ପୁଲିସ, ଜେଲ୍ ଅଧିକାରୀଙ୍କୁ ଚାଲେଞ୍ଜ : ଚୌଦ୍ୱାର ଜେଲ୍‌ରେ ସକିଲ୍‌ର ସେଲ୍‌ଫି

ଡେଜି ଓ ରେଶମଙ୍କ ପରେ ତୃତୀୟ ବାନ୍ଧବୀ ପୁଲିସ ନଜରରେ

କଟକ : ପୁଣି ଚୌଦ୍ୱାର ଜେଲରୁ ଭାଇରାଲ ହୋଇଛି କଏଦୀଙ୍କ ସେଲ୍‌ଫି। ସିଏ ପୁଣି ବର୍ତ୍ତମାନ ସମୟର ସବୁଠୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର‌୍‌ ସକିଲ୍‌ର। ସକିଲ ଅନ୍ୟ ୬ ଜଣ କଏଦୀଙ୍କ ସହ ସେଲଫି ଉଠାଇଥିବାବେଳେ ଏହି ଫଟୋ ଏବେ ଭାଇରାଲ ହୋଇଛି। ଗୋଟିଏ ପଟେ ସକିଲ ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ବଟି ପାଇଁ ଧମକ ଦେଉଛି। ଅନ୍ୟପଟେ, ବଟି ମାଗିବା ଅଭିଯୋଗରେ ତା’ର ୨ ପ୍ରେମିକାଙ୍କୁ ପୁଲିସ୍‌ ଗିରଫ କରିସାରିଛି। କିନ୍ତୁ ଏତେ ସବୁ ହଟଚମଟ ପରେ ବି ସକିଲ କିଭଳି ଜେଲର ସେଲ୍ ଭିତରେ ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରୁଛି, ତାହା ଅନେକଙ୍କୁ ଚକିତ କରିଛି। ପୁଲିସ ଓ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଏହା ସକିଲର ଖୋଲା ଚାଲେଞ୍ଜ ବୋଲି କୁହାଯାଉଛି।

ଚୌଦ୍ୱାର ସର୍କଲ୍‌ ଜେଲ୍‌ର ସେଲ୍‌ରେ ସକିଲକୁ ଏକୁଟିଆ ରଖାଯାଇଛି। ତା ଉପରେ ଦୁଇ ଜଣ ଵାର୍ଡର‌୍‌ ୨୪ ଘଣ୍ଟିଆ କଡ଼ା ନଜର ରଖିଥିବା ଜେଲ୍‌ ଅଧୀକ୍ଷକ ଗଲା ୨୬ ତାରିଖରେ ‘ସମ୍ବାଦ’ରେ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆଜି ସକିଲ୍‌ର ଅନ୍ୟ ୬ ଅପରାଧୀଙ୍କ ସହିତ ସେଲ୍ଫି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଚୌଦ୍ବାର ସର୍କଲ୍‌ରେ ଜେଲ୍‌ରେ ନିର୍ଦ୍ଦିଷ୍ଟ ଜଣେ ଅଫିସର ଗ୍ୟାଙ୍ଗଷ୍ଟର‌୍‌ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମୋବାଇଲ୍‌ ଯୋଗାଉଥିବା ସମ୍ପର୍କିତ ଅଭିଯୋଗ ହୋଇ ଆସୁଥିବା ବେଳେ ସକିଲର ସେଲ୍‌ଫି ଭାଇରାଲ ତାହା ପ୍ରମାଣିତ କରିଛି। ଗଲା ଡିସେମ୍ବର ୧୨ ତାରିଖରେ ଯୋବ୍ରା ନଦୀକୂଳ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ହାପି ଓରଫ ବିଶ୍ବଜିତ ମହାନ୍ତି ଅନ୍ୟ ୫ ଜଣ କଏଦୀଙ୍କ ସହିତ ଵାର୍ଡ ନମ୍ବର ୫ର ଭିତରେ ଓ ବାହାରେ ମଉଜ କରୁଥିବା ଫଟୋ ଭାଇରାଲ୍‌ ହୋଇଥିଲା।

ଏଭଳି ଘଟଣା ଭିତରେ ଆଜି ସକିଲ୍‌ର ତୃତୀୟ ବାନ୍ଧବୀ ସମ୍ପର୍କରେ କମିସନରେଟ୍‌ ପୁଲିସ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ସକିଲ ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ ପୁଲିସ ଗିରଫ କରିବା ପରେ ନିଜ ୩ ଗାର୍ଲଫ୍ରେଣ୍ତଙ୍କୁ ସକିଲ୍‌ ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରିଥିବା ସମ୍ପର୍କରେ ପୁଲିସ ସୂଚନା ପାଇଛି। ଏ ସମ୍ପର୍କରେ ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ସକିଲ୍‌ର ସହଯୋଗୀଙ୍କୁ ଗିରଫ କରିବା ପରେ ସେ ଯୁବତୀଙ୍କୁ ଅପରାଧରେ ବ୍ୟବହାର କରିବା ଆରମ୍ଭ କରିଦେଲା। ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ ଏକାଠି କରି ଅପରାଧ କାର୍ଯ୍ୟକଳାପରେ ନିୟୋଜିତ କରୁଥିଲା ସକିଲ୍‌। ଗିରଫ ହୋଇଥିବା ଯୁବତୀ ଦୁଇ ଜଣ ଜେଲ୍‌ରେ ତାକୁ ଭେଟିବାକୁ ଯାଆନ୍ତି। ଆନନ୍ଦ ସ୍ପୋର୍ଟସରେ ଯେଉଁ ଦୁର୍ବୃତ୍ତ ବନ୍ଧୁକ ଦେଖାଇଥିଲା, ତାକୁ ଗାର୍ଲଫ୍ରେଣ୍ତ ହିଁ ବନ୍ଧୁକ ଯୋଗାଇ ଥିଲେ। ବନ୍ଧୁକ ଦେଖାଇଥିବା ଅପରାଧୀ ବର୍ତ୍ତମାନ ସୁଦ୍ଧା ବନ୍ଧୁକ ଧରି ଫେରାର ଅଛି। ଆହୁରି ୩ ଜଣ ଗ୍ୟାଙ୍ଗ ସଦସ୍ୟ ଫେରାର ଅଛନ୍ତି। ସକିଲ୍‌ର ଯେଉଁ ତୃତୀୟ ଯୁବତୀଙ୍କ ସହିତ ସମ୍ପର୍କ ଥିବା କୁହାଯାଉଛି, ତାଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କିତ ପ୍ରମାଣ ହସ୍ତଗତ ହୋଇନାହିଁ। ସେଭଳି ସମ୍ପୃକ୍ତି ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଲ୍‌ରୁ ଭିଡିଓ କଲ୍‌ କରି ଧମକ ଦେବା ସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି। ପୂର୍ବରୁ ଜେଲ୍‌ରେ ଚଢ଼ଉ ହୋଇଥିବା ବେଳେ କିଛି ମିଳିନଥିଲା। ଭବିଷ୍ୟତରେ ପୁଣି ଚଢ଼ଉ ଯୋଜନା କରାଯାଉଥିବା ଡିସିପି ଶ୍ରୀ ସି˚ହ କହିଛନ୍ତି। ଅନ୍ୟପଟେ ଜେଲ୍‌ ଅଧୀକ୍ଷକ ରାଜ କିଶୋର ସାହୁ କହିଛନ୍ତି, ‘ସକିଲ୍‌ ଏ ସେଲ୍ଫି ମୋ ସମୟରେ ଉଠାଇ ନାହିଁ। ଗଲା ୪ ମାସ ତଳେ ୧ ନମ୍ବର ଵାର୍ଡରେ ଅନ୍ୟ କଏଦୀଙ୍କ ସହିତ ସକିଲ୍‌ ଥିଲା ବେଳେ ଉଠାଯାଇଛି। ସେଲ୍ଫିରେ ଥିବା ସମସ୍ତ କଏଦୀ ଏବେ ଅଲଗା ରହୁଛନ୍ତି।

ଏବେ ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ ସକିଲ୍‌ ସମେତ ୮ରୁ ଅଧିକ ସମ୍ପର୍କୀୟ ଓ ଗ୍ୟାଙ୍ଗ ସଦସ୍ୟ ଥିବାରୁ ବଡ଼ ଧରଣର ଅପରାଧ ଷଡ଼ଯନ୍ତ୍ର ଜେଲ୍‌ ଭିତରେ କରୁଥିବା ଆଶଙ୍କା କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ ଦଶହରା ସମୟରେ ଦୁର୍ଦ୍ଦାନ୍ତ ରାଜା ଓ ହାଡ଼ିଆଙ୍କ ସେଲ୍ଫି, ୨୦୧୮ ଡିସେମ୍ବର ୨ ତାରିଖରେ ଗ୍ୟାଙ୍ଗଷ୍ଟର‌୍‌ ଧଳସାମନ୍ତଙ୍କ ସହଯୋଗୀ ଦେବାଶିଷ ସାହୁ ଓରଫ ଗୁଡ଼ୁ, ଦେବବ୍ରତ ଦାସ ଓରଫ ଲିପୁ ଏବ˚ ଭାରତ ବେହେରା ଓରଫ ଲିଟୁଙ୍କ ସେଲ୍ଫି ଏବ˚ ଗଲା ଡିସେମ୍ବର ୧୨ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ହାପି ଓରଫ ବିଶ୍ବଜିତ ମହାନ୍ତି ଅନ୍ୟ ୪ ସହଯୋଗୀଙ୍କ ସହିତ ସେଲ୍ଫି ଜେଲ ଭିତରୁ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର