ଟିଟୋ ସଂପର୍କ! : ୨ ନିର୍ବାହୀ ଯନ୍ତ୍ରୀଙ୍କୁ ଜେରା

ଜିଲ୍ଲାପାଳ, ତହସିଲ ଅଫିସ୍‌ରେ ଛାନଭିନ୍‌, ତାଲିକାରେ ୧୦ ଠିକାଦାର

କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସ୍‌ମାନ ଅଲ୍ଲୀର ଟେଣ୍ଡର ଫିକ୍ସିଂ ଘଟଣାରେ ଆଜି ସ୍ୱତନ୍ତ୍ର ଟାସ୍କଫୋର୍ସ ଦୁଇ ଜଣ ଯନ୍ତ୍ରୀଙ୍କୁ ଜେରା କରିଛି। ସ୍ଥାନୀୟ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଏସ୍‌ଟିଏଫ୍‌ର ଦୁଇ ଜଣିଆ ଟିମ୍‌ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦୁଇଟି ପର୍ଯ୍ୟାୟରେ ଦୁଇ ଘଣ୍ଟା ଜେରା କରିଛନ୍ତି। ସେହିପରି ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସ୍‌ରେ ଏହି ଦୁଇ ଅଧିକାରୀ ପହଞ୍ଚ ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏସ୍‌ଟିଏଫ୍‌ ଟିମ୍‌ କେନ୍ଦ୍ରାପଡ଼ାରେ ଡେରା ପକାଇ ବିଭିନ୍ନ ସରକାରୀ ଅଧିକାରୀ ଓ ଠିକାଦାରଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଆଜି ଡିଏସ୍‌ପି ବିଳାସିନୀ ନାୟକ ଓ ଇନ୍ସପେକ୍ଟର ସାବିତ୍ରୀ ଆଚାର୍ଯ୍ୟ ଦୁଇଜଣ ନିର୍ବାହୀଯନ୍ତ୍ରୀ ଓ ପୁରୁଷୋତ୍ତମପୁରର ଠିକାଦାର ରଂଜନ କୁମାର ସାମଲଙ୍କୁ ଜେରା କରିଛନ୍ତି।

ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଇସାରାରେ ନିର୍ବାହୀ ଯନ୍ତ୍ରୀମାନେ କୋଟି କୋଟି ଟଙ୍କାର ଠିକା କାମକୁ କିପରି ନିର୍ଦିଷ୍ଟ ଠିକାଦାରଙ୍କୁ ବାଣ୍ଟିଥିଲେ ସେ ସମ୍ପର୍କରେ ଏସ୍‌ଟିଏଫ୍‌ ଖୋଳତାଡ଼ କରୁଛି । ଖୁବ୍‌ଶୀଘ୍ର ୧୦ ଜଣ ଠିକାଦାରଙ୍କୁ ବିଭିନ୍ନ କାମ ସଂପର୍କରେ ଜେରା କରାଯିବ ବୋଲି ସୂଚନା ମିଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରେ କେଉଁ କେଉଁ କାମରେ ଟେଣ୍ଡର ଫିକ୍ସିଂ ହୋଇଥିଲା ଓ କେଉଁ କାମ କେତେ ଅଧିକ ମୂଲ୍ୟରେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା ସେ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତିଙ୍କୁ ଏହି ଦୁଇ ଅଧିକାରୀ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ଗଲା ୧୦ ବର୍ଷ ଭିତରେ କେଉଁ କେଉଁ ବଡ଼ କାମ ଟେଣ୍ଡର ଫିକ୍ସିଂ ପରିସରଭୁକ୍ତ ହୋଇଥିଲା ସେନେଇ କେତେକ ତାଲିକା ଏସ୍‌ଟିଏଫ୍‌ ଟିମ୍‌ ନିର୍ବାହୀଯନ୍ତ୍ରୀଙ୍କ ସାମ୍ନାରେ ରଖିଥିଲେ। ଏସବୁ କାମ କିପରି ଢଙ୍ଗରେ ହୋଇଥିଲା ଓ କେଉଁ ଯନ୍ତ୍ରୀ ଅବା ରାଜନେତାଙ୍କ ପ୍ରଚ୍ଛନ୍ନ ଇଙ୍ଗିତ ଥିଲା ସେନେଇ ଏବେ ଜେରା ଚାଲିଛି। ଉଠାସେଚ ବିଭାଗ ନିର୍ବାହୀଯନ୍ତ୍ରୀ ବିଦ୍ୟାଭୂଷଣ ନାୟକଙ୍କୁ ମଧ୍ୟ ୧୦ ବର୍ଷ ଭିତରେ କେତୋଟି ସିଙ୍ଗଲ୍‌ ଟେଣ୍ଡରରେ କାମ ହୋଇଛି ଓ କେଉଁ ସରକାରୀ ଅଧିକାରୀମାନେ ସେଥିରେ ସଂପୃକ୍ତ ଥିଲେ, ସେନେଇ ଜେରା କରିଥିବା ଜଣାପଡ଼ିଛି।

ଜମି ଦଲାଲ କମଳେଶ ଚଇନି ସମ୍ପର୍କରେ ଖୋଳତାଡ଼

ଟିଟୋର ଜମି କିଣାବିକାରେ ସହାୟତା ଯୋଗାଇ ଆସିଥିବା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର କମଳେଶ ଚଇନିକୁ ଏସ୍‌ଟିଏଫ୍‌ ଗିରଫ କରିଥିବାବେଳେ ଆଜି ଏନେଇ ପୁଣିଥରେ ତନାଘନା ଆରମ୍ଭ କରିଛି ଟିମ୍‌। କେନ୍ଦ୍ରାପଡ଼ା ସହର ପାର୍ଶ୍ୱ ୫ ନଂ(କ) ଜାତୀୟ ରାଜପଥ ପାଖ ଗୋପ ଛକ ନକିଟରେ ସରୋଜିନୀ ମିଶ୍ରଙ୍କ ୩୬ ଡିସିମିଲ୍‌ ମୂଲ୍ୟବାନ ଜମିକୁ ଚଇନି କିପରି ମାଡ଼ି ବସିଥିଲା, ସେନେଇ ପଚରାଉଚୁରା କରାଯାଇଛି। ନିଜେ ଅଭିଯୋଗକାରିଣୀ ସରୋଜିନୀ ହାଜର ହୋଇ ଏ ସମ୍ପର୍କରେ ସବୁ ବିଷୟ ଜଣାଇଥିଲେ। ପୂର୍ବରୁ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ୍‌ କିଛି ବି ସହଯୋଗ କରି ନଥିଲା । ସେହି ଜମିରେ ଦୀର୍ଘ ୪ ବର୍ଷ ହେଲା ମୋରମ୍‌, ବାଲି ଗଦା କରାଯାଉଥିବାବେଳେ କୋବ୍ରା ଟ୍ରାନ୍ସପୋର୍ଟର ଗାଡ଼ିଗୁଡ଼ିକ ମଧ୍ୟ ପାର୍କିଂ କରି ରଖାଯାଉଥିଲା। ଏଥିରେ କମଲେଶ୍‌ ବାରମ୍ବାର ଧମକ ଚମକ ଦେଉଥିଲା ବୋଲି ସରୋଜିନୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର