ପାର୍ବଣ ପୂର୍ବରୁ ସୁରକ୍ଷା ଚିନ୍ତା: ଗ୍ୟାଙ୍ଗଷ୍ଟର ଭଜନା ରାଉରକେଲା ଜେଲ୍‌କୁ ସ୍ଥାନାନ୍ତର

ଧଳସାମନ୍ତ ସହଯୋଗୀ ପିନ୍ତା ଯାଇଛି ଢେଙ୍କାନାଳ, ଲିଟୁଆ ବାରିପଦା

କଟକ-ମହାନଦୀ ବିହାର : ଆସୁଛି ପାର୍ବଣ ଋତୁ। ଏ ସମୟରେ ବଟି ଆଦାୟ ଏବଂ ଅନ୍ୟ ଅପରାଧୀକ କାର୍ଯ୍ୟକଳାପ ଘଟାଇବାକୁ ଜେଲରେ ଥିବା ଅପରାଧୀମାନେ ଯେଭଳି ସମର୍ଥ ନ ହେବେ ସେ ଦିଗରେ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ପୁଲିସ ଓ ଜେଲ୍ କର୍ତ୍ତୃପକ୍ଷ। ଏବେ କଟକର ଅଧିକାଂଶ ପ୍ରମୁଖ ଗ୍ୟାଙ୍ଗଷ୍ଟର ଜେଲରେ ଥିବାରୁ ସେମାନଙ୍କୁ ଅଞ୍ଚଳରୁ ଦୂରରେ ଏବଂ ଅଲଗା ଅଲଗା ରଖିବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ଯୋଜନାରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଚାଉଳିଆଗଞ୍ଜ  ଥଟ୍ଟାରୀ ସାହି ଅଞ୍ଚଳର ଗ୍ୟାଙ୍ଗଷ୍ଟର ସଞ୍ଜୟ ସାହୁ ଓରଫ ଭଜନା(୪୭) କୁ ଆଜି କଡା ସୁରକ୍ଷା ମଧ୍ୟରେ ଚୌଦ୍ୱାର ଜେଲରୁ ରାଉରକେଲା ଜେଲକୁ ପଠାଯାଇଛି। ଭଜନାକୁ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ଓ ଦୁଇ ସେକ୍ସନ ଫୋର୍ସ ଏକ କୋର୍ଟ ଭ୍ୟାନରେ ନେଇ ରାଉରକେଲା ଯାଇଛନ୍ତି। ଆଜି ସକାଳ ପ୍ରାୟ ୮ଟା ସମୟରେ ଭଜନାକୁ ଚୌଦ୍ୱାର ଜେଲରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେ ରହୁଥିବା ସେଲରେ ଯାଞ୍ଚ କରାଯାଇଥିଲା। ସକାଳ ୯ଟା ସମୟରେ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ମେହେର, ଚାଉଳିଆଗଞ୍ଜ ଥାନା କ୍ରାଇମ ୟୁନିଟ ଏସଆଇ ମନେଶ୍ୱର ପ୍ରଧାନ ଭଜନାକୁ ରାଉରକେଲା ଜେଲରେ  ନେଇ ଛାଡି ଥିବା ସୂଚନା ମିଳିଛି।

ବହୁ ଚର୍ଚ୍ଚିତ ଦୀପୁ-ଓମ ଅପହରଣ ଓ ହତ୍ୟା ଘଟଣାରେ ଭଜନା ଅଭିଯୁକ୍ତ ଥିବା ବେଳେ ତା ବିରୋଧରେ ଚାଉଳିଆଗଞ୍ଜ ଥାନାରେ କୋଡିଏରୁ ଅଧିକ ଅପରାଧିକ ମାମଲା ରହିଛି। କିଛି ଦିନ ପୂର୍ବରୁ ଭଜନା ପାରୋଲରେ ଆସି ଦୀପୁର ବଡ଼ ଭାଇ ସରୋଜ ମଲ୍ଲିକଙ୍କୁ ସାକ୍ଷୀ ନ ଦେବାକୁ ଧମକ ଦେଇଥିଲା। ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ  ଥାନାରେ ଅଭିଯୋଗ ହେବା ପରେ ପୁଲିସ ଭଜନାକୁ ଗିରଫ କରିବା ସହ ତା ନିକଟରୁ ଏକ ମାଉଜ଼ର ଜବତ କରିଥିଲା। ଭଜନା ଜେଲରେ ରହି ବିଭିନ୍ନ ସମୟରେ ମୋବାଇଲ ବ୍ୟବହାର କରିବା ସହ ଚାଉଳିଆଗଞ୍ଜ ଅଞ୍ଚଳର କିଛି ଅପରାଧୀଙ୍କ ସହ ଯୋଗାଯୋଗରେ ରହି ଆଗକୁ ଅପରାଧ କରିବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଇତିମଧ୍ୟରେ ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ବିଡାନାସୀ ଅଞ୍ଚଳର ଲିଟୁଆ ବେହେରାକୁ ବାରିପଦା ଓ ସିଡିଏ ଅଞ୍ଚଳର ପିନ୍ତା ଓରଫ ଶୁଭେନ୍ଦୁ ଦାସକୁ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଛି। ଚୌଦ୍ବାର ଜେଲରେ ଥିବା ଆଉ ତିନି ଜଣ ଦୁର୍ଦ୍ଦାନ୍ତଙ୍କୁ ଖୁବଶୀଘ୍ର ଚୌଦ୍ୱାର ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବାର ସୂଚନା ରହିଛି।

ସମ୍ବନ୍ଧିତ ଖବର