ନୂଆ ମୋଡ଼ ନେଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ଅନୁଧ୍ୟାନ କଲା ଶିଶୁମଙ୍ଗଳ ସମିତି, ଛାତ୍ରାବାସରେ ରହିବେ ଶିଶୁ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ ଓ ବାହିନୀପତି, ଦେଶୀ ମଦ ବନ୍ଦ ଓ ୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି

ଜୟପୁର : ଜୟପୁର ସଦରଥାନା ଅଂଚଳର ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇ ଗତ ୧୯ତାରିଖ ଦିନ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତ ରମେଶ ଦଣ୍ତସେନା(୨୫) ଓ କମଳ ଲୋଚନ ଦଣ୍ତସେନା(୨୫)ଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗଣଦୁଷ୍କର୍ମରେ ପୀଡିତାଙ୍କ ମୃତ୍ୟୁ ପରେ କୋରାପୁଟ ଜିଲ୍ଲା ଗସ୍ତରେ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଡ. ଭି.ଗାୟତ୍ରୀ ଦେବୀ, ସସ୍ମିତା ରାଣୀ ସାହୁ ଉକ୍ତ ଗ୍ରାମକୁ ଯାଇ ପୀଡ଼ିତାଙ୍କ ପରିବାର ଓ ତାଙ୍କ ଦୁଇ ପିଲାଙ୍କ ସହ ଆଲୋଚନା କରି ଫେରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ପୀଡ଼ିତାଙ୍କ ଦୁଇ ପିଲାଙ୍କ ଦାୟିତ୍ବ ପ୍ରଶାସନ ନେବାକୁ କହିଥିଲେ। ଦଶାହ ପରେ ଦୁଇ ପିଲାଙ୍କୁ ଛାତ୍ରାବାସରେ ରଖି ପାଠ ପଢ଼ାଇବାକୁ ଦେଇଥିବା ପ୍ରସ୍ତାବରେ ପରିବାର ସଦସ୍ୟ ରାଜି ହୋଇଥିବା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା କହିଛନ୍ତି।

ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଅଭିେଯାଗ କରିଥିଲେ, ରାଜ୍ୟରେ ଗଣଦୁଷ୍କର୍ମ, ହତ୍ୟା ଆଦି ଅପରାଧ ବଢ଼ି ଚାଲିଛି। ବ୍ୟାପକ ମଦ ବିକ୍ରି ହିଁ ଏଭଳି ଘଟଣାର ମୁଖ୍ୟ କାରଣ। ସରକାର ତୁରନ୍ତ ମଦ ବିକ୍ରି ବନ୍ଦ କରନ୍ତୁ। ମାତ୍ରାଧିକ ମଦ୍ୟପାନ କରି ଅଭିଯୁକ୍ତ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏଭଳି ଜଘନ୍ୟକାଣ୍ଡ ପଛରେ ନିଶା ହିଁ ମୁଖ୍ୟ କାରଣ ବୋଲି କହିଛନ୍ତି। କୋରାପୁଟ ଜିଲ୍ଲାରେ ଦେଶୀ ମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ସେ କହିଥିଲେ, ମଦ ବିକ୍ରି ବନ୍ଦ ପାଇଁ ଅତୀତରେ ସ୍ଥାନୀୟ େଲାକେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ଏହି କାରଣରୁ ଅଧିକାଂଶ ପରିବାର ଛାରଖାର େହାଇଯାଉଛି। ତୁରନ୍ତ ମଦ ବିକ୍ରି ବନ୍ଦ ନ କରାଗଲେ ଜନ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ପୀଡ଼ିତାଙ୍କ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର