କଟକ : କେନ୍ଦ୍ରାପଡ଼ାର ଜଣାଶୁଣା ଅପରାଧୀ ଗ୍ୟାଙ୍ଗଷ୍ଟର୍ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋକୁ ପୁଣି ଗିରଫ କରି ଜେଲ ହାଜତକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟିଟୋ ହାଇକୋର୍ଟରୁ ଜାମିନ ପାଇ ଜେଲ୍ରୁ ମୁକୁଳି ଥିଲା। କିନ୍ତୁ ଏହାପରେ ସେ ଜାମିନ ସର୍ତ୍ତର ଖିଲାପ କରି ଚାଲିଥିଲା। ସପ୍ତାହରେ ଦୁଇ ଦିନ କେନ୍ଦ୍ରାପଡ଼ା ଟାଉନ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଯେଉଁ ସର୍ତ୍ତ ରଖାଯାଇଥିଲା, ତାହାକୁ ଟିଟୋ ଖିଲାପ କରିଥିଲା। ଏଭଳି ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ତୁରନ୍ତ ଟିଟୋକୁ ହେପାଜତକୁ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କେନ୍ଦ୍ରାପଡ଼ା ଟାଉନ ଥାନାରେ ୨୦୧୭ରେ ରୁଜୁ ହତ୍ୟା ମାମଲାରେ ଟିଟୋକୁ ହାଇକୋର୍ଟ ୨୦୨୨ ଅଗଷ୍ଟ ୩୦ରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ସେହିଭଳି କେନ୍ଦ୍ରାପଡ଼ା ସଦର ଥାନାର ୨୦୧୯ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ଟିଟୋକୁ ୨୦୨୨, ନଭେମ୍ବର ୨୩ରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ ଧାର୍ଯ୍ୟ କରିଥିବା ସର୍ତ୍ତ ମଧ୍ୟରୁ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ଜାମିନରେ ଯିବା ପରେ ଟିଟୋ ଦୁଇ ଦିନ କେନ୍ଦ୍ରାପଡ଼ା ଟାଉନ ଥାନା ଆଆଇସିଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜିରା ଦେବ। ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ସପ୍ତାହର ପ୍ରତି ବୁଧବାର ଓ ରବିବାର ଟିଟୋ ଟାଉନ ଥାନା ଆଇଆଇସିଙ୍କ ନିକଟରେ ହାଜର ହେବାକୁ କୁହାଯାଇଥିଲା। ଯଦି ସେହି ଦିନ ଅଦାଲତରେ ମାମଲାର ଶୁଣାଣି ତାରିଖ ଥାଏ ତେବେ ତାକୁ ଏପରି ହାଜିରାରୁ ଛାଡ କରାଯିବ। ଯଦି କୌଣସି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଜାମିନ ବାତିଲ ହେବ ବୋଲି ମଧ୍ୟ ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଇଆଇସିଙ୍କ ନିକଟରେ ହାଜିରା ସଂପର୍କିତ ସର୍ତ୍ତ କୋହଳ ପାଇଁ ଟିଟୋ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଥିଲା। ଜୁନ ୨୨ରେ ହାଇକୋର୍ଟ ଅନ୍ତରୀଣ ଆବେଦନର ଶୁଣାଣି କରି କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସିଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୋମବାର ଦିନ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରାପଡ଼ା ଆଇଆଇସିଙ୍କ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବର୍ତ୍ତମାନ ଯାଏ ଟିଟୋ ଥରେ ବି କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସିଙ୍କ ନିକଟରେରେ ହାଜର ହୋଇ ନାହିଁ ଏବଂ ଅନୁପସ୍ଥିତିର କାରଣ ନେଇ ମଧ୍ୟ କୌଣସି ପ୍ରକାର ସୂଚନା ଦେଇ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ଏହି ରିପୋର୍ଟରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ଟିଟୋକୁ ଜେଲ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।