ଜର୍ମାନ ଛାତ୍ରୀଙ୍କ ହସ୍ତାକ୍ଷରରେ ଗଙ୍ଗାଧରଙ୍କ କବିତା

ମଣୀନ୍ଦ୍ର କୁମାର ମେହେର

ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ
ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ଉପଲକ୍ଷେ

ଓଡ଼ିଶାର ସର୍ବପୁରାତନ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଅବସ୍ଥାପିତ ଥିବାବେଳେ ଯେଉଁ ଚିରସ୍ମରଣୀୟ ଆନନ୍ଦମୟ ମୁହୂର୍ତ୍ତ ଅତିବାହିତ ହୋଇଯାଇଛି ତାକୁ ଜୀବନରେ କିପରି ବା ଭୁଲିପାରିବି! ବିଭାଗର ଛାତ୍ରଛାତ୍ରୀମାନଙ୍କ ଆନ୍ତରିକତାରେ ତ ଆପ୍ଳୁତ ହୋଇଛି ଏପରି ସହକର୍ମୀମାନଙ୍କ ସହାନୁଭୂତିଶୀଳତାରେ ଅଭିଭୂତ ହୋଇଛି ସେପରି। ଅନେକ ଘଟଣା ଯାହା ଲିପିବଦ୍ଧ ହୋଇ ରହିବାର ନିହାତି ଆବଶ୍ୟକ ତା’ ମଧ୍ୟରେ ରହିଛି ଏହି ଲେଖାର ଶୀର୍ଷକରେ ବର୍ଣ୍ଣିତ ଅପୂର୍ବ ଅନୁଭୂତି।

ସେଇ ଛାତ୍ରୀ ଜଣଙ୍କର ନାମ ସୁଜାନେ। ଜର୍ମାନର ଏକ ବିଶ୍ବବିଦ୍ୟାଳୟରେ ସେ ସଂସ୍କୃତ ଅଧିୟନ କରୁଥିବା ନିମିତ୍ତ ସ୍ବଭାବସଂପନ୍ନା ଶିକ୍ଷାର୍ଥୀନୀ। ତାଙ୍କର ଦିଗ୍‌ଦର୍ଶକ ହେଉଛନ୍ତି ଓଡ଼ିଶାର ଜଣେ ବିଶିଷ୍ଟ ସଂସ୍କୃତ ପ୍ରଫେସର। ସେଇ ଜର୍ମାନ ଦେଶରେ ଥାଇ କିଛି କିଛି ଓଡ଼ିଆ କହିବା ଶିଖିଯାଇଛନ୍ତି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସାହିତ୍ୟକୁ ଉପଲବ୍ଧି କରିବା ସକାଶେ ତାଙ୍କର ଶୁଭାଗମନ ହୁଏ ଉତ୍କଳ ବିଶ୍ବବିଦ୍ୟାଳୟକୁ। ଆମ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସୁରେନ୍ଦ୍ର ନାରାୟଣ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆହୁରି ସୁନ୍ଦର ଭାବରେ ଶିଖିବା ଆରମ୍ଭ କଲେ ଓଡ଼ିଆ ଭାଷା। ବିଭାଗ ମୁଖ୍ୟ ଭାବରେ ମୋ ନିକଟକୁ ଆସି ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ବସନ୍ତି ମୋ ପାଖରେ। କଥାବାର୍ତ୍ତା କରନ୍ତି ଅତ୍ୟନ୍ତ ଧୀର ଓ ବିନୀତ କଣ୍ଠରେ। ଭାଷା କହନ୍ତି ଓଡ଼ିଆ। ଯେଉଁ କଥା ସ୍ପଷ୍ଟ ଭାବରେ ସେ ବୁଝି ନପାରନ୍ତି ତାକୁ ଇଂରାଜୀରେ ବୁଝାଇ ଦେବା ମାତ୍ରକେ ଭାବପ୍ରବଣ କରିଦିଅନ୍ତି ଅକ୍ଳେଶରେ। ଓଡ଼ିଆ ଶବ୍ଦଗୁଡ଼ିକ ରହି ରହି ବସାଇ ବସାଇ ମୁଁ କହେ ତାଙ୍କୁ, ଯାହା ଫଳରେ ସେ ଭାବବିନିମୟ ପାଇଁ ହେବେ ସକ୍ଷମ।

ମୋ ଟେବୁଲ ଉପରେ ସର୍ବଦା ରହିଥାଏ ଗଂଗାଧର ଗ୍ରନ୍ଥାବଳୀ। ସୁଜାନେଙ୍କ ଜାଣିବାର ଆଗ୍ରହ ଅମାପ। ଗ୍ରନ୍ଥାବଳୀ ଉପରେ ଆଖି ପଡ଼ିଯିବା ମାତ୍ରକେ ସେ ଜାଣିବାକୁ ଚାହିଁଲେ କବିଙ୍କ ପରିଚୟ। ସ୍ବଭାବକବିଙ୍କ କାବ୍ୟ କବିତା ଓ ଜୀବନୀ ସମ୍ପର୍କରେ ତାଙ୍କୁ କିଞ୍ଚିତ ଧାରଣା ଦେବା ପରେ ଆଖି ଦୁଇଟି ତାଙ୍କର ଦେଖାଗଲା ଆହୁରି ଉଜ୍ଜ୍ବଳ। ମୁଁ ନିଜେ କହିଲି ଏହି ବହିଟି ନେଇଯାଅ ସାଙ୍ଗରେ ଆଉ ଗେଷ୍ଟ ହାଉସ୍‌ରେ ରହିବାବେଳେ ତାକୁ ନିରୋଳାରେ ପଢ଼ିବ। ଗଙ୍ଗାଧରଙ୍କ ଶ୍ରେଷ୍ଠ ତିନିଟି କବିତା ଭକ୍ତି, ମଧୁମୟ ଓ ଅମୃତମୟରେ ଚିହ୍ନ ଦେଇ ସେଠି କେବଳ ପଢ଼ିସାରି ମୋତେ ତୁମ ଅନୁଭୂତି କହିବ ବୋଲି କଲି ଅନୁରୋଧ। ଚାରି ପାଞ୍ଚଦିନ ବିତିଯିବା ପରେ ଗନ୍ଥାବଳିଟି ହାତରେ ଧରି ସେ ଆସିଲେ ମୋ ପ୍ରକୋଷ୍ଠକୁ। ଆମ ବିଭାଗର କେଉଁ ଛାତ୍ରଛାତ୍ରୀମାନେ ମୋ ପାଖରେ ଥାଆନ୍ତୁ ଉପସ୍ଥିତ ସେମାନଙ୍କ ସହିତ ସର୍ବଦା ପରିଚୟ କରାଇ ଦେଉଥିଲି ସୁଜାନେଙ୍କୁ। ସେଦିନ ପ୍ରତିଥର ଭଳି ବିନୟପୂର୍ଣ୍ଣ ନମସ୍କାର ଜଣାଇ ଆସନ ଗ୍ରହଣ କଲେ। ମୁଁ ପଚାରିଲି ଗଙ୍ଗାଧରଙ୍କ କବିତା ପଢ଼ିପାରିଲ କି? ସେ ଶବ୍ଦରେ କହିପାରିଲେ ନାହିଁ କୌଣସି କଥା। ସାରା ମୁହଁଟା ତାଙ୍କର ଏକ ଭିନ୍ନ ଆଲୋକରେ ଉଦ୍ଭାସିତ ହୋଇଉଠିଲା। ସେ ଯେଉଁ ହାତକୁ ତାଙ୍କର ନୋଟ ଖାତା କେତେବେଳେ ବଢ଼ାଇ ଦେଇଦେଲେ ସେଇ ମୁହୂର୍ତ୍ତରେ ଅନନ୍ୟ ଅନୁଭୂତିରେ ବିସ୍ମୟ ବିମୂତ ହୋଇ ରହିଗଲି କିଛିକ୍ଷଣ। ସୁଜାନେଙ୍କ ମୁହଁରେ ପ୍ରତିଫଳିତ ଆଲୋକ ତତ୍‌କ୍ଷଣାତ ପ୍ରବେଶ କଲା ମୋ ହୃଦୟ ମଧ୍ୟକୁ। ନୋଟ ଖାତାରେ ତାଙ୍କର ଦେଖିଲି ସେ ଗଙ୍ଗାଧରଙ୍କ ତିନିଟି ଯାକ କବିତାକୁ ନିଜ ହାତରେ ନିଖୁଣ ଓ ସୁନ୍ଦର ଅକ୍ଷରରେ ଲିପିବଦ୍ଧ କରିଦେଇଛନ୍ତି। ଆଶ୍ଚର୍ଯ୍ୟ ହୋଇଗଲି। ଏତେ ସୁନ୍ଦର ହୀରକ ଭଳି ଅକ୍ଷର। କି ପରିଚ୍ଛନ୍ନ! କି ପବିତ୍ର!! ଠିକ୍‌ ତାଙ୍କର ନିଷ୍କପଟ ହୃଦୟ ଓ ନିଷ୍ପାପ ମୁଖମଣ୍ଡଳଟି ପରି। ତା’ ପରେ ସୁଜାନେଙ୍କ ଉଦ୍ଦେଶ୍ୟରେ ସକୃତଜ୍ଞ ଚିତ୍ତରେ ଅନାଇ ରହିଲି କ୍ଷଣଟିଏ, ଆଉ ତାଙ୍କର ଏହି ଶ୍ରେଷ୍ଠ କୃତିତ୍ବ ପାଇଁ ଅଭିନନ୍ଦନ ଜଣାଇଲି ଉଚ୍ଛ୍ବାସିତ ଭାବରେ। ମୋ କଥା ନିରବ ଭାବରେ ଶୁଣୁଥିବା ସୁଜାନେ ହସିହସି ତା’ପରେ ଆବୃତ୍ତି କରିବାକୁ ଲାଗିଲେ- ‘ବିଶ୍ବଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁନାହିଁ ଯେଣୁ, ସିନ୍ଧୁ ତୁମ କୃପାବିନ୍ଦୁ।’ ଏଇଭଳି ଅମୃତମୟ କବିତାର ଗୋଟିଏ ପଦ ମଧୁମୟ କବିତାର ଆଉ ଗୋଟିଏ ପଦ ପଙ୍‌କ୍ତି ଉଚ୍ଚାରଣ କଲେ ସେ ରହିରହି। ମନେପକାଇ ପକାଇ ଧୀରେ ଧୀରେ। ସମଗ୍ର ବାତାବରଣଟି ସେତେବେଳେ ଲାଗୁଥିଲା ଯେମିତି ହୋଇଉଠୁଛି ସଂଗୀତମୟ। ସୁଜାନେଙ୍କୁ କହିଲି- ‘କ’ଣ ତିନିଟି ଯାକ କବିତା ସମ୍ପୂର୍ଣ୍ଣ କଣ୍ଠସ୍ଥ କରିପକାଇଲ?’ ସେ ସଂକୋଚର ସହିତ ହସିହସି କହିଲେ, ‘ନାଁ ସାର୍‌, ଟିକିଏ ଟିକିଏ କେବଳ।’ ସୁଜାନେଙ୍କ ଏହି ଟିକିଏ ଓଡ଼ିଆ କବିତାର ଆବୃତ୍ତି ମୋ ହୃଦୟରେ ସଂଚାର କରୁଥିଲା ମହାସାଗରର ଦର୍ଶନାନୁଭୂତି। ଗଙ୍ଗାଧର କହିଛନ୍ତି- ‘ମୁଁ ତ ଅମୃତ ସାଗର ସିନ୍ଧୁ।’ ଜର୍ମାନରୁ ଆସିଥିବା ଏହି ସୁକୁମାରୀ ସୁକନ୍ୟାଟି ଅମୃତ ସିନ୍ଧୁ ବ୍ୟତୀତ ଆଉ କ’ଣ ବା ହୋଇପାରନ୍ତା! ତାଙ୍କ ସହିତ ହେଲା ଆଳାପ ଓ ଆଲୋଚନା। ପଚାରିଲି ତାଙ୍କ ପରିବାର ବିଷୟରେ। ସୁଜାନେ କହିଲେ, ଏହି ଭାରତରେ ଥିବାବେଳେ ଜର୍ମାନରେ ତାଙ୍କର ପିତାଙ୍କର ଅକାଳ ବିୟୋଗ ହୋଇଯାଇଛି। ବାପା ମାଆଙ୍କ ଏକମାତ୍ର ସନ୍ତାନ ସେ। ମା’ ଜର୍ମାନରେ ଅଛନ୍ତି ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇ। ଆଉ ଏ ପାଖରେ ଭାରତବର୍ଷର ଓଡ଼ିଶା ରାଜ୍ୟରେ ସୁଜାନେ ପିତୃ ବିୟୋଗର ଅସହ୍ୟ ବେଦନା ଛାତିରେ ଧରି ମାଆଙ୍କର ନିଃସଙ୍ଗତାକୁ ଅନୁଭବ କରି କରି ତଥାପି ଅବିଚଳିତ ଭାବରେ ଅଧ୍ୟୟନ କରିଯାଇଛନ୍ତି ସଂସ୍କୃତ ଓ ଓଡ଼ିଆ ଭାଷା ସାହିତ୍ୟ। ମୁଁ ଅନାଇଲି ସ‌ମ୍ବେଦନଶୀଳ ଦୃଷ୍ଟି ନେଇ ତାଙ୍କ ଆଖିକୁ। ଧୀର ସ୍ବରରେ କହିଲି, ‘ଏଇଠି ଚିନ୍ତା କର‌ ଯେ, ମୁଁ ହେଉଛି ତୁମର ବାପା।’ ସେତିକି କହୁଁ କହୁଁ ଲକ୍ଷ୍ୟ କଲି ସୁଜାନେର ଦୁଇ ଆଖିରେ ଜକେଇ ଆସୁଛି ଅନ୍ତରର ଲୋତକ କଣା। ମୁଁ ବି ଭାବାଚ୍ଛନ୍ନ ହେଲି ଏହିପରି ଶେଷରେ। ସୁଜାନେ ସମ୍ପୂର୍ଣ୍ଣ ଶାକାହାରୀ। ପ୍ରତ୍ୟେକଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନରେ ଭରି ରହିଥାଏ ମାର୍ଜିତ ଓ ପରିଶୀଳିତ ଆନ୍ତରିକତା ତଥା ଆତ୍ମୀୟତା।

ସୁଜାନେଙ୍କର ଜର୍ମାନ ଫେରିଯିବାର ସମୟ ନିକଟ ହୋଇଆସିଲା। ମୋ ପାଖରୁ ନେଇଥିବା ଗଙ୍ଗାଧର ଗ୍ରନ୍ଥାବଳୀଟି ଅକ୍ଷତ ଭାବରେ ସେ ମୋତେ ଫେରାଇ ଦେଲେ। ମୋ ହାତକୁ ବଢ଼ାଇ ଦେଲେ ତାଙ୍କର ଭିଜିଟିଂ କାର୍ଡ। କହିଲେ, ସାର୍‌! ମୁଁ ଏଥର ଫେରିଯିବି ମାଆଙ୍କ ପାଖକୁ। ସେ ମୋର ଉପସ୍ଥିତି ଚାହୁଁଛନ୍ତି ତାଙ୍କ ନିକଟରେ। ପୁଣି କେତେମାସ ପରେ ଆସିବି ଓଡ଼ିଶାକୁ।’ ତାଙ୍କ କଥା ଶୁଣି ଓ ତାଙ୍କ ମୋବାଇଲ ଫୋନ୍‌ରେ ତାଙ୍କର ଘରର ସୁନ୍ଦର ପରିବେଶ ଦେଖି ମୁଁ ଦ୍ରବୀଭୂତ ହୋଇଯାଉଥାଏ। ମାଆ ତାଙ୍କର ଅପେକ୍ଷା କରିଛନ୍ତି ସମୁଦ୍ର ଆରପାରିରେ। ଗଙ୍ଗାଧର କହିଛନ୍ତି, ଜନକ ଜନନୀଙ୍କର ସ୍ନେହ ହେଉଛି ମଧୁର ନିର୍ଜର। ସେହି ନିର୍ଝର ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ ସୁଜେନା। ମୋତେ ବିଦାୟ ବେଳାର ନମସ୍କାର ଜଣାଇ ମୋ ପ୍ରକୋଷ୍ଠରୁ ଧୀର ପଦକ୍ଷେପରେ ଚାଲିଯାଇ ଓହ୍ଲାଇଗଲେ ପାହାଚ ତଳକୁ। ଏହାରି ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆସି ଫକୀରମୋହନ ବିଶ୍ବବିଦ୍ୟାଳୟରେ ଯୋଗ ଦେଇ ସାରିଛି ମୁଁ। କିନ୍ତୁ ସୁଜାନେଙ୍କ ସ୍ମୃତି ସଦା ସତେଜ ହୋଇ ରହିଛି ମୋ ଅନ୍ତରରେ। ଆଖିକୁ ମୋର ଦିଶିଯାଉଛି ତାଙ୍କର ସରଳ ସୁକୋମଳ ମୁଖମଣ୍ଡଳ ଆଉ ତା’ ସହିତ ଗଙ୍ଗାଧରଙ୍କ କବିତାର ଆକର୍ଷଣୀୟ ହସ୍ତାକ୍ଷର। ସେ ବିଦାୟ ନେଇଯିବା ବେଳେ ମୋ ହୃଦୟ ମଧ୍ୟରେ ଧ୍ବନିତ ହେଉଥିଲା ଗଙ୍ଗାଧରଙ୍କ ସେଇ ସଙ୍ଗୀତ- ‘ବିଶ୍ବ ଦେଖ ମଧୁମୟରେ ଜୀବନ, ବିଶ୍ବଦେଖ ମଧୁମୟ’। ସୁଜାନେ ଜର୍ମାନ ଦେଶର ଆତ୍ମା ସହିତ ଭାରତମାତାର ଆତ୍ମାକୁ ସଂଯୁକ୍ତ କରିଦେବାର ଏକ ମହାନ ସଂକେତ। ଫ୍ଲାଇଟରେ ବସି ମହାସାଗର ଅତିକ୍ରମ କରୁଥିିବା ବେଳେ ତାଙ୍କ ନୋଟ ଖାତାରୁ ହୁଏତ ସେ ଦେଖୁଥିବେ ଆଉ ପଢ଼ୁଥିବେ ଗଙ୍ଗାଧରଙ୍କ କବିତା। ତାଙ୍କ ହୃଦୟ ପିତୃ ବିୟୋଗର ଦୁଃଖରେ ବ୍ୟଥିତ ହୋଇଥିଲେ ମଧ୍ୟ ସୁନୀଳ ଆକାଶକୁ ଅନାଇ ସେ ଆବୃତ୍ତି କରୁଥି‌ବେ ବିଶ୍ବଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁନାହିଁ- ଯେଣୁ ସିନ୍ଧୁ ତୁମ୍ଭ କୃପାବିନ୍ଦୁ। ଯେଉଁ ମହାସାଗରକୁ ଅତିକ୍ରମ କରୁଛନ୍ତି ସେ, ତାହା ପରମେଶ୍ବରଙ୍କ କରୁଣାର ଏକ ବିନ୍ଦୁମାତ୍ର। ତା’ ହେଲେ ଭଗବାନଙ୍କ କରୁଣା ବିଗଳିତ ହୃଦୟ କେତେ ବିସ୍ତାରିତ ତାହା କିଏ ବା କଳ୍ପନା କରିପାରେ? ସୁଜାନେ କବିତାର ଏହି ମର୍ମବାଣୀ ଉପଲବ୍ଧି କରୁଥିବେ ନିଜର ସାଧ୍ୟ ମତେ ନିଶ୍ଚିତ ଭାବରେ। ଗଙ୍ଗାଧର ଜୟନ୍ତୀ ପାଳନ ଅବସରରେ ଜର୍ମାନ ଝିଅ ସୁଜାନେଙ୍କ ହସ୍ତାକ୍ଷର ଆଉ ସ୍ମୃତିର ସୁକୁମାର ଉଚ୍ଚାରଣ ନିବିଡ଼ ଭାବରେ ବିମୋହିତ କରୁଛି ମୋ ଅନ୍ତଃସ୍ଥଳକୁ। ଏହି ସ୍ମୃତିଚାରଣ ଗଙ୍ଗାଧରଙ୍କ ପ୍ରତି ହେଉ ଆମର ଏକ ଶ୍ରେଷ୍ଠ ଶ୍ରଦ୍ଧାର୍ଘ୍ୟ।

ପ୍ରଫେସର ଓ ବିଭାଗମୁଖ୍ୟ
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ବବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ବର
ମୋ:୯୯୩୭୩୬୫୬୯୮

ସମ୍ବନ୍ଧିତ ଖବର