କଟକ: ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ପୁଣି ଫସିଛି ଗ୍ୟାଙ୍ଗଷ୍ଟର ସେକ୍ ସକିଲ୍‌। ଜେଲ୍‌ରୁ ଫେରି ପୁଣି ଏଭଳି ଢଙ୍ଗରେ କଟକ ସହରରେ ଆତଙ୍କ ସୃଷ୍ଟି କରୁଥିବା ସକିଲ ଓ ତାର ୫ ସହଯୋଗୀଙ୍କୁ ଉଠାଇ ନେଇଛି ପୁଲିସ। ସେମାନଙ୍କ ନିକଟରୁ ପୁଲିସ ବନ୍ଧୁକ, ଗୁଳି, ଗାଡ଼ି ସମେତ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି। ଚୌଦ୍ବାର ଜେଲରେ ଥିବା ସମୟରେ ୨୦୧୯ ଡିସେମ୍ବର ୧୨ରେ ସକିଲ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ ମାଲିକ ସୂରଜ ଅଗ୍ରଵାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ଏହି ମାମଲାରେ ୧୪ ଜଣଙ୍କୁ ଦରଘାବଜାର ଥାନା ପୁଲିସ ଗିରଫ କରିଥିଲା। ୨୦୨୦ ମାର୍ଚ୍ଚ ୧୭ରେ ଦରଘାବଜାର ବାଉଁଶଗଳିର ଜଣେ ବ୍ୟବସାୟୀଙ୍କୁ ଭିଡିଓ କଲ୍‌ରେ ୫ ଲକ୍ଷ ଟଙ୍କା ବଟି ମାଗିଥିଲା। ଏଭଳି ସ୍ଥିତିରେ ଜେଲ କର୍ତ୍ତୃପକ୍ଷ ସକିଲକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରିଥିଲେ। ସେହିବର୍ଷ ଅକ୍ଟୋବରରେ କମିସନରେଟ୍ ପୁଲିସ ତାକୁ ୩ ମାସ ଯାଏ ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ)ରେ ବୁକ୍ କରିଥିଲା। ୨୦୨୧ ଅକ୍ଟୋବର ୧୮ରେ ପୁରୀଘାଟ ଫିରିଙ୍ଗବଜାର ଅଞ୍ଚଳର ମହମ୍ମଦ ରହେମାନଙ୍କୁ ସକିଲର ଗ୍ୟାଙ୍ଗ ଶିଶୁଭବନ ପଛପଟେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ତ୍ରିଶୂଳିଆର ବର୍ଦ୍ଧନ ରିଅଲ ଇଷ୍ଟେଟ୍ କମ୍ପାନିରେ ମ୍ୟାନେଜର ଥିବା ରହେମାନଙ୍କୁ ଧମକ ଦେବା ପଛରେ ମୁଖ୍ୟ କାର୍ପଟଦାର୍ ଥିଲା ଗ୍ୟାଙ୍ଗଷ୍ଟର ସକିଲ। ଲାଲବାଗ ଥାନା ପୁଲିସ ସେହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ସକିଲର ମାମୁ ପୁଅ ଭାଇ କେଶରପୁରର କୈଫ ଖାଁ ମଙ୍ଗଳାବାଗ ଥାନା ପୁଲିସ ଦ୍ବାରା ଠକେଇ ମାମଲାରେ ଗିରଫ ହେବା ପରେ ସକିଲର ନାଁ ସାମନାକୁ ଆସିଥିଲା। ଏହି ମାମଲାରେ ଫେରାର ଥିବା ସକିଲକୁ ସଦର ଥାନା ପୁଲିସ ଶେଷ ଥର ୨୦୨୩ ଦୁର୍ଗାପୂଜା ସମୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସହିତ ମଙ୍ଗଳାବାଗ ଥାନାରେ କୈଫ ଓ ସକିଲ ବିରୋଧରେ ରୁଜୁ ହୋଇଥିବା ୫ ଟି ମାମଲାରେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ତାକୁ ରିମାଣ୍ଡ ଦେଇଥିଲା। ଏହି ମାମଲାରେ ଚୌଦ୍ବାର ଜେଲରେ ଥିବା ସକିଲ୍ ନିକଟରେ ଜେଲରୁ ଜାମିନରେ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲା। ସଦର ଅଞ୍ଚଳର ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଧମକ ଦେବା ସଂପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲା।

Advertisment

ପୁଲିସ ଏହି ଅଭିଯୋଗ ଆଧାରରେ ଗତକାଲି ରାତିରେ ଗ୍ୟାଙ୍ଗଷ୍ଟର ସକିଲ ସମେତ କାଦିର ଭଳି ଦୁର୍ଦ୍ଦାନ୍ତଙ୍କୁ ଟେକିନେଇଛି। କଟକ ସମେତ ଜଗତସିଂହପୁର, କେନ୍ଦୁଝର ଜିଲ୍ଲାରେ ପୁଲିସ ଟିମ୍ ଏକକାଳୀନ ଚଢ଼ଉ କରି ଏହି ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗଷ୍ଟର ସକିଲର ଖାସ ସହଯୋଗୀ କଂସେଇ ଗଳିର ସେକ୍ କାଦିରକୁ ମଧ୍ୟ ପୁଲିସ କାବୁ କରିଛି। କାଦିର ବିରୋଧରେ କ୍ୟାଣ୍ଟନ୍‌ମେଣ୍ଟ ଅଞ୍ଚଳର ରିକିକୁ ଗୁଳିମାଡ଼, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହଯୋଗୀଙ୍କୁ ଆକ୍ରମଣ, ଧଳସାମନ୍ତଙ୍କ ସହଯୋଗୀ ସେକ୍ଟର ୭ର ଲଲନ୍‌ ଗୁପ୍ତାଙ୍କୁ ଗୁଳିମାଡ଼, ଅନୁଗୁଳରେ ବୋମା ମାଡ଼ ଓ ଡକାୟତି ଘଟଣା ଏବ˚ ଜଗତସି˚ହପୁରର ଠିକାଦାର ଗୁଣ୍ତୁ ରାଓଙ୍କୁ ବାଉଁଶ ଗୋଲା ନିକଟରେ ଗୁଳିମାଡ଼ ଅଭିଯୋଗ ରହିଛି। ସକିଲ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ୮ଟି, ମଙ୍ଗଳାବାଗ ଥାନାରେ ୬ଟି, ମଧୁପାଟଣାରେ ଗୋଟିଏ, ମାଲଗୋଦାମରେ ୪ଟି, ପୁରୀଘାଟରେ ଗୋଟିଏ, ଦରଘାବଜାରରେ ଦୁଇଟି, ସଦର ଥାନାରେ ତିନୋଟି ମାମଲା ରହିଥିବା ସୂଚନା ମିଳିଛି।