇଥିଲେ। ତେବେ ଏହି ଖବର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଡାକ୍ତରଖାନାରେ ପହଞ୍ଚିବା ପରେ ପପୁ ଗ୍ୟାଙ୍ଗର ସଦସ୍ୟମାନଙ୍କ ସଂଖ୍ୟା କମି ଯାଇଥିଲା। କିନ୍ତୁ ଗଣମାଧ୍ୟମ ପ୍ରତିନିଧିମାନେ ଡାକ୍ତରଖାନାରୁ ଫେରିବା ପରେ ଏଠାରେ ପୁଣି ଭିଡ଼ ଜମିଥିଲା।
କଟକ ସ୍ଥାନାନ୍ତର ନେଇ ପ୍ରତିଦ୍ବନ୍ଦ୍ବିତା
ପୁରୀ ଜେଲ୍ରେ ଆହତ ହେବା ପରେ ପପୁକୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପପୁର ବେକରେ ଆଘାତ ସାମାନ୍ୟ ବୋଲି ଦର୍ଶାଇ ଜେଲ୍ କର୍ତ୍ତୃପକ୍ଷ ଓ ପୁଲିସ ପପୁକୁ ଚିକିତ୍ସିା ପରେ ପୁଣି ଜେଲ୍କୁ ନେଇଯିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ପପୁ ଏବେ ଗୁରୁତର ଥିବା ଦର୍ଶାଇ ତା’ର ପରିବାର ଲୋକେ ତାକୁ ଡାକ୍ତରଖାନାରୁ ଛାଡ଼ିବାକୁ ନାରାଜ ଥିଲେ। ତେଣୁ ପୁଲିସ ଶତ ଚେଷ୍ଟା କରି ମଧ୍ୟ ପପୁକୁ ଜେଲ୍ ନେଇପାରିନଥିଲା। ଅନ୍ୟପଟେ ପପୁକୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାପାଇଁ ତା’ର ପରିବାର ଲୋକେ ଉଦ୍ୟମ କରି ସଫଳ ହୋଇଥିଲେ।
ପୂଜା ସାମଗ୍ରୀ ଦୋକାନ ହାତେଇବାକୁ କରିଥିଲା ଉଦ୍ୟମ
ପୁରୀ ସ୍ବର୍ଗଦ୍ବାରରେ ଥିବା ପୂଜା ସାମଗ୍ରୀ ଦୋକାନକୁ ଓରମାସ୍କୁ ଦେବାପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଦୋକାନକୁ ନିଜ ଅକ୍ତିଆରରେ ରଖିବା ପାଇଁ ପପୁ ମଧ୍ୟ ଅଣ୍ଟା ଭିଡ଼ିଥିଲା। ଏପରିକି ସେ ଏହି ଦୋକାନ ହାତେଇବା ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିବା ନେଇ ଚର୍ଚ୍ଚା ହେଉଛି। ସ୍ବର୍ଗଦ୍ବାରରେ ନିଜର ପତିଆରା ରଖିବା ପାଇଁ ପପୁ ଏଭଳି ପଦକ୍ଷେପ ନେଇଥିବା ଯୋଗୁ ତାକୁ ପୁଲିସ ଜେଲ୍କୁ ପଠାଇଦେଇଛି ବୋଲି ଚର୍ଚ୍ଚା ହେଉଛି।
କମ୍ ବୟସରେ ମୃତ୍ୟୁଞ୍ଜୟ ହତ୍ୟା ଅଭିଯୁକ୍ତ
ଦୁର୍ଦ୍ଦାନ୍ତ ଅଭିଯୁକ୍ତ ପପୁକୁ ଜେଲ୍ରେ ହତ୍ୟା ଉଦ୍ୟମ କରିଥିବା କଣାସ ଥାନା ଦୋକନ୍ଦାର ମୃତ୍ୟୁଞ୍ଜୟ ଭାରିମଲ୍ଲ ଓରଫ ଇଲୁ ମାତ୍ର ୨୦ ବର୍ଷ ବୟସରେ ଜଟଣୀରେ ଏକ ହତ୍ୟାମାମଲାରେ ସମ୍ପୃକ୍ତ ହୋଇଥିଲା। ୨୦୧୬ ମସିହାରେ ସେ ଜଟଣୀର କାଳିଆଙ୍କୁ ହତ୍ୟା କରି ଜେଲ ଯାଇଥିବା ବେଳେ ଜାମିନରେ ଆସି ବଡ଼ାସର ସରପଞ୍ଚ ବାବୁଲି ପଲେଇଙ୍କୁ ହତ୍ୟା ଉଦ୍ୟମ କରିଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଗୌରୀଶଙ୍କର ସେଠୀ କହିଛନ୍ତି ଯେ ମୃତ୍ୟୁଞ୍ଜୟ ଗତ ୨୦୨୦ ମସିହାରେ ବାବୁଲି ପଲେଇଙ୍କୁ ଠିକାଦାରୀ କରିବା ପାଇଁ କାମ ମାଗିଥିଲା। ବାବୁଲି ଏଥିରେ ଅରାଜି ହେବାରୁ ସେ ତାଙ୍କ ଘର ଉପରକୁ ବୋମାମାଡ଼ କରି ଜେଲ ଯାଇଥିଲା। ଏହାପରେ ସେ ଜେଲ୍ରୁ ଫେରିବା ପରେ ଗତ ନିର୍ବାଚନ ପୂର୍ବରୁ ୨୦୨୧ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ବଡ଼ାସ ସରପଞ୍ଚ ବାବୁଲି ପଲେଇଙ୍କୁ ଖଣ୍ଡାରେ ହାଣିଥିଲା। ତେଣୁ ଏହି ଘଟଣାରେ ବାବୁଲିଙ୍କ ପତ୍ନୀ ରୀତା ପଲେଇ କଣାସ ଥାନାରେ ଅଭିଯୋଗ କରିବାରୁ ପୁଲିସ ୨୫୧/୨୧ ନମ୍ବରରେ ଏକ ମାମଲା ରୁଜୁ କରି ମୃତ୍ୟୁଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିବା ସହ ଖଣ୍ଡା ମଧ୍ୟ ଜବତ କରିଥିଲେ। ଏହି ମାମଲାରେ ସେ ଏବେ ପୁରୀ କାରାଗାରରେ ରହିଛି।