ଗରିବ ଖଟିଖିଆଙ୍କ ନେତା ଥିଲେ ଗଙ୍ଗାଧର

ଭୁବନେଶ୍ବର : କୃଷକ ଆନ୍ଦୋଳନ ନେତା ଗଙ୍ଗାଧର ପାଇକରାୟ ଗରିବ ଖଟିଖିଆଙ୍କ ନେତା ଥିଲେ। ସାଧାରଣ ଲୋକଙ୍କ ପାଇଁ ଲଗାତର ସଂଗ୍ରାମ କରୁଥିଲେ। ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ। ୧୭ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ସେ ଜେଲ୍‌ ଯାଇଥିଲେ। ବିଶେଷ କରି ଗଡ଼ଜାତ ଅଞ୍ଚଳର ଆନ୍ଦୋଳନରେ ତାଙ୍କର ଭୂମିକା ଚିରଦିନ ମନେ ରହିବ। ୟୁନିଟ୍‌-୯ସ୍ଥିତ ଲୋହିଆ ଏକାଡେମି ଠାରେ ଅନୁଷ୍ଠିତ ସ୍ବାଧୀନତା ସଂଗ୍ରାମୀ ତଥା କମ୍ୟୁନିଷ୍ଟ ନେତା ଗଙ୍ଗାଧର ପାଇକରାୟଙ୍କ ୨୭ତମ ସ୍ମୃତି ସମାରୋହରେ ଅତିଥି ମାନେ ଯୋଗ ଦେଇ ଏପରି କହିଛନ୍ତି। ନୀଳମଣି ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଅତିଥି ଭାବେ ସିପିଆଇ କେନ୍ଦ୍ରୀୟ କମିଟି ସଭ୍ୟ ଦିବାକର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ପାଇକରାୟଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଲେ, ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ଏହି ଅବସରରେ ନାଟ୍ୟ ଚେତନା ଦ୍ବାରା ନାଟକ ‘ରେବତୀ ସେବତୀ ଏବତୀ’ ମଞ୍ଚସ୍ଥ ହୋଇଥିଲା।

କାର୍ଯ୍ୟକ୍ରମରେ ସିପିଏମ୍‌ ନେତା ସୁରେଶ ପାଣିଗ୍ରାହୀ, ନାରୀନେତ୍ରୀ ପ୍ରମିଳା, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ନାରାୟଣ ରେଡ୍ଡି, ଛାତ୍ରସଂଘ ନେତ୍ରୀ ସଂଘମିତ୍ରା ଜେନା, ଶ୍ରମିକ ନେତା ଜୟନ୍ତ ଦାସ, ଅବସରପ୍ରାପ୍ତ ପ୍ରଶାସକ ସହଦେବ ଜୟସିଂ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ବସନ୍ତ ପାଇକରାୟ, ଶରତ ମିଶ୍ର, ଅଶୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସହ ସଂପାଦକ ସତୀଶ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର