ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ର ପ୍ରେମିକା ଗିରଫ ଘଟଣା : ସାମ୍‌ନାକୁ ଆସୁଛି ରୋଚକ ତଥ୍ୟ; ବରୁଣ, ସାହିଦ୍‌, ମିର୍ଜା ମୁଖ୍ୟ କାର୍ପଟଦାର, ସକିଲ୍‌ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଥିଲେ ଡେଜି

କଟକ : ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ର ପ୍ରେମିକା ଡେଜି ଓରଫ ନସରିନ ଖାଁଙ୍କ ଗିରଫ ଘଟଣା ପରେ ଆହୁରି ରୋଚକ ତଥ୍ୟ ସାମ୍‌ନାକୁ ଆସୁଛି। ତଥ୍ୟ ଅନୁସାରେ, ଡେଜି ଚୌଦ୍ବାର ଜେଲ୍‌କୁ ବାରମ୍ବାର ଯାଉଥିଲେ ଏବଂ ବିଭିନ୍ନ ସୂଚନା ମଧ୍ୟ ଦେଉଥିଲେ। ଆଇନରେ ଡିଗ୍ରି କରିଥିବା ଡେଜି ଏକପ୍ରକାର ସକିଲ ଏବଂ ତା’ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଥିଲେ। ସକିଲର ଖାସ୍‌ ସହଯୋଗୀ ବରୁଣ ବାବୁ, ସେକ୍‌ ସାହିଦ୍‌, ମିର୍ଜା ଅଫ୍‌ତାର‌୍‌ଙ୍କ ଭଳି ଅପରାଧୀ ଏବେ ସହରରେ ଗ୍ୟାଙ୍ଗ୍‌କୁ ନିୟନ୍ତ୍ରଣ କରୁଛନ୍ତି।

ସୂଚନା ଅନୁସାରେ, ସକିଲ୍‌ର ଅନ୍ୟତମ ସହଯୋଗୀ କୁହାଯାଉଥିବା କାଦିର‌୍‌ ଗଲା ୬ ମାସ ହେବ ସକିଲଠାରୁ ଦୂରେଇ ଯାଇ ନିଜ ଢ˚ଗରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଛି। ଅନ୍ୟପଟେ ଏବେ ସକିଲ ଗ୍ୟାଙ୍ଗ୍‌ ନିର୍ଦ୍ଦିଷ୍ଟ ୫ଟି ସ୍କୁଲ ପଡ଼ିଆରେ ପ୍ରତ୍ୟେକ ଦିନ ଦରବାର ବସାଉଛନ୍ତି। ସେଠାରୁ ବଟି କାରବାର, ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି। ଡିସେମ୍ବର ୧୯ ତାରିଖରୁ ବର୍ତ୍ତମାନ ସୁଦ୍ଧା ସକିଲ୍‌ର ବାପା ମହମ୍ମଦ ଵାଜା, ଭାଇ ମହମ୍ମଦ ଅକିଲ, ପ୍ରେମିକା ଡେଜି ଓରଫ ନସରିନ୍‌ ଖାଁଙ୍କ ସମେତ ୭ ଜଣଙ୍କୁ ଗିରଫ କରି ସାରିଲାଣି। ଏବେ ସକିଲ୍‌ ଗ୍ୟାଙ୍ଗ୍‌ର ପ୍ରମୁଖ ସଦସ୍ୟ କୁହାଯାଉଥିବା ୧୦ ଜଣଙ୍କ ତାଲିକା କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଛି। ଏମାନେ ମୁଖ୍ୟତଃ ମଙ୍ଗଳାବାଗ, କ୍ୟାଣ୍ଟନ୍‌ମେଣ୍ଟ, ଲାଲବାଗ ଓ ସଦର ଥାନା ଅଞ୍ଚଳରେ ସକ୍ରିୟ ଥିବା କୁହାଯାଉଛି।

ଏଥିସହିତ, ବାରବାଟୀ ଷ୍ଟାଡିୟମ୍‌ ନିକଟ ଉପର ପଡ଼ିଆ, ଖଟବିନ୍‌ ସାହି ଉର୍ଦ୍ଦୁ ଟ୍ରେନି˚ ସ୍କୁଲ ପଡ଼ିଆ, ଦିଵାନ୍‌ ବଜାର ଭକ୍ତ ମଧୁ ବିଦ୍ୟାପୀଠ ପଡିଆ, ସେହି ସ୍କୁଲ ନିକଟରେ ଥିବା ଏକ ପୋଖରୀ କୂଳ, ସୂତାହାଟ ନିକଟରେ ଅର୍ଦ୍ଧ ନିର୍ମିତ କୋଠାକୁ ଲାଗି କରିଥିବା ଏକ ପଡ଼ିଆରେ ମେଳି ହେଉଛନ୍ତି। ପାଖାପାଖି ଗୋଟିଏ ଗ୍ୟାଙ୍ଗ୍‌ରେ ୩୦ରୁ ୩୫ ଯୁବକ ରହୁଛନ୍ତି। ଏମାନେ କଲେଜ ଛାତ୍ର ହୋଇଥିବା ବେଳେ ନିକଟରେ ଦୁଇଟି ବଟି ଆଦାୟ ଘଟଣାରେ ସମ୍ପୃକ୍ତ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର