ହାଇଦରର ଖେଳ ଖତମ୍

ବାରିପଦା ଜେଲ୍‌କୁ ସ୍ଥାନାନ୍ତର ବେଳେ ସିମୁଳିଆ ନିକଟରେ ଏନ୍‌କାଉଣ୍ଟର୍‌, ବାଲେଶ୍ବର ହସ୍ପିଟାଲ୍‌ରେ ମୃତ ଘୋଷଣା

ପରିସ୍ରା ବାହାନାରେ ଖସିବାକୁ ଉଦ୍ୟମ
ବନ୍ଧୁକ ଛଡ଼ାଇବା ବେଳେ ପୁଲିସ୍‌ ସହ ଧସ୍ତାଧସ୍ତି
ପେଟ ଓ ହାତରେ ବାଜିଛି ‌ଗୁଳି

କଟକ/ବାଲେଶ୍ବର : ସାଧାରଣ ଟ୍ରଲି ଚାଳକରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ପାଲଟିଥିବା ସେକ୍ ହାଇଦର୍‌ ଯୁଗର ଅନ୍ତ ଘଟିଛି। ପୁଲିସ ଏନକାଉଣ୍ଟରରେ ଶନିବାର ତାର ମୃତ୍ୟୁ ହୋଇଛି। ଚୌଦ୍ବାର ସର୍କଲ ଜେଲରୁ ଶନିବାର ହାଇଦରକୁ କଡ଼ା ସୁରକ୍ଷା ମଧ୍ୟରେ ବାରିପଦା ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ଖସି ପଳାଇବାକୁ ସେ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ସହ ଏନକାଉଣ୍ଟର ‌ହୋଇଥିଲା।

ଦୀର୍ଘ ଦିନ ଧରି ଜେଲରେ ଥିବା ହାଇଦର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗଲା ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯିବା ଘଟଣା ପରଠାରୁ ପୁଣି ଚର୍ଚ୍ଚାକୁ ଆସିଥିଲା। କଟକ କମିସନରେଟ୍ ପୁଲିସ ତାକୁ ଏପ୍ରିଲ ୧୫ ତାରିଖରେ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦରୁ ଗିରଫ କରିଥିଲା। ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାକୁ ଚୌଦ୍ବାର ସର୍କଲ ଜେଲ ଆଇସୋଲେସନରେ ରଖା ଯାଇଥିଲା। ୬୦ ବର୍ଷୀୟ ହାଇଦର୍ ଚୌଦ୍ବାର ଜେଲରେ ପାଖାପାଖି ୧୦୦ ଦିନ ରହିଥିବା ବେଳେ ସେଠାରୁ ଅପରାଧିକ କାର୍ଯ୍ୟକଳାପ ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଥିବା ପୁଲିସ ସୂଚନା ପାଇଥିଲା। ତେଣୁ ତାକୁ ବାରିପଦା ସର୍କଲ ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଜେଲ୍ କର୍ତ୍ତୃପକ୍ଷ ଆବେଦନ କରିଥିଲେ। କୋର୍ଟର ଅନୁମତି ମିଳିବା ପରେ ଗଲା ୩ ଦିନ ତଳେ ସ୍ଥାନାନ୍ତର ପାଇଁ ପୁଲିସ ଏସକର୍ଟ ଯୋଗାଇବାକୁ ଡିସିପି ପ୍ରତୀକ ସିଂହଙ୍କୁ ଜେଲ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ।

ଯୋଜନା ଅନୁଯାୟୀ ଶନିବାର ଦିନ ପ୍ରାୟ ୧ଟା ବେଳେ ହାଇଦରକୁ ପୁଲିସ ଭ୍ୟାନରେ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ହାଇଦର ବାରିପଦା ସର୍କଲ ଜେଲରେ ପହଞ୍ଚିଥାନ୍ତା। ଏଥିପାଇଁ ବାରିପଦା ସର୍କଲ ଜେଲରେ ଏକ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ହାଇଦରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖିବାକୁ ସମସ୍ତ ପ୍ରସ୍ତୁତି ବି ସରିଥିଲା। ହାଇଦରକୁ ସ୍ଥାନାନ୍ତର ବେଳେ ସୁରକ୍ଷା ଦାୟିତ୍ବରେ ଡିଆଇବି ଇନସ୍ପେକ୍ଟର ଗଙ୍ଗାଧର ଶାସେନି, ଡିଆଇବି ଏସଆଇ ଅସିତ ଜେନା ଏବଂ ଗୋଟିଏ ସେକ୍ସନ ଫୋର୍ସ (ବନ୍ଧୁକଧାରୀ ଜଣେ ହାବିଲଦାର ଓ ୬ ଜଣ କନଷ୍ଟେବଳ) ଯାଇଥିଲେ। ଜାତୀୟ ରାଜପଥ ଉପରେ ଯାଉଥିବା ବେଳେ ବାଲେଶ୍ବରରୁ ପ୍ରାୟ ୫୦ କିମି ପୂର୍ବରୁ ସିମୂଳିଆ ନିକଟରେ ହାଇଦର୍ ପରିସ୍ରା ଯିବାକୁ ପୁଲିସ ଟିମକୁ କହିଥିଲା। ସମୟ ହୋଇଥିଲା ୩ଟା ୨୦। ପୁଲିସ ଗାଡ଼ି ଅଟକିବା ପରେ ହାଇଦର ପରିସ୍ରା କରିବାକୁ ଓହ୍ଲାଇବା ସହ ଜଣେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡ଼ାଇ ନେଇ ଖସିଯିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ପୁଲିସ ଏସଆଇ ଅସିତ ଜେନା ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇ ଥିଲେ। ହାଇଦରର ପେଟର ବାମ ପଟ ଓ ହାତର କହୁଣୀ ଉପରେ ଗୁଳି ବାଜିଥିଲା। ହାଇଦର ଦେହରେ ୪ରୁ ଅଧିକ ରାଉଣ୍ଡ ଗୁଳି ବାଜିଥିବା କୁହାଯାଉଛି। ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ହାଇଦରକୁ ଡାକ୍ତର ମୃତ ଘୋଷଣା କରିବା ପରେ ସେଠାରେ ତାକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଆସନ୍ତାକାଲି ରବିବାର ହାଇଦରର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ।

ଅନ୍ୟପଟେ ସିମୁଳିଆ ନିକଟରେ ହାଇଦର ଖସିଯିବାକୁ ଉଦ୍ୟମ କରିବା ଓ ପୁଲିସ ଏନକାଉଣ୍ଟର କରିବା ସଂକ୍ରାନ୍ତରେ କଟକ କମିସନରେଟ୍ ପୁଲିସ ଏକ ଏତଲା ଦେବ। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଦରର ମୃତ୍ୟୁ ହୋଇଥିବାରୁ ବାଲେଶ୍ବର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ଟାଉନ ଥାନା ପୁଲିସ ନିଜ ଆଡ଼ୁ ରୁଜୁ କରିଛି। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏଡିସିପି ପ୍ରମୋଦ ରଥଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଛି।

ହାଇଦରର ଏନକାଉଣ୍ଟର ସମ୍ପର୍କରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ହାଇଦରକୁ ବାରିପଦା ଜେଲକୁ ନିଆଯାଉଥିଲା। କଟକ ପୁଲିସର ଏକ ଏସକର୍ଟ ପାର୍ଟି ତାକୁ ବାରିପଦା ଜେଲକୁ ନେଉଥିବା ବେଳେ ବାଲେଶ୍ବର ଜିଲ୍ଲା ସିମୂଳିଆ ନିକଟରେ ପରିସ୍ରା କରିବାକୁ ହାଇଦର୍ ଜିଦ୍ ଧରିଲା। ପୁଲିସ ଗାଡ଼ି ଅଟକାଇବା ପରେ ହାଇଦର ଓହ୍ଲାଇବା ସମୟରେ ଏସକର୍ଟ ପାର୍ଟିର ବନ୍ଧୁକ ଛଡ଼ାଇ ଦୌଡ଼ି ଖସିଯିବାକୁ ଚେଷ୍ଟା କରିଥିଲା। ତାକୁ ରୋକିବାକୁ ବାଧ୍ୟ ହୋଇ ପୁଲିସକୁ ଗୁଳି ଚାଳନା କରିବାକୁ ପଡ଼ିଥିଲା। ପରେ ତାକୁ ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ କେହି ପୁଲିସ କର୍ମୀ ଆହତ ହୋଇନଥିବା ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ଅନ୍ୟପକ୍ଷ‌ରେ ଘଟଣାସ୍ଥଳରେ ହିଁ ହାଇଦରର ମୃତ୍ୟୁ ଘଟିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୁରକ୍ଷାକର୍ମୀ ଓ ହାଇଦର ମଧ୍ୟରେ ଧସ୍ତାଧସ୍ତି ଚାଲିବା ସମୟରେ ତାଙ୍କୁ ବାରମ୍ବାର ଚେତାବନୀ ଦେଇଥିଲା ପୁଲିସ। ହେଲେ ସେ ନଶୁଣିବାରୁ ପୁଲିସ ସୁରକ୍ଷାକର୍ମୀ ତା ଉପରକୁ ଗୁଳି ଚଳାଇଥିଲେ। ଦେହରେ ୩ଟି ଗୁଳି ବାଜିବା ପରେ ତଳେ ଲୋଟି ପଡ଼ିଥିଲା ହାଇଦର। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ବାଲେଶ୍ବର ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ଅଣାଯାଇଥିଲା। ଯଦିଓ ଚିକିତ୍ସା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ହାଇଦରକୁ ମୃତକ ଭାବେ ଗ୍ରହଣ କରିଥିଲେ, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ମୁତାବକ ବିଧିବଦ୍ଧ ମୃତ ଘୋଷଣା କରାଯାଇନଥିଲା। ସେପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ଡାକ୍ତରଖାନା ଚାରିପଟୁ ୪ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଘେରି ଯାଇଥିବା ବେଳେ ସବୁ ଥାନାର ଆଇଆଇସି ସେଠାରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ। ପାଖାପାଖି ୩ ଘଣ୍ଟା ପରେ ଡିପିଏଚ୍‌ଓ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ହାଇଦରକୁ ମୃତ ଘୋଷଣା କରିଥିଲେ।

ଗ୍ୟାଙ୍ଗଷ୍ଟର ହାଇଦର ପୂର୍ବରୁ ସମ୍ବଲପୁର ସର୍କଲ ଜେଲରେ ଥିବା ସମୟରେ ଅଣ୍ଡକୋଷ ଅପରେସନ୍ ହେବା ଦର୍ଶାଇ ତାକୁ ବୁର୍ଲା ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ଗତ ମାର୍ଚ୍ଚ ୨୩ ତାରିଖରେ ପଠାଯାଇଥିଲା। ହାଇଦର ମାର୍ଚ୍ଚ ୨୩ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ଏପ୍ରିଲ ୧୦ ତାରିଖରେ କନଷ୍ଟେବଳଙ୍କୁ ପାନୀୟରେ ନିଶା ଦେଇ ହାଇଦର୍ ବଡ଼ ଡାକ୍ତରଖାନାରୁ ଚମ୍ପଟ୍ ମାରିଥିଲା। ହାଇଦରର ସୁରକ୍ଷା ଦାୟିତ୍ବରେ କଟକ ଆସିଥିବା ସେକ୍ ମୌସିମଙ୍କ ସମେତ ସମ୍ବଲପୁର ଜିଲ୍ଲା ପୁଲିସ ଓ ଜେଲ ଓ୍ବାର୍ଡରଙ୍କୁ ମିଶାଇ ୬ ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ମୌସିମ୍ ଓ ସମ୍ବଲପୁର ଜେଲ୍ ଓ୍ବାର୍ଡର ଶିବନାରାୟଣ ନନ୍ଦଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଥିଲା। ଏହାବାଦ୍ ହାଇଦରର ଜଣେ ବାନ୍ଧବୀ ଓ ସହଯୋଗୀ ସମେତ ଧରମ ପୁଅକୁ ମିଶାଇ ପ୍ରାୟ ୭ ଜଣଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଥିଲା। କିନ୍ତୁ ହାଇଦରକୁ ବଡ଼ ମେଡିକାଲରୁ ଖସାଇବା ପରେ ତେଲେଙ୍ଗାନା ନେବା ପର୍ଯ୍ୟନ୍ତ ପୂରା ଘଟଣାରେ ସମ୍ପୃକ୍ତ ହାଇଦରର ମଝିଆ ପୁଅ ସେକ୍‌ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଓ ଆଜାରୁଦ୍ଦିନର ସହଯୋଗୀ ମଧୁପାଟଣା ତିନିଘରିଆର କାଳିଆକୁ ବର୍ତ୍ତମାନ ସୁଦ୍ଧା ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିପାରି ନାହିଁ। ସେମାନଙ୍କ ମୋବାଇଲ୍ ଲୋକେସନ୍ ମହାରାଷ୍ଟ୍ରରେ ଥିବା କୁହାଯାଉଛି। କିନ୍ତୁ ହାଇଦରର ମୃତ୍ୟୁ ପରେ କଟକ ବଡ ଡାକ୍ତରଖାନାରୁ ଫେରାର ହେବା ପଛର ଅନେକ ସୂତ୍ରଧରଙ୍କ ପର୍ଦ୍ଦାଫାସ ହୁଏତ ଆଉ ସମ୍ଭବ ନହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର