ତିହିଡ଼ି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ୮୮ ବର୍ଷ ବୟସରେ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସରଳ ଜୀବନଚର୍ଯ୍ୟା, ଉତ୍ସର୍ଗୀକୃତ ସେବା ଓ ମିଷ୍ଟଭାଷୀ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ପ୍ରତିଦିନ ନିଜ ଗାଁ କାଁପଡ଼ାରୁ ତିହିଡ଼ିକୁ ଦୀର୍ଘ ୭ କିମି ସାଇକେଲରେ ଯାଆସ କରୁଥିଲେ।
ବିଧାୟକ ଥିବା ସମୟରେ ଦଶମୌଜା କେନାଲ କାର୍ଯ୍ୟ ଓ ତିହିଡ଼ି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। କାଁପଡ଼ା ଗ୍ରାମରେ ଜନ୍ମଲାଭ କରିଥିବା ସ୍ବର୍ଗତ ଦାସ ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ। ବୁଧବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।