କଟକ : ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ’ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍ରୋଡସ୍ଥିତ ହୋଟେଲ ଶୀତଲଠାରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ଡକ୍ଟର ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଛି। ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ସାରସ୍ବତ ପ୍ରତିଭା ଡକ୍ଟର ପାଣିଗ୍ରାହୀଙ୍କୁ କୋଣାର୍କ ମନ୍ଦିରର ରୌପ୍ୟ ପ୍ରତିରୂପ ସମେତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।
ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ବିଶିଷ୍ଟ ଜୀବବିଜ୍ଞାନୀ, ନୃତ୍ୟ ଗବେଷିକା ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍ମାଦୀଙ୍କୁ ପ୍ରଦାନ କରାଯାଇଛି। କାବ୍ୟ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଓ କଥା ସାହିତ୍ୟ ପାଇଁ ବିଜୟିନୀ ଦାସଙ୍କୁ ‘ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। ବିଜୟିନୀ ଦାସ ଅନୁପସ୍ଥିତ ଥିବାରୁ ତାଙ୍କ ପୁରସ୍କାର ଅନୁଷ୍ଠାନ ପକ୍ଷରୁ ତାଙ୍କ ଘରେ ପ୍ରଦାନ କରାଯିବାକୁ ସୂଚନା ଦିଆଯାଇଥିଛି। ପୁରସ୍କାର ସ୍ବରୂପ ଉଭୟ କବି ଶ୍ରୀ ପଟ୍ଟନାୟକ ଓ ଶ୍ରୀମତୀ ଦାସଙ୍କୁ ରୌପ୍ୟ ଉପଢ଼ୌକନ ସମେତ ପଚିଶ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏଥି ସହିତ ଦୁଇ ସାରସ୍ବତ ପ୍ରତିଭା ଦେବାଶିଷ ସାମନ୍ତରାୟ ଓ ଡକ୍ଟର ସୁଶିଲ କୁମାର ବାଗ୍ଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ଶ୍ରୀ ସାମନ୍ତରାୟ ଓ ଡକ୍ଟର ବାଗ୍ଙ୍କୁ ରୌପ୍ୟ ଉପଢ଼ୌକନ ସମେତ ଦଶ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଫାଉଣ୍ଡେସନର ଉପଦେଷ୍ଟା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଲିପ୍ସିତା ରଥ ସରସ୍ବତୀ ବନ୍ଦନା ଗାନ କରିଥିଲେ। ଡାକ୍ତର ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନଜୀବୀ ସଞ୍ଜୟ ରଥ ଓ ରୋହିତ ଶ୍ରୀବାସ୍ତବ ଉତ୍ସବ ପରିଚାଳନା କରିବାରେ ସହାୟତା କରିଥିଲେ। ଡକ୍ଟର ଜଷ୍ଟିସ୍ ବି. ଆର୍. ଷଡଙ୍ଗୀ, ଅଧ୍ୟାପକ କମଳ କୁମାର ମାହୁନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଉପସ୍ଥିତ ଥିଲେ। ଫାଉଣ୍ଡେସନର ସଂପାଦିକା ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ ସମାରୋହ ଚଳିତ ବର୍ଷ ମାର୍ଚ ୧୫ ତାରିଖରେ ଆୟୋଜନ ହେବାକୁ ସ୍ଥିର ହୋଇଥିଲା ବେଳେ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଜି କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ବିଶିଷ୍ଟ ଆଇନଜୀବୀ ତଥା ପ୍ରାକ୍ତନ ଆଡଭୋକେଟ୍ ଜେନେରାଲ ଗଙ୍ଗାଧର ରଥଙ୍କ ଦ୍ବାରା ୧୯୯୬ରୁ ପ୍ରତିଷ୍ଠିତ ‘ସାହିତ୍ୟ ଭାରତୀ ସମ୍ମାନ’ରେ ବହୁ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।