ଛୁଟିରେ ଯିବାକୁ ଉଚ୍ଚ ଅଧିକାରୀଙ୍କ ଅନୁମତି ମାନି ନଥିଲେ ଦେବ୍
ପକେଟ୍ରେ ହାତ ପୂରାଇ ଟ୍ରିଗର୍ ଦବାଇଲେ
୨ ବର୍ଷରୁ ଅଧିକ ସମୟ ମାନସିକ ଅବସାଦରେ ଥିଲେ
ବ୍ରହ୍ମପୁର : ଦିନ ଯେତେ ଗଡ଼ୁଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ସେଦିନ ଘଟଣା ସମୟରେ ଭଞ୍ଜନଗର ଏସ୍ଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କ ସହ ଦେବ୍ଙ୍କ କ୍ବାର୍ଟର୍ସରେ ଉପସ୍ଥିତ ଥିବା ଗାଙ୍ଗପୁର ଥାନା ସବ୍ଇନ୍ସପେକ୍ଟର୍ ଶୁଭ୍ରଜିତ୍ ସାମନ୍ତରାୟ କୌଣସି ଏକ ଗଣମାଧ୍ୟମ ସହ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ବର୍ଣ୍ଣନା କରୁଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହାପରେ ଘଟଣା ଆହୁରି ଗୋଳମାଳିଆ ମୋଡ଼ ନେଇଛି। କାରଣ ଗଲା ପାଞ୍ଚ ଦିନ ମଧ୍ୟରେ ଜିଲ୍ଲା ଏସ୍.ପିଙ୍କ ଠାରୁ ଆରମ୍ଭ କରି କୌଣସି ଅଧିକାରୀ ସିଧାସଳଖ ବୟାନ ରଖୁନାହାନ୍ତି। କେବଳ ଅଡ଼ିଓ, ଭିଡ଼ିଓ ଭାଇରାଲ୍ କରାଇ ରହସ୍ୟକୁ ବଢ଼ାଇ ଚାଲିଛନ୍ତି ସିନା, ପ୍ରକୃତ ଘଟଣା ବିଷୟରେ ମୁହଁ ଖୋଲୁନାହାନ୍ତି।
ସଦ୍ୟ ଭାଇରାଲ୍ ଭିଡ଼ିଓ କ୍ଲିପ୍ରେ ଏସ୍ଆଇ ଶୁଭ୍ରଜିତ୍ କହୁଛନ୍ତି, ଦେବ୍ ମାନସିକ ଭାରସାମ୍ୟ ହରାଇ ବସିଥିବା ଜାଣିବା ପରେ ଭଞ୍ଜନଗର ଏସ୍ଡିପିଓ ଓ ଭଞ୍ଜନଗର ଥାନାଧିକାରୀ ତାଙ୍କ କ୍ବାର୍ଟର୍ସକୁ ଯାଇଥିଲେ। ଦେବ୍ ସେମାନଙ୍କୁ ଭାଙ୍ଗି ପଡ଼ିଥିବା, କିଛି କରିପାରୁ ନଥିବା କହିଥିଲେ। ସେତେବେଳେ ଥାନାରେ ସର୍ଭିସ୍ ରିଭଲଭର୍ ଜମା ଦେଇ ଦେବ୍ଙ୍କୁ ଛୁଟି ନେଇ ପଳାଇବାକୁ ଉଭୟ ଅଧିକାରୀ ପରାମର୍ଶ ଦେଇଥିଲେ। ଆଉ ଶୁଭ୍ରଜିତ୍ଙ୍କୁ ଡାକି ଅତିରିକ୍ତ ଦାୟିତ୍ବ ନେବାକୁ ମଧ୍ୟ କହିଥିଲେ। କିନ୍ତୁ ଦେବ୍ ଛୁଟି ନେବାକୁ ରୋକ୍ଠୋକ୍ ମନା କରି ଦେଇଥିଲେ। ଏହି ସମୟରେ ଦେବ୍ଙ୍କ ମାଆ ଗାଧୁଆ ଘରକୁ ପଳାଇଥିଲେ। ପୁଣିଥରେ ଛୁଟିରେ ଯିବାକୁ ଦେବ୍ଙ୍କୁ ଏସ୍ଡିପିଓ ଓ ଭଞ୍ଜନଗର ଆଇଆଇସି ଅନୁରୋଧ କରିଥିଲେ। କିନ୍ତୁ କେହି କିଛି ବୁଝିବା ଆଗରୁ ସମସ୍ତଙ୍କ ଉପସ୍ଥିତିରେ ଦେବ୍ ପକେଟ୍ରେ ହାତ ପୂରାଇ ରିଭଲଭର୍ର ଟ୍ରିଗର୍କୁ ଦବାଇ ଚଟାଣରେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନା ନିଆଗଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଘଟଣା ସମୟରେ କେବଳ ଭଞ୍ଜନଗର ଏସଡିପିଓ ଓ ଥାନାଧିକାରୀ ଉପସ୍ଥିତ ଥିବା କୁହାଯାଉଥିବା ବେଳେ ଶୁଭ୍ରଜିତ୍ଙ୍କ ଏହି ଭିଡ଼ିଓ ଘଟଣାକୁ ଆଉ ଏକ ମୋଡ଼କୁ ନେଇଯାଇଛି। ଘଟଣା କେବଳ ଏହି ଦୁଇ ଅଧିକାରୀ ନୁହେଁ, ଶୁଭ୍ରଜିତ୍ଙ୍କ ସହ ୩ ଜଣ କନଷ୍ଟେବଳ ବି ଉପସ୍ଥିତ ଥିଲେ। ମାଆ ଗୁଳି ଶଦ୍ଦ ଶୁଣି ଗାଧୁଆ ଘରୁ ଆସିଲା ବେଳକୁ ଦେବ୍ ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିଲେ। ସେହିପରି ଆଉ କେଉଁମାନେ ଉପସ୍ଥିତ ଥିଲେ, ଏହା ବି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି।
ଅନ୍ୟପକ୍ଷରେ ଦେବ୍ ତିନିଟି ମୋବାଇଲ୍ ବ୍ୟବହାର କରୁଥିଲେ। କିନ୍ତୁ ସମସ୍ତ ମୋବାଇଲ୍ କାହା ପାଖରେ ଓ କେଉଁଠି ଅଛି ତାହା ଏଯାଏ ସ୍ପଷ୍ଟ ହୋଇପାରୁନି। କୌଣସି ଗୂଢ଼ ତଥ୍ୟ ଲୁଚାଇବାକୁ ରୀତିମତ ଉଦ୍ୟମ ହେଉନି ତ(?) ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/iic-dead.jpg)