ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଗଡ଼ତୁମୁଲିଆସ୍ଥିତ ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ଵଭାବ କବି ‘ଗଙ୍ଗାଧର ମେହେର ସ୍ମରଣେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ଭାଗୀରଥି ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରଫେସର ଅଖିଳ ବିଶ୍ଵାଳ ଯୋଗ ଦେଇ ଗଙ୍ଗାଧର ସାହିତ୍ୟରେ ପ୍ରକୃତି ଉପାସନା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଖିଣ୍ଡା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଡକ୍ଟର ଗୌରୀ ଦାସ ଗଙ୍ଗାଧର ସାହିତ୍ୟର ପ୍ରୟୋଗାତ୍ମକ ଦିଗ କିପରି ଛାତ୍ରଛାତ୍ରୀମାନଙ୍କୁ ଜୀବନର ଲକ୍ଷ ହାସଲରେ ସହାୟକ ହୋଇ ପାରିବ ସେ ସମ୍ପର୍କରେ ପ୍ରଶ୍ନୋତ୍ତର ଓ ଆଲୋଚନା ମାଧ୍ୟମରେ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ମାଣିକେଶ୍ଵରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ସହଦେବ ମହାକୁଡ଼ ଗଙ୍ଗାଧରଙ୍କ ଉପରେ ସମକାଳୀନ କବିମାନଙ୍କ ପ୍ରଭାବ ଉପରେ ଆଲୋକପାତ କରିଥିଲେ।
ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ ସହିତ ଅଧ୍ୟାପକ ଅକ୍ଷୟ ସାହୁଙ୍କ ନିର୍ଦ୍ଦେଶନାରେ ସଙ୍ଗୀତ ରୂପକ ‘ଯୁଗେ ଯୁଗେ ରଙ୍ଗାଜୀବ’ ପରିବେଷଣ କରିଥିଲେ। ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ ବିଦ୍ୟାଳୟରେ ପୂଜ୍ୟପୂଜା ପରମ୍ପରାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଛାତ୍ରଛାତ୍ରୀ ଗଙ୍ଗାଧରଙ୍କ ସାହିତ୍ୟ ପଠନ ସହିତ ଶୃଙ୍ଖଳିତ ଓ ସଂସ୍କାରିତ ଜୀବନଚର୍ଯ୍ୟା କରିବାକୁ ପ୍ରେରିତ କରିଥିଲେ। ଅଧ୍ୟାପକ ସରୋଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ସମ୍ମିଳିତ ଭାବେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଅଶୋକ ନାୟକ, ଦିଲୀପ ନାୟକ, ନିନା ତ୍ରିପାଠୀ, ସୁଷମା ନାୟକ, ଗଙ୍ଗାଧର ବାରିକ ତଥା ଅଧ୍ୟାପକ ଗଣେଶ ମେହେର, ନରେନ୍ଦ୍ର ପଟେଲ, ରାଜେନ୍ଦ୍ର ସା, ଜିତେନ୍ଦ୍ର ମହାପାତ୍ର, ବୀଣା ପଟେଲ, ସୁକୁମାର ପୁରୋହିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।