ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୁଲିସ ଓ ହାଇଦ୍ରାବାଦ୍ ପୁଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। କଟକରୁ ଯାଇଥିବା ୨ଟି ପୁଲିସ ଟିମ୍ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ ରଖିଥିଲା। ଆଜି ହାଇଦର ଏକ ବାଇକ୍ରେ ଯାଉଥିବା ବେଳେ ପୁଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଗ୍ୟାଙ୍ଗ୍ଷ୍ଟର ହାଇଦର୍ କଟକସ୍ଥିତ ଏସ୍ସିବି ମେଡିକାଲର ସର୍ଜରୀ ବିଭାଗର ୫ ନମ୍ବର ୱାର୍ଡ କ୍ୟାବିନ୍ରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୁଲିସକୁ ଚକମା ଦେଖାଇ ଗତ ୧୦ ତାରିଖରେ ଫେରାର ହୋଇଯାଇଥିଲା। ହାଇଦରକୁ ଜଗିବା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ସେ ଫେରାର୍ ହୋଇଯାଇଥିଲା।
ବିଭିନ୍ନ ସଙ୍ଗୀନ ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ହାଇଦର ଆଜୀବନ ଜେଲଦଣ୍ଡ ଭୋଗୁଥିଲା। ସେବେଠାରୁ ସେ ଜେଲରେ ଦିନ କାଟୁଥିଲା। କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ନହେବାରୁ କଟକ ଏସ୍ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ହାଇଦର୍ ଫେରାର ହୋଇଯିବା ପରେ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରାଯାଇଥିଲା। ବହୁ ସଂଖ୍ୟକ ପୁଲିସ୍ ଟିମ୍ ଗଠନ କରାଯାଇ ତଲାସୀ ଅଭିଯାନ କରାଯାଉଥିଲା।
୨୦୧୮ ଜୁନ୍ ମାସରେ କେନ୍ଦ୍ରାପଡ଼ା ବାରିମୂଳ ଉପକାରଗାରରୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର୍ର ପୁଅ ସେକ୍ ଅଜୋ ଉପକାରାଗାର ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ହାଇଦର୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Hyder-Arrested_Thumbnail.jpg)