କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ୍ ଅଲ୍ଲୀକୁ ଆଜି ଆଉ ୪ ଦିନ ରିମାଣ୍ଡରେ ନେଇଛି କ୍ରାଇମ୍ବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ। ଗତକାଲି ଟିଟୋର ୫ ଦିନିଆ ରିମାଣ୍ଡ ଶେଷ ହୋଇଥିବା ବେଳେ ଆଜି ତାକୁ କଡ଼ା ପହରାରେ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଟିଟୋର ଅପରାଧ ଓ ବ୍ୟବସାୟୀକ କାରବାର ରାଜ୍ୟ ବାହାରେ ବି ଲମ୍ବି ଥିବାରୁ ଗଲା ୫ ଦିନ ଭିତରେ ତଦନ୍ତ ଓ ଜେରା ଅଧା ରହିଛି। ତେଣୁ ଟିଟୋକୁ ଆଉ ୧୦ ଦିନ ରିମାଣ୍ଡରେ ନେବାକୁ ସ୍ପେସାଲ ଟାସ୍କ ଫୋର୍ସ ପକ୍ଷରୁ ଆବେଦନ କରାଯାଇଥିଲା। ସକରାରୀ ଓକିଲ ସଂଜୟ କୁମାର ଜେନା ୧୦ ଦିନ ରିମାଣ୍ଡ ଦେବାକୁ ଏସ୍ଡିଜେଏମ୍ଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଟିଟୋ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍ ବନବିହାରୀ ମହାନ୍ତି ରିମାଣ୍ଡ ଅବଧି ବୃଦ୍ଧିକୁ ବିରୋଧ କରିଥିଲେ। ରିମାଣ୍ଡରେ ନେବା ଦ୍ୱାରା ତାଙ୍କ ମହକିଲ ଟିଟୋଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡୁଛି। ତାଙ୍କ ସମ୍ପତ୍ତିକୁ ଅନ୍ୟାୟ ଭାବେ ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଉଥିବାରୁ ସେ ବର୍ତମାନ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ଦର୍ଶାଯାଇଥିଲା।
ଉଭୟପକ୍ଷର ଆବେଦନ ଶୁଣିବା ପରେ ଏସ୍ଡିଜେଏମ୍ ଟିଟୋକୁ ଜେରା ବେଳେ ପୁଲିସ୍ କିପରି ବ୍ୟବହାର କରୁଛି ବୋଲି ପଚାରି ଥିଲେ। ରିମାଣ୍ଡ ଅବଧି ଭିତରେ ଖାଦ୍ୟପେୟରେ କୌଣସି ଅସୁବିଧା ହୋଇ ନାହିଁ। ଡାହାଣ ଗୋଡ଼ ଆଙ୍ଗୁଠି ଏନ୍କାଉଣ୍ଟର ଦିନ ଜଖମ ହୋଇଥିବାରୁ ଯନ୍ତ୍ରଣା ହେଉଛି। ତେଣୁ ବିଶ୍ରାମ ଦିଆଯାଉ ବୋଲି ଟିଟୋ ଏସ୍ଡିଜେଏମ୍ଙ୍କୁ ଅନୁରୋଧ କରିଥିଲେ। ସମସ୍ତ ପକ୍ଷକୁ ଶୁଣିବା ପରେ ଟିଟୋକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅଦାଲତ ଅନୁମତି ଦେଇଥିଲେ। ଟିଟୋକୁ ଦେଖିବା ପାଇଁ ଆଜି କେନ୍ଦ୍ରାପଡ଼ା କୋର୍ଟ ପରିସର ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ୪ ପ୍ଲାଟୁନ୍ ପୁଲିସ୍ କୋର୍ଟ ପରିସରକୁ ଘେରାଉ କରି ରଖିଥିଲେ। ଟିଟୋର ଦାଦା ବି ସେଠାରେ ପହଁଚି ଅଧିକ ଦିନ ରିମାଣ୍ଡରେ ନ ନେବାକୁ ଓକିଲଙ୍କ ଜରିଆରେ ଅନୁରୋଧ କରିଥିଲେ।
ପ୍ରଥମ ଦଫା ରିମାଣ୍ଡ ବେଳେ ଟିଟୋକୁ ତାର ଅପରାଧ ସାମ୍ରାଜ୍ୟ, ବ୍ୟବସାୟ, ଟେଣ୍ଡର ଫିକ୍ସିଂ, ଠିକାଦାରୀ ଓ ଅନ୍ୟ ସଂଗୀନ ଅପରାଧ ବିଷୟରେ ଜେରା କରାଯାଇଥିଲା। ଭୁବନେଶ୍ୱର ଏସ୍ଟିଏଫ୍ ଅଫିସ୍ରେ ଟିଟୋକୁୁ ମାରାଥନ୍ ଜେରା ବେଳେ ତା’ର ଅଚଳାଚଳ ସମ୍ପତ୍ତି ବିଷୟରେ ସ୍ପତନ୍ତ୍ର ଟାସ୍କଫୋର୍ସ କେତେକ ତଥ୍ୟ ପାଇବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଟିଟୋର ୨ ସହଯୋଗୀଙ୍କୁ ମଧ୍ୟ ଜେରା କରାଯାଇଥିଲା। କୋଲକାତା, ଦିଲ୍ଲୀ, ହାଇଦ୍ରାବାଦରେ ମଧ୍ୟ ଟିଟୋର ବିପୁଳ ସମ୍ପତ୍ତି ରହିଥିବା ସଂପର୍କରେ ସୂଚନା ମିଳିବା ପରେ ପୁଲିସ୍ ଏ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଛି। ଟିଟୋ ସହ ଗିରଫ ହୋଇଥିବା ୬ ଜଣ ସହଯୋଗୀଙ୍କ ମଧ୍ୟରୁ ସେକ୍ ଚନ୍ନୋକୁ ରିମାଣ୍ଡରେ ନେଇ ପୁଲିସ୍ ଜେରା କରିଛି। କିନ୍ତୁ ଏଯାଏ ଟିଟୋର କୌଣସି ନଗଦ ଟଙ୍କା, ସୁନା ଅଳଙ୍କାର ଅଥବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇ ପାରି ନାହିଁ। କେବଳ ଫାର୍ମ ହାଉସ୍ରେ ଥିବା କୋବ୍ରା ଟ୍ରନ୍ସପୋର୍ଟର ପ୍ରାୟ ୧୮ଟି ହାଇଓ୍ଵା, ୭ଟି ଜେସିବି, ୪ଟି ଏସ୍କାଭେଟର ଜବତ କରାଯାଇଛି। ଏ ଗୁଡ଼ିକର ଆନୁମାନିକ ମୂଲ୍ୟ ଶହେ କୋଟି ଟପିବ ବୋଲି କୁହାଯାଉଛି। ସେହିପରି ଚଢ଼ଉ ବେଳେ ଟିଟ୍ଟୋର ସିଲ କରାଯାଇଥିବା ବୃହତ୍ ବ୍ୟବସାୟ କେନ୍ଦ୍ରକୁ ଆକଳନ କଲେ ପ୍ରାଥମିକ ପର୍ଯ୍ୟାୟରେ ସଂପତ୍ତିର ମୂଲ୍ୟ ୪୩୦ କୋଟି ହେବ ବୋଲି ଅନୁମାନ କରାଯାଉଛି। ଟିଟୋର ସମ୍ପତ୍ତି ଆକଳନ ପାଇଁ ୨ ଜଣ ବ୍ୟାଙ୍କ ମ୍ୟାନେଜର୍, ଚାଟାର୍ଡ ଏକାଉଣ୍ଟାଣ୍ଟ୍ଙ୍କୁ କାମରେ ନିୟୋଜିତ କରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ।
ସମୟ ଆସିଲେ ମୁହଁ ଖୋଲିବି
ଆଜି ଦ୍ୱିତୀୟ ଥର ସ୍ୱତନ୍ତ୍ର ଟାସ୍କ ଫୋର୍ସ ରିମାଣ୍ଡରେ ନେବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଟିଟୋ। କୋର୍ଟ ଆଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଛି ‘ସମୟ ବଡ଼ ବଳବାନ। ସମୟ ଆସିଲେ ମୁହଁ ଖୋଲିବି ଓ ସବୁ କଥା କହିବି। ଏବେ କିଛି କହିବା ଠିକ୍ ହେବ ନାହିଁ।’ ଏତିକି ଦୁଇ ପଦ କହିବା ଭିତରେ ପୁଲିସ୍ ଫୋର୍ସ ଟିଟୋକୁ ଗଣମାଧ୍ୟମ ଠାରୁ ଦୂରେଇ ନେଇ ଯାଇଥିଲେ ।