ପେନ୍‌ସନ୍‌ ଟଙ୍କାରୁ ପୋଲ ନିର୍ମାଣ କରିଥିଲେ, ଏବେ ରାସ୍ତା ପାଇଁ ଅଣ୍ଟା ଭିଡ଼ିଲେ ଗଙ୍ଗାଧର

ହାଟଡିହି : ନିଜ ପେନ୍‌ସନ୍‌ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରାଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କାନପୁର ଗ୍ରାମର ଗଙ୍ଗାଧର ରାଉତ। ପୋଲ ନିର୍ମାଣ ପରେ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନ ନେବାରୁ ଏବେ ପୁଣି ସେ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗତକାଲିଠାରୁ ସେ ରାସ୍ତା କାମ ଆରମ୍ଭ କରିଛନ୍ତି।

ସାଳନ୍ଦୀ ନଦୀରେ ପୋଲ ନଥିବାରୁ ହାଟଡିହି ବ୍ଲକ୍‌ କାନପୁର, ମରଚାଇପଦା, ନିଉଦାନି, ଦନେଇପୁର ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପଶୁଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଗଙ୍ଗାଧର ଅବସର ପରେ ପାଇଥିବା ଟଙ୍କାରେ ଏକ କାର୍‌ କିଣିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ଲୋକଙ୍କ ସମସ୍ୟାକୁ ଅନୁଭବ କରି କାର୍‌ କିଣିବା ପରିବର୍ତ୍ତେ ସଳନ୍ଦୀ ନଦୀରେ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ୨୦୧୮ ମସିହା ମାର୍ଚ୍ଚ ମାସରେ କାମ ଆରମ୍ଭ କରିଥିଲେ। ୨୧୦ ଫୁଟ ଲମ୍ବା ଏବଂ ୧୦ ଫୁଟ ଓସାରର ଏହି ପୋଲ ନିର୍ମାଣ ପାଇଁ ୧୮ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିପାଇଁ ଗଙ୍ଗାଧର ନିଜେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ପତ୍ନୀ ସୁଶୀଳା ୧ ଲକ୍ଷ, ପୁଅ ମନୋରଞ୍ଜନ ୧ ଲକ୍ଷ ଏବଂ ଝିଅ ଜିଜ୍ଞାସା ୧୦ ହଜାର ଟଙ୍କା ସହାୟତା ଦେଇଥିଲେ।

ପୋଲ ନିର୍ମାଣ ପରେ ୨୦୨୦ ମସିହା ମେ ମାସରେ ଏହାକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଥିଲା। ପୋଲ ନିର୍ମାଣକୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ହୋଇପାରିଲା ନାହିଁ। ଏନେଇ ଗ୍ରାମବାସୀ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ଗଙ୍ଗାଧର ବାଧ୍ୟ ହୋଇ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗଙ୍ଗାଧର କହିଛନ୍ତି, ସଂଯୋଗୀକରଣ ରାସ୍ତା ପାଇଁ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲୁ। ପ୍ରଶାସନ କୌଣସି ପଦକ୍ଷେପ ନେଲା ନାହିଁ। ଯଦି ଲୋକେ ଯାତାୟାତ କରି ନପାରିବେ ତେବେ ପୋଲ ନିର୍ମାଣ କରି କି ଲାଭ? ତେଣୁ ଗତକାଲିଠାରୁ ସଂଯୋଗୀକରଣ ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିବା ଗଙ୍ଗାଧର କହିଛନ୍ତି।

ସମ୍ବନ୍ଧିତ ଖବର