ଡିଜିପି ସମ୍ମିଳନୀରେ ପ୍ରଦର୍ଶିତ ହେବ ଗାଙ୍ଗପୁର ଥାନା

ଥାନାରେ ୫ ଜଣିଆ କେନ୍ଦ୍ରୀୟ ଟିମ୍
ଦେଶର ଦ୍ବିତୀୟ ସର୍ବ‌ଶ୍ରେଷ୍ଠ ଥାନା
ପ୍ରାମାଣିକ ଚଳଚ୍ଚିତ୍ର ସୁଟିଂ ଆରମ୍ଭ

ଭଞ୍ଜନଗର/ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ମାନ୍ୟତା ହାସଲ କରିଛି। ଦିଲ୍ଲୀର ସଦର ଥାନା ପ୍ରଥମ ସ୍ଥାନରେ ଏବଂ ହରିୟାନାର ଫରିଦାବାଦ ଥାନା ତୃତୀୟ ସ୍ଥାନରେ ରହିଛି। ଏହି ସଫଳତା ପାଇଁ ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାଶ ଆଗାମୀ ୧୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୫ ଜଣିଆ ଟିମ୍ ପ୍ରାମାଣିକ ଚଳଚ୍ଚିତ୍ର (ଡକୁମେଣ୍ଟାରି ଫିଲ୍ମ) ସୁଟିଂ ପାଇଁ ଆଜି ଆସି ଗାଙ୍ଗପୁରରେ ପହଞ୍ଚିଛନ୍ତି।
ଟିମ୍‌ ଆଜି ଭୋର୍‌ରେ ଗାଙ୍ଗପୁର ଥାନାରେ ପହଞ୍ଚି ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ବିଭିନ୍ନ ବିଭାଗର କାର୍ଯ୍ୟ ସଂପର୍କରେ ଭିଡିଓ ଉତ୍ତୋଳନ କରିଥିଲେ। ଏଥି ସହ ଥାନା ପରିସରର ସୌନ୍ଦର୍ଯ୍ୟୀକରଣ, ପୋଖରୀରେ ଖେଳୁଥିବା ହଂସଦଳ, ବୋଟିଂ ବ୍ୟବସ୍ଥା, ମନ୍ଦିର, କୃତ୍ରିମ ଝରଣା, ଥାନାକୁ ଆସୁଥିବା ଲୋକଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା, ଫୁଲଗଛ ଓ ପ୍ରାଚୀରରେ ସଚେତନଧର୍ମୀ ଚିତ୍ର ‌ଟିମ୍‌କୁ ଆକର୍ଷିତ କରିଥିଲା। ଏଥି ସହ ଥାନା ଇଲାକାର କିଛି ଗ୍ରାମକୁ ‌ଯାଇ ଥାନା ଓ ଥାନାର କାର୍ଯ୍ୟଧାରା ସଂର୍ପକରେ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ସହ ଥାନା ପକ୍ଷରୁ ହେଉଥିବା ଆମ ପୁଲିସ୍‌ ସମିତି ଓ ବରିଷ୍ଠ ନାଗରିକମାନଙ୍କ ବୈଠକ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଭିଡିଓ ପ୍ରସ୍ତୁତ କରାଯାଇଥିଲା।

ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦାମନ୍ ଜିତ୍ ସିଂଙ୍କ ନେତୃତ୍ବରେ ଏହି ଟିମ୍ ବିଭିନ୍ନ ଗ୍ରାମରେ ସୁଟିଂ ଜାରି ରଖିଛନ୍ତି। ବଡ଼ବୋରସି ଓ କଣ୍ଟେଇପଲ୍ଲୀ ବିଟ୍ ହାଉସ୍ ସମେତ ଆଉ କିଛି ଗ୍ରାମାଞ୍ଚଳକୁ ଯାଇ ଜନସାଧାରଣଙ୍କ ସହ ପୁଲିସର କାର୍ଯ୍ୟଧାରା ସଂପର୍କରେ ତଥ୍ୟ ସଂଗ୍ରହ ସହ ସୁଟିଂ କରିଥିଲେ। ଏହି ପ୍ରାମାଣିକ ଚଳଚ୍ଚିତ୍ର ଆସନ୍ତା ୧୯ରେ ଲକ୍ଷ୍ନୌ ଠାରେ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର