ବେଲଗୁଣ୍ଠା/ଭଞ୍ଜନଗର/ଛତ୍ରପୁର/କଟକ  : ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ତୃତୀୟ ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଓଡ଼ିଶାର ଏକମାତ୍ର ଥାନା ଭାବେ ଗାଙ୍ଗପୁରକୁ ସ୍ଥାନ ମିଳିବାପରେ ଖୁସିର ଲହରି ଖେଳିଯାଇଛି।

Advertisment

ଏନେଇ ରାଜ୍ୟ ଅତିରିକ୍ତ ପୁଲିସ ଡିଜି (ଆଇନ ଶୃଙ୍ଖଳା) ଗଞ୍ଜାମ ଏସ୍‌.ପି.ଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌସ୍ଥିତ କେନ୍ଦ୍ର ପୁଲିସ ମୁଖ୍ୟାଳୟ ଠାରେ ଦେଶର ସମସ୍ତ ଡିଜିଙ୍କୁ ନେଇ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଙ୍ଗପୁର ଥାନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାଶ ୟୁନିଫର୍ମ ଓ କ୍ରସ୍ ବେଲ୍ଟ୍ ପିନ୍ଧି ସେଠାରେ ପହଞ୍ଚିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବାଭ୍ୟାସ ପ‌ରେ ସେ ପୁରସ୍କାର ଗ୍ରହଣ କରିବେ ସୂଚନା ମିଳିଛି। ସଂପୃକ୍ତ ଥାନା ଅଞ୍ଚଳର ବାସିନ୍ଦାଙ୍କୁ ଏଥିପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା ତଥା ଶୁଭେଚ୍ଛା ପ୍ରଦାନ କରାଯାଇଛି।

ଗତ କିଛି ମାସ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସବୁ ଥାନା ମାନଙ୍କୁ ନେଇ ଏକ ସର୍ଭେ ହୋଇଥିଲା। ‘ଟ୍ରୁ ଏଗ୍ରିକୋ’ ନାମକ ଏକ ସଂସ୍ଥା ଦୁଇଟି ପର୍ଯ୍ୟାୟାରେ ସର୍ଭେ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସିସିଟିଏନଏସ୍ ପୋର୍ଟାଲ୍‌ରେ ତଥ୍ୟ ପଞ୍ଜୀକରଣ ଆଧାରରେ ଦେଶର ୭୨ଟି ଭଲ ଥାନାକୁ ଚୟନ କରାଯାଇଥିଲା। ଏଥିରେ ରାଜ୍ୟରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଏବଂ ସୋରଡ଼ା ଥାନା ରହିଥିଲା। ଏହାପରେ କେନ୍ଦ୍ରରୁ ଏକ ଟିମ୍ ଆସି ସରଜମିନ୍ ତଥ୍ୟ ସଂଗ୍ରହ ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଥାନାର ସ୍ବଚ୍ଛତା, ପରିମଳ ଓ ଉତ୍ତମ ପରିବେଶ ସହ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା, ଶୌଚାଳୟ, ଶିଶୁ ଓ ମହିଳା ଡେସ୍କ୍ ସହ ଆଇପିସି ମାମଲା ଓ ଥାନାରେ ପଞ୍ଜୀକୃତ ହେଉଥିବା ସମସ୍ତ ମାମଲା ତଦନ୍ତ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହାସହ ଥାନା ଇଲାକାରେ ପ୍ରାୟ ୧୦୦ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ପୁଲିସ ଆଚରଣ ଓ ସେବା ସଂପର୍କରେ ଗାଁକୁ ଗାଁ ବୁଲି ମତାମତ ସଂଗ୍ରହ କରାଯାଇଥିଲା। ସକାରାତ୍ମକ ତଥ୍ୟ ହାସଲ ହୋଇଥିଲା।

ସେହିପରି ଗାଙ୍ଗପୁର ଥାନାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତମାନର ଭିତ୍ତିଭୂମି ସର୍ଭେ ଟିମ୍‌କୁ ବେଶ୍ ପ୍ରଭାବିତ କରିଥିଲା। ସମସ୍ତ ତଥ୍ୟକୁ ଆଧାର କରି ଦେଶର ଶ୍ରେଷ୍ଠ ତିନି ଥାନା ଭିତରେ ଗାଙ୍ଗପୁରକୁ ସ୍ଥାନ ମିଳିବା ପରେ ଖୁସିର ଲହରି ଖେଳିଯାଇଛି।