କଟକରେ ଚାଞ୍ଚଲ୍ୟ : ଗ୍ୟାଙ୍ଗ୍‌ଷ୍ଟର୍‌ର ପ୍ରେମିକା ଗିରଫ, ବ୍ୟବସାୟୀଙ୍କୁ ୧୦ ଲକ୍ଷ ବଟି ମାଗୁଥିଲେ

ଅସ୍ତ୍ର ଯୋଗାଣରେ ବି ସଂପୃକ୍ତ ଥିଲେ
ଜେଲ୍‌ ବାହାରେ ସମ୍ଭାଳୁଥିଲେ ଗ୍ୟାଙ୍ଗ୍!
ଶିକ୍ଷାଗତ ଯୋଗ୍ୟତା ଆଇନରେ ଡିଗ୍ରି

କଟକ-ମହାନଦୀବିହାର : ‌ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକାକୁ ଗିରଫ କରିଛି ପୁଲିସ। ବଟି ଆଦାୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା, ଅପରାଧ ଯୋଜନାକୁ ସକିଲର ନିର୍ଦ୍ଦେଶ ଅନୁସାରେ ବାସ୍ତବରୂପ ଦେଉଥିବା ଏମିତିକି ଗ୍ୟାଙ୍ଗ ସଦସ୍ୟଙ୍କ ନିକଟରେ ବଂଧୁକ ପହଞ୍ଚାଇବା ଭଳି ଅଭିଯୋଗରେ ପୁଲିସ ସକିଲର ପ୍ରେମିକା ଡେଜି ଓରଫ ନସରିନ ଖାଁ (୨୪)ଙ୍କୁ ଗିରଫ କରିଛି। ଗିରଫ ଡେଜି ହେଉଛନ୍ତି ପୁରୀଘାଟ ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳର ବାସିନ୍ଦା ୟୁସୁଫ୍ ଖାଁଙ୍କ ଝିଅ। ଡେଜି ବର୍ଷକ ତଳେ ସିଡିଏସ୍ଥିତ ଦି ଲ’ କଲେଜ‌ରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି ବୋଲି କହୁଥିବା ପୁଲିସ ସୂଚନା ଦେଇଛି। କିନ୍ତୁ ବକ୍ସିବଜ଼ାର ଛକରେ ଥିବା ଆନନ୍ଦ ସ୍ପୋର୍ଟସର ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ବଟି ମାଗିବା ଘଟଣାରେ ଡେଜିଙ୍କ ସଂପୃକ୍ତି ଧରା ପଡିବା ପରେ ଦରଘାବଜ଼ାର ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଡେଜିଙ୍କ ବିରୋଧରେ ଆଇପିସିର ଦଫା ୧୨୦-ବି (ଅପରାଧ ଷଡ଼୍‌ଯନ୍ତ୍ର), ୨୯୪ (ଗାଳିଗୁଲଜ), ୫୦୭ (ଅପରାଧ ପାଇଁ ଗୁପ୍ତରେ ଯୋଜନା), ୩୮୭ (ହତ୍ୟା ଧମକ), ୩୪ (ମିଳିତ ଭାବେ ଅପରାଧ କରିବା)ରେ ମାମଲା ରୁଜୁ କରାଯାଇଛି।

ପୁଲିସ୍‌ ଦେଇଥିବା ସୂଚନା ଅନୁଯାୟୀ ଡିସେମ୍ବର ୧୨ ଓ ୧୪ ତାରିଖ ଦିନ ଚୌଦ୍ୱାର ଜେଲରୁ ସକିଲ ଫୋନ କରି ବ୍ୟବସାୟୀ ଯୋଗେଶଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ପ୍ରଥମ ପର୍ଯ୍ୟାୟରେ ତା’ର ପରିବାର ଲୋକଙ୍କ ପାଖରେ ୫ ଲକ୍ଷ ଟଙ୍କା ପହଞ୍ଚାଇବାକୁ ଧମକ ଦେଇଥିଲା। ଏହି କାମରେ ସେ ଡେଜିଙ୍କୁ ନିୟୋଜିତ କରୁଥିଲା। ବିଭିନ୍ନ ସମୟରେ ଦୋକାନ ମାଲିକ ଫୋନ ନ ଉଠାଇଲେ ସକିଲ ନିଜ ପ୍ରେମିକା ଡେଜିଙ୍କୁ ସେହି ଦୋକାନ ପାଖକୁ ପଠାଇ ମାଲିକ ସମ୍ପର୍କରେ ବୁଝିବା ସହ ତାର ଗତିବିଧି ଉପରେ ନଜ଼ର ରଖୁଥିଲା। ସକିଲ ନିଜ ପ୍ରେମିକା ଦ୍ୱାରା ବିଭିନ୍ନ ଜାଗାରୁ ବଟି ଆଦାୟ କରୁଥିବା ପୁଲିସ ସୂଚନା ପାଇଥିବା ବେଳେ ଡେଜ଼ିଙ୍କ ଫୋନ ରେକର୍ଡରୁ ସକିଲ ନିୟମିତ ତାଙ୍କ ସହ ଯୋଗାଯୋଗରେ ରହିଥିବା ଧରାପଡିଥିଲା। ଡେଜିଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରିଛି। ସକିଲ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଭିତରେ ଯୋଗାଯୋଗ ରଖିବାରେ ଡେଜି ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଡେଜିଙ୍କୁ ଜେରା ସମୟରେ ପୁଲିସ ସକିଲ ଗ୍ୟାଙ୍ଗର ବିଭିନ୍ନ ଅପରାଧ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାକୁ ପାଇଛି। ପୂର୍ବରୁ ଏହି ଘଟଣାରେ ସକିଲର ବାପା ମହମ୍ମଦ ବାଜ଼ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରି ସାରିଛି। ଡେଜିଙ୍କୁ ରିମାଣ୍ଡରେ ଆଣି ଗ୍ୟାଙ୍ଗ ସଂପର୍କରେ ଅଧିକ ସୂଚନା ସଂଗ୍ରହ କରିବା ଯୋଜନା କରିଛି ପୁଲିସ।

ପୂର୍ବରୁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ବେଆଇନ ବନ୍ଧୁକ କାରବାର ଓ ଦାଦା ବଟି ମାଗିବା ପାଇଁ ନିୟୋଜିତ କରିବା ଘଟଣା ସାମ୍‌ନାକୁ ଆସିଥିବା ବେଳେ ରଂଜିତାଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁକୁ ଏନ୍‌କାଉଣ୍ଟର କରାଯିବା ପରେ ତାର ଅପରାଧିକ କାର୍ଯ୍ୟକଳାପରେ ଭଉଣୀ ଲଷ୍ମୀପ୍ରିୟା ମହଲା, ମା ମାଳତୀ ସାହୁ ଓ ପ୍ରେମିକା ସୁନିତା ସିଂ ସାମିଲ ଥିବା ଜଣା ପଡିଥିଲା। କଟକର ଗ୍ୟାଙ୍ଗଷ୍ଟର ଏଭଳି ନିଜ ପରିବାର ଓ ସଂପର୍କୀୟ ମହିଳାଙ୍କୁ ଅପରାଧରେ ନିୟୋଜନ କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଗୋଟିଏ ପରେ ଗୋଟିଏ ସାମ୍‌ନାକୁ ଆସିଛି।

ସମ୍ବନ୍ଧିତ ଖବର