ଅତାବିରା: ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଅତାବିରା ପୁଲିସ୍‌କୁ ସଫଳତା ମିଳିଛି। ଜାତୀୟ ରାଜପଥ କଡ଼ ସରଣ୍ଡା ପାଖରେ ଗାଡ଼ି ଯାଂଚ କରୁଥି‌ବା ବେଳେ  ଜାଲ କାଗଜପତ୍ର ତିଆରି କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ପୁଲିସ୍‌ ସକ୍ଷମ ହୋଇଛି। ସେମାନଙ୍କଠୁ ବିଭିନ୍ନ ଜାଲ ଦସ୍ତାବେଜ, ଜାଲ କାରବାରରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ୨ଜଣଙ୍କୁ ଗିରଫ  କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସମ୍ବଲପୁର ଧନୁପାଲି ଥାନା ଚାରଭାଟିର ସୁକାନ୍ତ ଆଚାର୍ଯ୍ୟ(୨୦) ଓ ଧନୁପାଲିରେ ରବରଷ୍ଟାମ୍ପ ଦୋକାନ ଦେଇଥିବା ସୁଶାନ୍ତ  ପ୍ରଧାନ(୪୨)। ସରଣ୍ଡା ନିକଟରେ ପୁଲିସ  ସୁକାନ୍ତର ଗାଡ଼ି ମଧ୍ୟ ଯାଂଚ କରିଥିଲା। ତା ପାଖରୁ ଏମ୍‌ଡି ଅର୍ମନ ନାମରେ ଥିବା ଆଧାର କାର୍ଡ ମିଳିଥିଲା। ବାଇକର ନମ୍ବର ପ୍ଳେଟ୍ ଜାଲ ଥିବା  ଜଣାପଡ଼ିଥିଲା।

Advertisment

ସୁକାନ୍ତକୁ ଜେରା ପରେ ସେ ସୁଶାନ୍ତ ପାଖରେ ସେସବୁ ତିଆରି କରିଥିବା ମାନିଥିଲା। ସୁଶାନ୍ତ ଜାଲ ପଟ୍ଟା, ମାଲଗୁଜାରି ରସିଦ, ଆଧାର କାର୍ଡ, ବିଭିନ୍ନ ସାର୍ଟିଫିକେଟ, ଲିଗାଲ ହେୟାର, ଇଲେକ୍ଟ୍ରି ବିଲ, ଡ଼୍ରାଇଭିଂ ଲାଇସେନ୍ସ  ତିଆରି କରୁଥିବା ଜଣାପଡ଼ିଥିଲା। ସୁକାନ୍ତ ଜରିଆରେ ସୁଶାନ୍ତ ବିଭିନ୍ନ ଲୋକଙ୍କ ଜାଲ କାଗଜପତ୍ର ତିଆରି କରି କରୁଥିଲା। ଅତାବିରା ଥାନାଧିକାରୀ ଅନିଲ ପ୍ରଧାନଙ୍କ ନେତୃତ୍ବରେ ଏସ୍‌ଆଇ ଯାଦବ ବାଗ, ଏସ୍‌ଆଇ ଅନିମା ଏକ୍କା,  ଏସ୍‌ଆଇ ବିପିନ ବାଘ, ଏଏସ୍‌ଆଇ ଲଲିତ ନାଗ ଚ‌ଢ଼ାଉ କରି ଅଭିଯୁକ୍ତଠାରୁ କମ୍ପ୍ୟୁଟର, ପିଣ୍ଟର, ସ୍କେନର, ଜାଲ ପାନ୍‌କାର୍ଡ, ଅଧାର କାର୍ଡ, ଭୋଟର କାର୍ଡ, ଜମିପଟ୍ଟା, ବିଭିନ୍ନ ସାର୍ଟିଫିକେଟ୍, ଜାଲ ନମ୍ବର ପ୍ଳେଟ ଥିବା ଏକ ବାଇକ, ୩ଟି ମୋବାଇଲ ଫୋନ୍, ନଗଦ ୮୪ ହଜାର ୪ଶହ ଟଙ୍କା ଜବତ କରିଛନ୍ତି। ଥାନାରେ  ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅମରିତ  ପଣ୍ଡା, ଥାନାଧିକାରୀ ଅନୀଲ ପ୍ରଧାନ ଘଟଣା ସଂପର୍କରେ ବିସ୍ତୃତ  ସୂଚନା ଦେଇଥିଲେ।