ହାଇଦର ଫେରାର; କନେଷ୍ଟବଳଙ୍କୁ ନିଶା ଦେଇ ଏସ୍‌ସିବିରୁ ଚମ୍ପଟ ମାରିଲା ଗ୍ୟାଙ୍ଗ୍‌ଷ୍ଟର୍‌

ଜଗିଥିବା କନେଷ୍ଟବଳ ଅଚେତ ଅବସ୍ଥାରେ ଉଦ୍ଧାର
ସମ୍ବଲପୁରରୁ ଆସି ଭର୍ତ୍ତି ହୋଇଥିଲା ଏସ୍‌ସିବିରେ
ହାଇଦରକୁ ଗାଏବ୍ କରି ଦିଆଯାଇଛି: ପତ୍ନୀ ହସିନା
ଧରିବା ପାଇଁ ତନାଘନା, ୪ଟି ସ୍ବତନ୍ତ୍ର ଟିମ୍ ଗଠିତ

କଟକ : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର ଦିନ କଟକ ବଡ଼ ମେଡିକାଲରୁ ଫେରାର ହୋଇଯାଇଛି। ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାକୁ ଧରିବା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ସେ କେମିତି ଫେରାର ହେଲା? ଏହା ପଛରେ କାହାର ହାତ ରହିଛି? ଏହାକୁ ନେଇ ମାଳ ମାଳ ପ୍ରଶ୍ନ ଉଠିଥିବା ବେଳେ ହାଇଦରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାକୁ କୌଣସି ଉଦ୍ଦେଶ୍ୟରେ ଗାଏବ୍‌ କରି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ହାଇଦର ସର୍ଜରୀ ୱାର୍ଡର ତୃତୀୟ ମହଲା କ୍ୟାବିନ୍ ନମ୍ବର ୫ରେ ରହୁଥିବା ବେଳେ ଶନିବାର ସଂଧ୍ୟା ପାଖାପାଖି ୬ଟା ବେଳେ ଖସି ପଳାଇଥିବା ପୁଲିସ କହୁଛି। ସେଠାରେ ନିୟୋଜିତ ସମ୍ବଲପୁର ଜିଲ୍ଲା ପୁଲିସର କନେଷ୍ଟବଳଙ୍କୁ ଖାଦ୍ୟରେ ନିଶା ଦେଇ ସେ ଏଭଳି ଫେରାର ହୋଇଯାଇଥିବା କୁହାଯାଉଛି। ସଂପୃକ୍ତ କନେଷ୍ଟବଳଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଯାଉଛି। ହାଇଦରକୁ ଧରିବା ପାଇଁ କଟକ ପୁଲିସର ୫ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିବା ସହିତ ସହରର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇଛି। କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁର ପୁଲିସକୁ ମଧ୍ୟ ସତର୍କ କରାଯାଇ ହାଇଦରକୁ ଧରିବା ଅଭିଯାନରେ ନିୟୋଜିତ କରାଯାଇଛି। କେନ୍ଦ୍ରାପଡାରେ ଏହି ଘଟଣା ପରେ ହାଇ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ଅଞ୍ଚଳରେ ଯାଞ୍ଚ କଡାକଡି କରାଯାଇଛି। ଅନ୍ୟପ‌ଟେ ଭୁବନେଶ୍ବର ବିମାନ ବନ୍ଦରରେ ବି କଡା ନଜର ରଖାଯାଇଛି। ହାଇଦର ଝାଡ଼ଖଣ୍ଡ ଖସିଯିବା ଯୋଜନାରେ ଥିବା ବି ପୁଲିସ ସନ୍ଦେହ କରୁଛି।

ଅନ୍ୟପଟେ ହାଇଦରକୁ ବଡ ମେଡିକାଲରେ ଆଜି ଚିକିତ୍ସା କରିଥିବା ଷ୍ଟାଫ୍ ନର୍ସ ମାନସୀରାଣୀ ପାଣିଙ୍କ କହିବା ଅନୁଯାୟୀ ଆଜି ୪/୫ ଜଣ ଲୋକ ହାଇଦର ପାଖରେ ଥିଲେ। ବାହାରେ ମେଡିକାଲରେ ବି ଥିଲେ। ସେ ଔଷଧ ଦେଇ ଆସିବାର ପୁଣି କିଛି ସମୟ ପରେ ଗଲା ବେଳକୁ କନେଷ୍ଟବଳ ଏକପ୍ରକାର ବାଉଳାଚାଉଳା ସ୍ଥିତିରେ ଥିଲେ। ସେ ଠିକରେ କିଛି କହି ପାରୁ ନଥିଲେ କି ଛିଡ଼ା ହେବା ସ୍ଥିତିରେ ନଥିଲେ। ହାଇଦର ଓ ତା ସହିତ ଥିବା ୪/୫ ଜଣ ଲୋକ କ୍ୟାବିନରେ ନଥିଲେ। ଏ ସଂପର୍କରେ ତୁରନ୍ତ ମଙ୍ଗଳାବାଗ ଫାଣ୍ଡିକୁ ସୂଚନା ଦିଆଯାଇଥିଲା।

ଅନ୍ୟପଟେ ହାଇଦର ଏଭଳି ପଳାଇ ଯିବା ଘଟଣାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ତାଙ୍କର ପତ୍ନୀ ହସିନା ବିବି। ସେ କହିବା ଅନୁଯାୟୀ ହାଇଦରର ବିଭିନ୍ନ ଗୁରୁତର ଶାରୀରିକ ସମସ୍ୟା ରହିଛି। ସେ ମେଡିକାଲରୁ କୁଆଡେ ଯିବେ? ତାଙ୍କୁ ହୁଏତ କୌଣସି ଉଦ୍ଦେଶ୍ୟରେ ଗାଏବ କରି ଦିଆଯାଇଛି ବୋଲି ହସିନା ବିବି ସନ୍ଦେହ ପ୍ରକଟ କରିଛନ୍ତି।

ସମ୍ବଲପୁର ସର୍କଲ ଜେଲରେ ଥିବା ହାଇଦର୍ ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲା। ସେଠାରୁ ଗଲ ବ୍ଲାଡର ସର୍ଜରି ପାଇଁ ରେଫର୍ ହୋଇ ମାର୍ଚ୍ଚ ୨୩ ତାରିଖରେ କଟକ ବଡ ମେଡିକାଲକୁ ଆସିଥିଲା। ପ୍ରଫେସର ଭୁବନମୋହନ ଦାସଙ୍କ ଦ୍ବାରା ସେ ଚିକିତ୍ସିତ ହେଉଥିଲା। ହାଇଦରକୁ ଜଗିବା ଦାୟିତ୍ବରେ ଦୁଇଟି ସିଫ୍ଟରେ ମୋଟ ୬ ଜଣଙ୍କୁ ନିୟୋଜନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଜେଲର ୱାର୍ଡର ଥିବା ବେଳେ ଅନ୍ୟ ୫ ଜଣ ହେଉଛନ୍ତି ସମ୍ବଲପୁର ଜିଲ୍ଲା ପୁଲିସର କନେଷ୍ଟବଳ। ରାତିରେ ଦୁଇ ଜଣ ଓ ଦିନରେ ଜଣଙ୍କୁ ହାଇଦରକୁ ଜଗିବା ପାଇଁ ପ୍ରତ୍ୟେକ ଦିନ ନିୟୋଜନ କରାଯାଉଥିଲା। ଆଜି ଦିନରେ ଡ୍ୟୁଟିରେ ଥିବା କନେଷ୍ଟବଳଙ୍କୁ କୌଣସି ପ୍ରକାର ଖାଦ୍ୟ ଅଥବା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହାଇଦର ଫେରାର ହେବାରେ ସଫଳ ହୋଇଛି। କନେଷ୍ଟବଳଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି। ଏସସିବି ବଡ ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ହାଇଦର ଫେରାର ସଂପର୍କରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସର୍ଜରି ୱାର୍ଡରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ପୁଲିସ ତଦନ୍ତକୁ ଆଗକୁ ବଢାଇଛି।

ସୂଚନାଯୋଗ୍ୟ ଯେ ଗ୍ୟାଙ୍ଗଷ୍ଟର‌୍‌ ହାଇଦର ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ସର୍ବାଧିକ ସାତଟି କେସ୍‌ ଥିବା ବେଳେ ପୁରୀ ସମୁଦ୍ରକୂଳ ଥାନା, ଭୁବନେଶ୍ବର ତଥା ରାଜ୍ୟର ଅନ୍ୟ କେତେକ ଥାନାରେ ବିଭିନ୍ନ ସଂଗିନ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ତର‌୍‌ ଫିକ୍ସି˚ ଭଳି ବହୁ ସ˚ଗିନ୍‌ ଦଫାରେ ହାଇଦର‌୍‌ ବିରୋଧରେ ମାମଲା ରହିଛି। ଅନେକ ମାମଲାରୁ ହାଇଦର ଦୋଷମୁକ୍ତ ହୋଇ ସାରିଛି। କିନ୍ତୁ ୨୦୦୫ ମେ’ ୩୧ ତାରିଖରେ ଭୁବନେଶ୍ବର ଷ୍ଟୁଆର୍ଟ ସ୍କୁଲ୍‌ ନିକଟରେ ଗ୍ୟାଙ୍ଗଷ୍ଟର‌୍‌ ସେକ୍‌ ସୁଲେମାନ୍‌ର ଭାଇ ସେକ୍‌ ଚୁନା ଓରଫ୍‌ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର‌୍‌ ସମେତ ଅନ୍ୟ ସାତ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଥିଲେ। ୨୦୧୪ରେ ହାଇଦର‌୍‌ ପାରୋଲ୍‌ରେ ଆସିଥିଲା। କିନ୍ତୁ ପରବର୍ତୀ ସମୟରେ ଖଣି ମାଲିକ ରଶ୍ମିର˚ଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ହାଇଦର‌୍‌ର ସ˚ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୫ରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ-୨ ଏହି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିବା ପରେ ସେ ଝାରପଡ଼ା ଜେଲ୍‌ରେ ସଜା କାଟୁଥିଲା। କିନ୍ତୁ ଜେଲ୍‌ରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀଙ୍କ ସହିତ ଗ୍ୟାଙ୍ଗଵାର‌୍‌ ହେବା ପରେ ସୁରକ୍ଷା ଦୃଷ୍ଟିରୁ ହାଇଦରକୁ ୨୦୧୭ ମେ ୨ ତାରିଖରେ ଝାରପଡ଼ାରୁ ସମ୍ବଲପୁର ଜେଲ୍‌କୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର