ଗ୍ୟାଙ୍ଗଷ୍ଟର ସକିଲର ରଂଗିନ ଜୀବନ, ଆଉ ଜଣେ ପ୍ରେମିକା ଗିରଫ

ଗିରଫ ରେଶମ୍ ହୋଇଥା’‌ନ୍ତେ ଏୟାର ହୋଷ୍ଟେସ୍

କଟକ: ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ପ୍ରେମିକା ରେଶମ୍ ଓରଫ ନସିମ୍ ଓରଫ ନିଖତ ନସିମ୍ (୨୫)ଙ୍କୁ ଗିରଫ କରିଛି ପୁଲିସ। ରେଶମ ଗିରଫ ହେବା ଘଟଣା କେବଳ ସକିଲର ରଂଗିନ ଜୀବନର ନୂଆ ଫର୍ଦ୍ଦକୁ ଉନ୍ମୋଚନ କରୁନାହିଁ, କଟକ ଅପରାଧ ଦୁନିଆରେ ଶିକ୍ଷିତ ମହିଳାଙ୍କ ସଂପୃକ୍ତିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆଣିଛି। ଗିରଫ ରେଶମ୍ ବିଏ ପାସ୍ କରିବା ପରେ ଏୟାର ହୋଷ୍ଟେସ୍ ଶିକ୍ଷା ‌‌ଶେଷ କରିଥିଲେ ଏବଂ ଏକ ସଂସ୍ଥାରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲେ। ଖୁବ୍‌ ନିକଟରେ ସେ ଚାକିରିରେ ଯୋଗ ଦେବାର ଥିଲା। ସକିଲର ସହଯୋଗୀ ତଥା ପ୍ରେମିକା କୁହାଯାଉଥିବା ଡେଜି ଓରଫ ନସରିନ୍ ଖାଁ (୨୪) ଗଲା ୧ ତାରିଖରେ ଗିରଫ ହୋଇଥିବା ବେଳେ ଦିନକ ପରେ ରେଶମ ଗିରଫ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁଯାୟୀ ଗଲା ପ୍ରାୟ ୫ ବର୍ଷ ହେବ ରେଶମ୍ ସକିଲର ସଂପର୍କରେ ଥିଲେ। ଉଭୟ ଡେଜି ଓ ରେଶମ ସକିଲକୁ ଭଲ ପାଉଥିବା ବେଳେ ସକିଲ କିନ୍ତୁ ରେଶମଙ୍କୁ ବିବାହ କରିବା ପାଇଁ ଯୋଜନାରେ ଥିଲା। ଜେଲରୁ ମୁକୁଳିବା ପରେ ସକିଲ ରେଶମଙ୍କୁ ବିବାହ କରିଥା’ନ୍ତେ ବୋଲି ଏବେ ଶୁଣିବାକୁ ମିଳୁଛି।

ଖବର ଦେବାନେବାରେ ଥିଲା ପ୍ରମୁଖ ଭୂମିକା
ଚୌଦ୍ବାର ଜେଲ୍‌ରେ ଏବେ ସକିଲ ସହ ତା’ର ବାପା ଓ ଦୁଇ ପ୍ରେମିକା

ଡେଜି ଓ ପରେ ପରେ ରେଶମ ଗିରଫ ହେବା ପରେ ସକିଲର ନୂଆ ଢଙ୍ଗରେ ଅପରାଧ ସାମ୍ରାଜ୍ୟ ବିସ୍ତାର ଯୋଜନାର ବ୍ଲୁ’ ପ୍ରିଣ୍ଟ ପୁଲିସ ହାତରେ ଲାଗିଛି। ସକିଲ ଶିକ୍ଷିତ ଯୁବତୀ ଏବଂ କଲେଜ ଛାତ୍ରଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରି ସାମ୍ରାଜ୍ୟ ବିସ୍ତାର ଯୋଜନାରେ ରହିଛି। ଆଜି ଗିରଫ ହୋଇଥିବା ରେଶମ ବି ସକିଲ ସହିତ ଫୋନରେ ନିୟମିତ ଯୋଗାଯୋଗରେ ରହିଥିଲେ। ସକିଲକୁ ଗୁପ୍ତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଖବର ଦେବାନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ରେଶମ ନିଜର ଏକ ଗୋଷ୍ଠୀ ତିଆରି କରିବା ସହିତ ବିଭିନ୍ନ ଲୋକଙ୍କ ସଂପର୍କରେ ସକିଲକୁ ତଥ୍ୟ ଦେଉଥିବା ପୁଲିସ ସୂଚନା ଦେଇଛି। ବକ୍ସିବଜାର ଆନନ୍ଦ ସ୍ପୋର୍ଟସର ମାଲିକ ଯୋଗେଶ ଅଗ୍ରୱାଲ ଓ ତାଙ୍କ ଭାଇ ସୂରଜ ଅଗ୍ରୱାଲଙ୍କୁ ସକିଲ ନିର୍ଦ୍ଦେଶରେ ତାର ସହଯୋଗୀମାନେ ବଂଧୁକ ଦେଖାଇ ଧମକ ଦେବା ଏବଂ ୧୦ ଲକ୍ଷ ଟଙ୍କା ବଟି ମାଗିବା ଘଟଣାରେ ରେଶମଙ୍କୁ ଅନ୍ୟତମ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ମଙ୍ଗଳାବାଗ ଥାନା କେଶରପୁର ଅଞ୍ଚଳର ସେକ୍ ନସିମଙ୍କ ଝିଅ ରେଶମଙ୍କୁ ଦରଘା ବଜାର ଥାନା ପୁଲିସ ଏହି ଘଟଣାରେ ୮ମ ଅଭିଯୁକ୍ତ ଭାବେ ଦର୍ଶାଇଛି। ପୂର୍ବରୁ ଏହି ଘଟଣାରେ ସକିଲର ବାପା ମହମ୍ମଦ ବାଜ, ପ୍ରେମିକା ଡେଜି ଓରଫ ନସରିନ୍ ଖାଁ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ରେଶମକୁ ଗିରଫ କରାଯାଇଛି।‌ ରେଶମଙ୍କୁ ଆଜି ପୁଲିସ ଅଦାଲତରେ ହାଜର କରିଥିବାବେଳେ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଏବେ ଚୌଦ୍ବାର ଜେଲରେ ସକିଲ ସହିତ ତା’ର ବାପା ଏବଂ ଦୁଇ ପ୍ରେମିକା ବି ରହିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର