ଭୁବନେଶ୍ୱର : ଖୋର୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ଭାବେ ପାହାଡ଼ ଫଟାଇ ପଥର ‌ବେପାର ସମେତ ଅନ୍ୟାନ୍ୟ ବହୁ ଅପରାଧରେ ଲିପ୍ତ ଗ୍ୟାଙ୍ଗ୍‌‌ଷ୍ଟାରକୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ। ସେ ହେଉଛି, ଖୋର୍ଦ୍ଧା ସଦର ଥାନା ଅଧୀନ କୁମାରବସ୍ତର ସଞ୍ଜୟ ପାଇକରାୟ। ଗତ ୩୧ ତାରିଖ‌ରେ ତାର ମୁଖ୍ୟ ସହଯୋଗୀ ସନା ସମେତ ଅନ୍ୟମାନେ ଗିରଫ ହୋଇଥିବା ବେଳେ ଫେରାର୍‌ ସଞ୍ଜୟକୁ ଗତକାଲି ବିଳମ୍ବିତ ରାତିରେ ତା’ ଘରୁ ଗିରଫ କରାଯାଇଛି। ତା’ଠାରୁ ବିସ୍ଫୋରଣ ପାଇଁ ବ୍ୟବହାର ହେଉଥିବା ୧୦କେଜି ଆମୋନିଆ ନାଇଟ୍ରେଟ୍‌ ପାଉଡର୍‌, ଜିଲାଟିନ୍‌ ରଡ୍, ତାର, ଷ୍ଟାବଲାଇଜର୍‌ ଜବତ କରାଯାଇଛି। ପୂର୍ବାହ୍ନରେ ତାକୁ କୋର୍ଟକୁ ଚାଲାଣ କରାଯାଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବାର ଯୋଜନା ହେଉଛି।

Advertisment

ସଞ୍ଜୟ ଏକ ବେଆଇନ ଖଣି ଚଳାଇବା ସହ ତାପଙ୍ଗ ଅଞ୍ଚଳରେ ଏପରି କାରବାର ଚଳାଇବା ପାଇଁ ଆବଶ୍ୟକ ପଡ଼ୁଥିବା ବିସ୍ଫୋରକ ଓ ସୁରକ୍ଷା ଯୋଗାଇ ଆସୁଥିଲା। ଏଥିପାଇଁ ସେ ଏକ ସ୍ବତନ୍ତ୍ର ଗ୍ୟାଙ୍ଗ୍‌ ତିଆରି କରିଥିଲା। ଏହି ଗ୍ୟାଙ୍ଗ୍‌ ବିଭିନ୍ନ ବେଆଇନ ଖଣିକୁ ସୁରକ୍ଷା ଯୋଗାଇ ଆସୁଥିଲା। ପୁଲିସ ବା ଅନ୍ୟ ଅଧିକାରୀମାନଙ୍କୁ ମ୍ୟାନେଜ୍‌ କରିବା ସହ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ବା ଧମକ ଚମକ ଦେଇ ଭୟଭୀତ କରାଉଥିଲା। ଅନ୍ୟ କୌଣସି ଗ୍ୟାଙ୍ଗ୍‌ ଖଣି ଚଳାଇବାରେ ବାଧା ସୃଷ୍ଟି କଲେ ଏହି ଗ୍ୟାଙ୍ଗ୍‌ ପ୍ରତିଆକ୍ରମଣ କରି ସୁରକ୍ଷା ଦେଉଥିଲା। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ମାରଣାସ୍ତ୍ର ସଞ୍ଜୟ ହିଁ ବାହାରୁ ଆଣୁଥିଲା। ନିଜେ ବ୍ୟବହାର କରିବା ସହ ଅନ୍ୟ ସହଯୋଗୀମାନଙ୍କୁ ପ୍ରଦାନ କରୁଥିଲା। ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ମୁନରେ ଚୁପ୍‌ କରାଇବା ସହ ଦୀର୍ଘ ଦିନ ହେବ ଏହି ବେଆଇନ ବେପାରରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ତେବେ ଦୁଇଦିନ ତଳେ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଡକାୟତି ଯୋଜନା କଲା ବେଳେ ସଞ୍ଜୟର ମୁଖ୍ୟ ସହଯୋଗୀ ସମେତ ୪ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ସନାର ବୟାନକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ସଞ୍ଜୟ ଘରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଦଳ ଚଢ଼ଉ କରି ତାକୁ ଗିରଫ କରିଥିଲା।

ପଚରାଉଚରା ବେଳେ ସଂଜୟ କହିଛି, ଏଭଳି ବେଆଇନ ଖଣି ଚଳାଇବା ପାଇଁ ୨୦ଜଣ ରହିଛନ୍ତି, ଯେଉଁମାନେ ଏହି ପ୍ରକାରର ଗ୍ୟାଙ୍ଗ୍‌ ଚଳାଇଛନ୍ତି। ଅନେକ ସମୟରେ ପାହାଡ଼ ସୀମାକୁ ନେଇ ବିବାଦ ହୋଇ ଗ୍ୟାଙ୍ଗ୍‌ୱାର ହୋଇଥାଏ। ଅନେକ ସମୟରେ ଗ୍ୟାଙ୍ଗ୍‌ ମଧ୍ୟରେ କଥାବାର୍ତ୍ତା ହୋଇ ନିଜ ନିଜ ସୀମାରେ ରହି ଏମାନେ ଏହି ବେଆଇନ କାରବାର କରିଥା’ନ୍ତି। ଉକ୍ତ ୨୦ ଜଣଙ୍କୁ ଏସ୍‌ଟିଏଫ୍‌ ଚିହ୍ନଟ କରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।