କଟକ: ପୁଣି ଜେଲ୍କୁ ଫେରିଯିବ ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ। ତାକୁ ବର୍ତ୍ତମାନ ଆଉ ଏସ୍ସିବି ମେଡିକାଲରେ ରଖିବାର ଆବଶ୍ୟକତା ନାହିଁ। ତାକୁ ବିଭିନ୍ନ ଚିକିତ୍ସା ପରାମର୍ଶ ଦେଇ ଆସନ୍ତାକାଲି ଜେଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରି ଦିଆଯିବ ବୋଲି ସୂଚନା ମିଳିଛି। ସୁଶାନ୍ତର ଚିକିତ୍ସା ପାଇଁ ୬ ଜଣିଆ ବିଶେଷଜ୍ଞ ଟିମ୍ ଗଠନ ହୋଇଥିବା ବେଳେ ଆସନ୍ତାକାଲି ତାର ସ୍ବାସ୍ଥ୍ୟ ଯାଞ୍ଚ କରି ଜେଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରି ଦିଆଯିବ। ସୁଶାନ୍ତର ବହୁବିଧ ଶାରୀରିକ ସମସ୍ୟା ରହିଥିବାରୁ ସେ କି ଔଷଧ ଖାଇବ ଓ କିଭଳି ତାର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ, ସେ ସଂପର୍କରେ ଏହି ଟିମ ପରାମର୍ଶ ଦେଇଛନ୍ତି। ଏବେ ସୁଶାନ୍ତର ଆଖିକୁ ଠିକ୍ରେ ଦେଖା ଯାଉନଥିବା ବେଳେ ତାର ମଧୁମେହ ତଥା ଅନ୍ୟ ସମସ୍ୟା ବି ରହିଛି। କିନ୍ତୁ ବର୍ତ୍ତମାନ ତାକୁ ଆଉ ଅଧିକ ଦିନ ହସ୍ପିଟାଲରେ ରଖିବାର ଆବଶ୍ୟକତା ନଥିବା କୁହାଯାଉଛି।
ସୁଶାନ୍ତ ଓ ତାର ଭାଇ ସୁଶୀଲ ଧଳସାମନ୍ତ ୨୦୧୬ରେ କଟକ ପୁଲିସ ଦ୍ବାରା ଭୁବନେଶ୍ବରରୁ ଗିରଫ ହେବା ପରେ ଜେଲ୍ରେ ଅଛନ୍ତି। ସେମାନଙ୍କୁ ଅଲଗା ଅଲଗା ଜେଲ୍ରେ ରଖାଯାଉଛି। ସୁଶାନ୍ତ ଏବେ ବଲାଙ୍ଗୀର ଜେଲ୍ରେ ରହୁଥିବା ବେଳେ ସେ ଅସୁସ୍ଥ ହୋଇ ପଡିବାରୁ ତାକୁ ଗଲା ୨୧ ତାରିଖ ବିଳମ୍ବିତ ରାତିରେ ଭୀମ୍ସାରରୁ ଆଣି କଟକ ବଡ ଡାକ୍ତରଖାନା ହୃଦ୍ରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସିତ ହେଉଥିବା ସୁଶାନ୍ତର ଚିକିତ୍ସା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଏସ୍ସିବି ମେଡିକାଲ ପକ୍ଷରୁ ହୃଦ୍ରୋଗ, ନେଫ୍ରୋଲୋଜି ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଡାକ୍ତରଙ୍କୁ ନେଇ ୬ ଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ହୃଦ୍ରୋଗ ବିଭାଗରୁ ୪ଜଣ ଓ ଅନ୍ୟ ଦୁଇ ବିଭାଗରୁ ଜଣେ ଲେଖାଏ ଡାକ୍ତର ରହିଥିଲେ।
ଅନ୍ୟପଟେ କିନ୍ତୁ ସୁଶାନ୍ତ ଧଳସାମନ୍ତର ବାପା ସରୋଜ ଧଳସାମନ୍ତ ତାଙ୍କ ପୁଅର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ତାଙ୍କ ପୁଅକୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥିବା ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ନେଇ ଚିକିତ୍ସା ପାଇଁ ଅନୁମତି ଦେବାକୁ ସେ ମାମଲା ଦାୟର କରିଛନ୍ତି। ସେ ନିଜ ଖର୍ଚ୍ଚରେ ସେଠାରେ ଚିକିତ୍ସିତ ହେବେ ବୋଲି ମଧ୍ୟ ଦର୍ଶାଇଛନ୍ତି। ସେହି ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ ବି ଚୂଡାନ୍ତ ଶୁଣାଣି ହୋଇନାହିଁ। ଏଭଳି ସ୍ଥିତିରେ ସୁଶାନ୍ତକୁ ପୁଣି ଜେଲ୍କୁ ପଠାଇ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି।