କୁଆମରା: ପାର୍ବଣକୁ ଫିକା କରିଛି ବର୍ଷା। ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଗୋପବନ୍ଧୁନଗର ବ୍ଲକ୍ ଦେଇ ପ୍ରବାହିତ ଗଙ୍ଗାହାର, ନାଲୁହା, ଦେଓ, ଟାଙ୍ଗଣା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସକାଳଠାରୁ ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ପରେ ଖଡ଼ିକାପଦା କଲ୍ଭର୍ଟ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବଡ଼ସାହି-କୁଆମରା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ଜଳସ୍ତର ବଢ଼ୁଥିବାରୁ ନଦୀକୂଳିଆ ଲୋକଙ୍କ ପ୍ରତି ବିପଦ ଘନେଇଛି।
ମୟୂରଭଞ୍ଜରେ ଲଗାଣ ବର୍ଷା, ଉଛୁଳିଲା ନାଲୁହା, ଦେଓ
ଖଡ଼ିକାପଦା କଲ୍ଭର୍ଟ, ଜାମୁଘାଟ ପୋଲ ବୁଡ଼ିଲା
ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ
ଭୋଳପଦା ନିକଟରେ ନାଲୁହା ଓ ଗଙ୍ଗାହାର ନଦୀ ମିଶିବା ଯୋଗୁ ତଳମୁଣ୍ଡରେ ନଦୀ ଭୟଙ୍କର ରୂପ ନେଇଛି। ଏଥିପାଇଁ ପଶୁଦା ପଞ୍ଚାୟତର କିଛି ଗ୍ରାମ ଓ କୁଆମରା ପଞ୍ଚାୟତର କଶିବଣୀ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଖଡ଼ିକାପଦା କଲ୍ଭର୍ଟ ତଳେ ଥିବା ବଡ଼ସାହି ବ୍ଲକ୍ ପଟିସାରୀ ପଞ୍ଚାୟତର ନଦୀକୂଳିଆ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ନଦୀକୂଳକୁ ଲାଗି ୩୦ ପ୍ରତିଶତ ଚାଷଜମିରେ ବନ୍ୟାପାଣି ମାଡ଼ିଯାଇଛି। ଧାନରେ ଥୋଡ଼ ଧରୁଥିବା ବେଳେ ବନ୍ୟାପାଣି ମାଡ଼ି ଯାଇଥିବାରୁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଦେଓ ନଦୀର ଜାମୁଘାଟଠାରେ ଅସ୍ଥାୟୀ ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉଦଳାରୁ ଗୋପବନ୍ଧୁନଗର ବ୍ଲକ୍କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଟାଙ୍ଗଣା ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ଜରୁରିକାଳୀନ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/fsfssfxcxcxc-2025-09-29-04-05-49.jpg)