ଜାଲ୍‌ ଆକାଉଣ୍ଟରେ ଟିଟୋ ନେଉଥିଲା ବଟି : ବିଭିନ୍ନ ବ୍ୟାଙ୍କରେ ରହିଛି ଶହେରୁ ଅଧିକ ଆକାଉଣ୍ଟ୍‌, ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଭିଜିଲାନ୍ସ ଛାନଭିନ୍‌

ଚିଙ୍ଗୁଡ଼ି ଘେରି ବ୍ୟବସାୟରେ ବି ସଂପୃକ୍ତି!

ଜଗତସିଂହପୁର/ରାଜନଗର/କେନ୍ଦ୍ରାପଡ଼ା : କୌଣସି ପ୍ରମାଣ ନରଖି ବଟି ଆଦାୟ କରିବାରେ ବି ମାଷ୍ଟର ଥିଲା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ। ଲୋକଙ୍କ ଅଜାଣତରେ ତାଙ୍କ ନାମରେ ଜାଲ ପ୍ରମାଣପତ୍ର ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉଥିଲା। ସେଥିରେ ବଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। ଟଙ୍କା ଜମା ହେବା ପରେ ତାହାକୁ ଉଠାଇ ନିଆଯାଉଥିଲା। ଅଧିକାଂଶ କ୍ଷେତ୍ରରେ ଗୋଟିଏ ଥର ବଟି ପାଇଁ କେବଳ ଗୋଟିଏ ଆକାଉଣ୍ଟକୁ ବ୍ୟବହାର କରାଯାଉଥିଲା। ଫଳରେ ବଟି କିଏ ନେଉଛି, କାହିଁକି ନେଉଛି, ତାହାର କିଛି ତଥ୍ୟ ପ୍ରମାଣ ରଖିବା ସହଜ ହେଉ ନଥିଲା। ଗ୍ୟାଙ୍ଗଷ୍ଟର ଟିଟୋର ଏଭଳି ନୂଆ ଢଙ୍ଗରେ ବଟି ଆଦାୟ କାରନାମା ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ ହୋଇଛି। ବିଭିନ୍ନ ବ୍ୟାଙ୍କରେ ଏଭଳି ଶହେରୁ ଅଧିକ ଜାଲ୍‌ ଆକାଉଣ୍ଟ୍‌ ଖୋଲା ଯାଇଥିବାର ସୂଚନା ମିଳିଛି।

ସୂଚନା ଅନୁଯାୟୀ ପାରାଦୀପର ବଡ଼ ବ୍ୟବସାୟୀ, ଠିକାଦାର, ଯନ୍ତ୍ରୀ, କଂପାନି ଅଧିକାରୀ, ମଦ ବ୍ୟବସାୟୀଙ୍କ ଠାରୁ ନିୟମିତ ବଟି ଆଦାୟ କରାଯାଉଥିଲା। କୌଣସି ଟେଣ୍ଡର ଅଥବା ନୂଆ କାମ ଆରମ୍ଭ ହେଲେ ସେଥିରେ ସଂପୃକ୍ତ ବ୍ୟକ୍ତି କେତେ ଟଙ୍କା ବଟି ଦେବେ ତାହା ନିଷ୍ପତ୍ତି ନେଉଥିଲା ଟିଟୋ। ଫୋନ୍‌ରେ ସଂପୃକ୍ତ ବ୍ୟବସାୟୀ, ଠିକାଦାର ଅଥବା ଅଧିକାରୀଙ୍କୁ ଟିଟୋର ଧମକ ଆସୁଥିଲା। ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କୁହାଯାଉଥିଲା। ପୁଲିସ ଗୋଟିଏ ଘଟଣାର ତଦନ୍ତ କରିବାକୁ ଯାଇ କେବଳ ବଟି ଆଦାୟ ପାଇଁ ଖୋଲା ଯାଉଥିବା ବେନାମୀ ଆକାଉଣ୍ଟ ସଂପର୍କରେ ତଥ୍ୟ ସଂଗ୍ରହ କରିଛି।

ଅନ୍ୟପଟେ ପୁଲିସ ରିମାଣ୍ଡରେ ଥିବା ଟିଟୋ ଓ ତାର ସହଯୋଗୀ ମାଛୁ ଓରଫ ସୟଦ ଆଦାସୁଦ୍‌ କାଦିରକୁ ଆଜି ରାଜନଗର ଜେ.ଏମ୍‌.ଏଫ୍‌.ସି. କୋର୍ଟରେ ହାଜର କରାଯାଇଥିଲା। ରିମାଣ୍ଡ ଶେଷ ହୋଇଥିବାରୁ ଉଭୟଙ୍କୁ କେନ୍ଦ୍ରାପଡା ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା। ରିମାଣ୍ଡ୍‌ ଜେରା ସମୟରେ ଉଭୟଙ୍କଠାରୁ ଦାଦାବଟି ଓ ଟେଣ୍ଡର ଫିକ୍ସିଂ ସଂପର୍କରେ ଏସ୍‌.ଟି.ଏଫ୍‌. ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ମିଳିଥିବା ତଥ୍ୟ ଆଧାରରେ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଜେରା କରିବାକୁ ପୁଲିସ୍‌ ଯୋଜନା କରୁଛି। ସାରଥି ଘଟଣାରେ ସାମନାକୁ ଆସିଥିବା ଜଣେ ଠିକାଦାର ଟିଟୋ ଲିଙ୍କରେ ରହି ଶହ ଶହ କୋଟି ଟଙ୍କାର କାମ ହାତେଇଥିବା ତଥ୍ୟ ମିଳିଥିବା ବେଳେ ସେ ଖୁବ୍‌ଶୀଘ୍ର ଜେରାର ସମ୍ମୁଖୀନ ହେବ ବୋଲି ସୂଚନା ମିଳିଛି। ଟିଟୋର ୩ ଭାଇ ସପୋ, ଜି.ବାବୁ, ଜୁଲୁ ଟେଣ୍ଡର ଫିକ୍ସିଂରେ ଟିଟୋର ମୁଖ୍ୟ କାର୍ପଟଦାର ସାଜିଥିବା ବେଳେ ଏବେ ସେମାନଙ୍କୁ ଧରିବାକୁ ଏସଟିଏଫ୍‌ ଉଦ୍ୟମ କରୁଛି।

ଟିଟୋର ଅର୍ଥ କାରବାର ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଡିଏସ୍‌ପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍‌ କେନ୍ଦ୍ରାପଡ଼ା ଷ୍ଟେଟ୍‌ବ୍ୟାଙ୍କ୍‌ର ମୁଖ୍ୟ ଶାଖାରେ ପହଁଚି ଛାନଭିନ୍‌ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁଙ୍କୁ ଭେଟି ଟିଟୋ ଓ ତା ସମ୍ପର୍କୀୟଙ୍କ ନାମରେ ଥିବା ଆକାଉଣ୍ଟ୍‌ ସଂପର୍କରେ ଖୋଳତାଡ କରିଥିଲେ। ଟିଟୋ ସଂପର୍କରେ ଥିବା ସନ୍ଦେହରେ ହାବିଲଦାର ତ୍ରୈଲୋକ୍ୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିବା ବେଳେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି। ଏଯାଏ କେବଳ ଟିଟୋ ଓ ପତ୍ନୀ ବେନଜିର ବିବିଙ୍କ ନାମରେ ଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଗୁଡ଼ିକୁ ସିଜ୍‌ କରାଯାଇଛି। କିନ୍ତୁ ଅନେକ ଜାଲ୍‌ ଆକାଉଣ୍ଟରେ ଟିଟୋ କାରବାର ଚାଲିଥିବା ଜଣା ପଡିବା ପରେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଟିଟୋର ସମ୍ପର୍କିୟଙ୍କ ନାମରେ ଋଣ ଉଠାଯାଇ ୨୧ ଲକ୍ଷ ଟଙ୍କାର ହାର୍ଲେ ଡାଭିଡ୍‌ସନ୍‌ ବାଇକ୍‌ ଓ ସୌଖୀନ କାର୍‌ ଜାଗୁଆର, ଟ୍ରାକ୍ଟର ସୋ ରୁମ୍‌ ଇତ୍ୟାଦି ଖୋଲା ଯାଇଥିବାରୁ ତାହାର ଖୋଳତାଡ଼ କରାଯାଇଛି।

ଅନ୍ୟପଟେ ଟିଟୋର ବିଶ୍ୱସ୍ତ ସହଯୋଗୀ ମାଛୁ ଓରଫ୍‌ ସୟଦ୍‌ ଆଦାସୁଦ୍‌ କାଦିରକୁ ଆଜି କୋର୍ଟରେ ହାଜର କରାଯାଇଥିଲା।

ଚିଙ୍ଗୁଡ଼ି ଘେରି ବ୍ୟବସାୟରେ ବି ସଂପୃକ୍ତି!

ପୁରୀ : ଗ୍ୟାଙ୍ଗଷ୍ଟାର ଟିଟୋର ଚେର ଖାଲି କେନ୍ଦ୍ରାପଡା, ପାରାଦୀପ, ଯାଜପୁର, କଟକ ଜିଲ୍ଲାରେ ସୀମିତ ରହିନି, ପୁରୀ ଜିଲ୍ଲାକୁ ବି ଖେଦିଛି। ଅସ୍ତରଙ୍ଗ ଚିଙ୍ଗୁଡି ଘେରି ବ୍ୟବସାୟରେ ଟିଟୋର ସଂପୃକ୍ତି ଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ତନାଘନା। ଟିଟୋର କିଛି ତଥାକଥିତ ସହଯୋଗୀ ଅସ୍ତରଙ୍ଗର କଣମଣ ଅଞ୍ଚଳରେ ପ୍ରାୟ ୨୦ ଏକରରୁ ଅଧିକ ଘରୋଇ ଓ ସରକାରୀ ଜମିରେ ଚିଙ୍ଗୁଡି ଘେରି କରିଥିବା ସୂଚନା ମିଳିବା ପରେ ଏସ୍‌ଟିଏଫ୍‌ ଏହା ଭିତରେ ପଶି ଖୋଳତାଡ଼ କରିବ ବୋଲି ଜଣାଯାଇଛି। କେନ୍ଦ୍ରାପଡାର ଦୁଇ ଜଣ ବ୍ୟକ୍ତି ଏହି ଚିଙ୍ଗୁଡି ଘେରି ଖୋଳିଥିଲେ। ତେବେ ଗ୍ୟାଙ୍ଗଷ୍ଟାର ଟିଟୋ ଗିରଫ ହେବା ଦିନଠାରୁ ଏହି ଦୁଇ ବ୍ୟକ୍ତି ରହସ୍ୟଜନକ ଭାବେ ଘେରି ଛାଡି ଫେରାର ହୋଇଯିବା ପଛରେ ଟିଟୋ ଲିଙ୍କ୍‌ ଥିବା ସନ୍ଦେହ ଦୃୃଢୀଭୂତ ହୋଇଛି। ଏହି ସବୁ ଚିଙ୍ଗୁଡ଼ି ଘେରି ଖୋଳାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଚିଙ୍ଗୁଡି ଘେରିରେ ଜାଆଁଳ ନ ଛାଡି ଘେରି, ଜାଲ ଓ ଅନ୍ୟ ସବୁ ଆନୁସଂଗିକ ଜିନିଷ ଛାଡି ଏହାର ମାଲିକ କାହିଁକି ଉଭାନ୍‌ ହୋଇଗଲେ, ଏହା ପଛର କାରଣ କ’ଣ, କେନ୍ଦ୍ରାପଡାର ଏହି ଦୁଇ ମାଲିକ କିଏ ତାକୁ ନେଇ ଏବେ ତନାଘନା ଚାଲିଛି। ପୁଲିସ ମଧ୍ୟ ଏ ନେଇ ପ୍ରାରମ୍ଭିକ ତଦନ୍ତ କରିଛି।

ମିଳିଥିବା ସୂଚନା ମୁତାବକ, ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀମାନେ ଏଠାରେ ଚିଙ୍ଗୁଡି ଘେରି କରିଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରାଚୀ-କାଦୁଆ ନଦୀର ଗଙ୍ଗାଦେବୀ ମୁହାଣ ଅଞ୍ଚଳର କଣମଣ ଗାଁ ନିକଟରେ ଏହି ଘେରି ରହିଛି। କିଛି ଦିନ ତଳେ ପ୍ରାୟ ୨୦ ଏକର ଜମିରେ ଏହି ଘେରି ଖୋଳାଯାଇଥିଲା। କେନ୍ଦ୍ରାପଡାର ଦୁଇ ମାଲିକ ଏହି ଘେରି ଖୋଳିଥିଲେ। ଘେରି କାମ ସରିଥିଲା। ଜାଆଁଳ ଛାଡିବାକୁ ପ୍ରସ୍ତୁତି ବି ସରିଥିଲା। ହଠାତ୍‌ ଗ୍ୟାଙ୍ଗଷ୍ଟାର ଟିିଟୋ ଗିରଫ ହେବା ଦିନଠାରୁ ଏହାର ମାଲିକ ଫେରାର ରହିଛନ୍ତି। ଏହି ଘେରି କେନ୍ଦ୍ରାପଡାର ଜଣେ ଗ୍ୟାଙ୍ଗଷ୍ଟାରଙ୍କର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ପ୍ରାଚୀ ଓ କାଦୁଆ ନଦୀର ମୁହାଣ ଅଞ୍ଚଳରେ ହଜାର ହଜାର ସରକାରୀ ଜମି ଉପରେ ଚିଙ୍ଗୁଡ଼ି ମାଫିଆଙ୍କ ନଜର ପଡିଛି। ପ୍ରଥମେ ଏକର ଦୁଇ ଏକର ଲିଜ୍‌ ନେବା ପରେ ସରକାରୀ ଜମି, ଜଙ୍ଗଲ ଜମିକୁ ଅକ୍ତିଆର କରି ସେମାନେ ଘେରି କରୁଥିବା ଜଣାପଡିଛି। ଅସ୍ତରଙ୍ଗର ହଜାର ହଜାର ଏକର ସରକାରୀ ଜମି ମାଫିଆଙ୍କ କବ୍‌ଜାରେ ରହିଛି। କେନ୍ଦ୍ରାପଡା, କଟକ, ଭୁବନେଶ୍ୱର ଓ ପାରାଦୀପ ଅଞ୍ଚଳର ଅନେକ ବ୍ୟକ୍ତିବିଶେଷ ଏଠାରେ ବେଆଇନ ଭାବେ ସରକାରୀ ଜମିରେ ଚିଙ୍ଗୁଡ଼ି ଘେରି କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର