ଅନିଶ୍ଚିତତା ଭିତରେ ଗଂଗାଧର ମେହେର ସେଚ ପ୍ରକଳ୍ପ : ଅଫିସ୍‌ରେ ଝୁଲିଲାଣି ତାଲା

ବରଗଡ଼ : ବହୁଚର୍ଚ୍ଚିତ ଗଂଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ବହୁକୋଟି ଟଙ୍କାର ପ୍ରକଳ୍ପର ଗତି କୁଆଡ଼େ, ତାହା ଆକଳନ କରିବା ମୁସ୍କିଲ। କିନ୍ତୁ ଏହି ପ୍ରକଳ୍ପ ପାଇଁ ଖୋଲା ଯାଇଥିବା ଅଫିସ୍‌ର ଅବସ୍ଥା ଦେଖିଲେ, ସବୁ ବାରି ହୋଇପଡ଼ୁଛି।

ବିଜେପୁର ନିର୍ବାଚନମଣ୍ଡଳୀର ଦୁଇଟି ଉପନିର୍ବାଚନ ଏବଂ ଗୋଟିଏ ସାଧାରଣ ନିର୍ବାଚନରେ ଗଂଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ ମୁଖ୍ୟ ‌ଏଜେଣ୍ଡା ଥିଲା। ଏହି ପ୍ରକଳ୍ପକୁ ନେଇ ବିଜେଡି ସବୁ ନିର୍ବାଚନ ଜିଣିଛି। ହେଲେ ପ୍ରକଳ୍ପର ମନ୍ଥରତା ନେଇ ସବୁବେଳେ ବିରୋଧୀ ମୌକା ଖୋଜୁଛନ୍ତି। ପ୍ରକଳ୍ପକୁ ଆଗେଇ ନେବା ପାଇଁ ବିଜେପୁରଠାରେ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସ୍ବତନ୍ତ୍ର ଅଫିସ୍‌ ଖୋଲା ଯାଇଥିଲା। ହେଲେ ଏବେ ସେହି ‌ଦପ୍ତରରେ ତାଲା ଝୁଲୁଛି। ଜଣେ ହେଲେ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଏଠାରେ ମୋଟ୍ ୯ ଜଣ କର୍ମଚାରୀ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ହେଲେ ଦପ୍ତର ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏପରିକି ଏହି ପ୍ରକଳ୍ପର ପ୍ରଥମ ଭିତ୍ତିପ୍ରସ୍ତର ମଧ୍ୟ ଦପ୍ତରର ଗୋଟିଏ କୋଣରେ ପଡ଼ି ରହିଛି। ଏହି ପ୍ରକଳ୍ପର ବର୍ତମାନ ସ୍ଥିତି କଣ, ତାହା କେହି କହିବାକୁ ନାରାଜ।

ଏହି ମହାତ୍ତ୍ବାକାଂକ୍ଷୀ ପ୍ରକଳ୍ପ ପାଇଁ ୧୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଏହି ପାଣ୍ଠି କିଭଳି ଭାବେ ବିନିଯୋଗ ହେବ, ତାହା ବି ଜଣାପଡ଼ୁନାହିଁ। କେବଳ ପ୍ରକଳ୍ପ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ମିଳୁଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ଅଧା ବରଗଡ଼ ଜିଲ୍ଲା ଜଳସେଚିତ ହେବ। ସୋହେଲାର ୨୩ଟି ଗାଁର ୮ହଜାର, ବିଜେପୁରର ୭୭ଟି ଗାଁର ୧୯ହଜାର, ବରପାଲିର ୧୯ଟି ଗାଁର ୪୮୦୦ ଏବଂ ଡୁଂଗୁରିପାଲିର ୫ଟି ଗାଁର ୨ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ହେବ। ପ୍ରକଳ୍ପ ଆଶାରେ ଚାଷୀ ଥିବାବେଳେ ପ୍ରଶାସନିକ ସ୍ତରରେ କିନ୍ତୁ ଏହାର ଅଗ୍ରଗତି ହୋଇନାହିଁ। ଚାଷୀ ବି କ୍ରମଶଃ ଆଶା ଛାଡ଼ିବାକୁ ବସିଲେଣି। ବିଜେପୁର ଉପନିର୍ବାଚନ ବେଳେ ୨୦୧୭ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ନେଇ ଘୋଷଣା କରିଥିଲେ। କିନ୍ତୁ ଆଜି ଯାଏ ପ୍ରକଳ୍ପ କେବଳ ଡିପିଆର୍‌ରେ ସୀମିତ ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହି ପ୍ୟାକେଜ୍‌ର ଅଗ୍ରଗତି ନେଇ ପ୍ରତି ଦୁଇ ମାସରେ ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ଯାଏ କେବେବି ଏଭଳି ସମୀକ୍ଷା ହୋଇନାହିଁ।

ସମ୍ବନ୍ଧିତ ଖବର