ଟିଟୋକୁ ଦରଦ! : ଏସ୍ଟିଏଫ୍ ବାଟବଣା, ବେନଜୀର୍ ଇନ୍ଫ୍ରାକୁ ଷ୍ଟିଭେଡର୍ ଲାଇସେନ୍ସର ଖୋଳତାଡ଼ କରୁନି
ପେଟ୍ରୋଲ ପମ୍ପ ମାମଲାର ତଦନ୍ତ ଆଗଉନି, ଟେଣ୍ଡର ଫିକ୍ସିଂ ମାମଲା ରୁଜୁ କରି ଚୁପ୍
ଭୁବନେଶ୍ୱର : ଏମିତି କରିଦେବୁ, ତାକୁ ଉଠାଇଦେବୁ, କାହାକୁ ଛାଡିବୁନି। ଟି’, ସାମ୍ରାଜ୍ୟର ସବୁ ଅଭିଯୁକ୍ତଙ୍କୁ ଜେଲ୍ ହାଜତରେ ପୂରାଇ ଦିଆଯିବ।
ଦୁର୍ଦାନ୍ତ ଅପରାଧୀ ସୟଦ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋ ମାମଲାରେ ପ୍ରଥମ କେଇ ଦିନ ଏମିତି ମୁହଁ ଫୁଟାଣି ମାରୁଥିଲା କ୍ରାଇମବ୍ରା଼ଞ୍ଚ ଏସ୍ଟିଏଫ୍। ହେଲେ ଦିନ ଯେତିକି ଗଡୁଛି, ହଠାତ୍ କାହିଁକି କେଜାଣି, ଏସ୍ଟିଏଫ୍ର ତଦନ୍ତ ଯେମିତି ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି।
ଟିଟୋ ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ତଥ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କିନ୍ତୁ ଏସ୍ଟିଏଫ୍ ସେଦିଗରେ କୌଣସି ପଦକ୍ଷେପ ନ ନେବା ଏବେ ଚର୍ଚ୍ଚାର ବିଷୟ ହେଲାଣି। ଟିଟୋକୁ ପାରାଦୀପ ପୋର୍ଟରେ ପେଟ୍ରୋଲ ପମ୍ପ ମିଳିବା ଘଟଣାରେ ତୈଳ ନିଗମର ତ୍ରୁଟି ନେଇ ଖୋଦ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ ହେଁ, ଏଦିଗରେ ପୁଲିସ ତଦନ୍ତ ଆଉ ଆଗଉ ନାହିଁ। କେବଳ ସେତିକି ନୁହେଁ, କେଉଁଭଳି ପରିସ୍ଥିତିରେ ଟିଟୋ ପତ୍ନୀ ବେନଜୀର୍ଙ୍କ କଂପାନିକୁ ଷ୍ଟିଭେଡୋରିଂ ଲାଇସେନ୍ସ ମିଳିଲା, ଏହା ପଛରେ କେଉଁମାନଙ୍କର ହାତ ଅଛି, ଏ କାରବାରର ରାଜନୈତିକ ଲିଙ୍କ୍ କ’ଣ, ସେ ନେଇ ମଧ୍ୟ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରାଯାଇନାହିଁ। ଫଳରେ ଗୋଟିଏ ସମୟରେ ଚର୍ଚ୍ଚାକୁ ଆସିଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ତଦନ୍ତକୁ ନେଇ ସାଧାରଣରେ ଅନେକ ସନ୍ଦେହ ଉଙ୍କି ମାରୁଛି।
ଉଲ୍ଲେଖଯୋଗ୍ୟ, କେଉଁ ପରିସ୍ଥିତିରେ ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦୀପ ଅସ୍ଥାୟୀ କୋକୋ ପେଟ୍ରୋଲ ଟାଙ୍କି ଅପରାଧିକ ପୃୃଷ୍ଠଭୂମିର ବ୍ୟକ୍ତିଙ୍କୁ ମିଳିଲା, ତା’ର ସିବିଆଇ ତଦନ୍ତ ପାଇଁ ଭାରତୀୟ ତୈଳ ନିଗମ ତଦନ୍ତ ପାଇଁ ସୁପାରିସ୍ କରିଥିଲା। ଖୋଦ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଅନୁମୋଦନ ଦେଇଥିଲେ। ଉଭୟ ଘଟଣାରେ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରି ସାରିଛନ୍ତି। ହେଲେ ଏହାର ଯଥେଷ୍ଟ ଆଗରୁ ଏସ୍ଟିଏଫ୍ ଏହି ଘଟଣାରେ ମାମଲା ରୁଜୁ କରିଥିଲେ ହେଁ, ତଦନ୍ତର ଅଗ୍ରଗତି ଶୂନ୍। ନା କର୍ତ୍ତୃପକ୍ଷଙ୍କୁ ଡାକି ଜେରା କରାଯାଉଛି, ନା କେଉଁଭଳି ପରିସ୍ଥିତିରେ ଜମି ଦିଆଗଲା, କିଏ କିଏ ଏଥିପାଇଁ ସହଯୋଗ କରିଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାଣି।
ଏମିତି ପରିସ୍ଥିତିରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ୯ ନମ୍ବର ଓ୍ଵାର୍ଡ, ଦିଲାରପୁର, କେନ୍ଦ୍ରାପଡ଼ା ଠିକଣାରେ ଥିବା ବେନଜୀର୍ ଇନଫ୍ରାଷ୍ଟକଚର୍ ପ୍ରାଇଭେଟ୍ ଲିମିଟେଡ୍କୁ ପାରାଦୀପରେ ଷ୍ଟିଭେଡରିଂ ପାଇଁ ଲାଇସେନ୍ସ ଦିଆଯାଇଛି। ୨୦୧୫ ମସିହା ନଭେମ୍ବର ୩ ତାରିଖ ଦିନ କର୍ତ୍ତୃପକ୍ଷ ଏହି ଲାଇସେନ୍ସ ପ୍ରଦାନ କରିଛନ୍ତି। ସେହିବର୍ଷ ନଭେମ୍ବର ୨ ତାରିଖରେ ଏହି ଫାଇଲ୍ ମଞ୍ଜୁର ଲାଭ କରିଥିଲା। ପାରାଦୀପ ପୋର୍ଟ ଅଧ୍ୟକ୍ଷଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ଲାଇସେନ୍ସର ଅବଧି ୩ ବର୍ଷ ରହିଛି। ଅର୍ଥାତ୍ ୨୦୧୮ ନଭେମ୍ବର ପହିଲା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।
ପ୍ରଶ୍ନ ଉଠୁଛି, ବେନଜୀର୍ ଇନ୍ଫ୍ରାଷ୍ଟକଚର୍ ପ୍ରାଇଭେଟ୍ ଲିମିଟେଡ୍ର ଏମିତି କ’ଣ ଅଭିଜ୍ଞତା ଥିଲା ଯେ କର୍ତ୍ତୃପକ୍ଷ ତାକୁ ଲାଇସେନ୍ସ ପ୍ରଦାନ କଲେ? ଦୁର୍ଦାନ୍ତ ଅପରାଧୀ ଟିଟୋ ସହିତ କଂପାନି ସଂପୃକ୍ତ ଥିବା କଥା ସମସ୍ତେ ଜାଣନ୍ତି। ଏପରିସ୍ଥଳେ କର୍ତ୍ତୃପକ୍ଷ ପୁଲିସ ରିପୋର୍ଟ ମାଗିଥିଲେ କି? ଯଦି ମଗାଯାଇଥିଲା, ପୁଲିସ ପକ୍ଷରୁ କ’ଣ କ୍ଲିନ୍ଚିଟ୍ ଦିଆଯାଇଥିଲା। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଭୂମିକା କିଛି ନାହିଁ। ଟିଟୋ କଂପାନିରେ କେତେ ଶ୍ରମିକ କେବେଠାରୁ କାର୍ଯ୍ୟ କରୁଥିଲେ, ସେ ନେଇ ଅନୁଧ୍ୟାନ ହୋଇଛି? ଏ ସଂପର୍କରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜାଣିପାରିନଥିଲା କେମିତି? ଯଦି ଜାଣିଥିଲା, ଏ ନେଇ କେହି ଆପତ୍ତି କରିଥିଲେ? ଏହା ପଛରେ କେଉଁ କେଉଁ ରାଜନୈତିକ ନେତାଙ୍କ ହାତ ଅଛି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉତ୍କଣ୍ଠା ବଢାଇଲାଣି। ହେଲେ ଏସ୍ଟିଏଫ୍ କିନ୍ତୁ ଏ ଦିଗରେ ତଦନ୍ତ ଆଗେଇବା ପରିବର୍ତେ ଟିଟୋ ସହଯୋଗୀଙ୍କ ଆଡ୍ଡା ଖୋଜିବା ଭିତରେ ତଦନ୍ତକୁ ସୀମିତ ରଖିଥିବା ସୂଚନା ମିଳୁଛି।
ଉଲ୍ଲେଖଥାଉକି, ଟିଟୋର ଅପରାଧ ଦୁନିଆ କେବଳ କେନ୍ଦ୍ରାପଡାରେ ସୀମିତ ନଥିଲା। ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା ଜିଲ୍ଲା ବ୍ୟତୀତ ସେ ରାଜ୍ୟ ବାହାରେ ବି ଜାଲ ବିଛାଇଥିଲା। ଏହାର ଗ୍ୟାଙ୍ଗରେ ଶହ ଶହ ଦୁର୍ଦାନ୍ତ ଅପରାଧୀ କାର୍ଯ୍ୟ କରୁଛନ୍ତି। ଏମାନେ ଯେ ସ୍ଥାନୀୟ ପୁଲିସ ଅଜାଣତରେ କାମ କରୁଥିଲେ ଏକଥା ବି ନୁହେଁ। ଟେଣ୍ଡର ଫିକ୍ସିଂ ଘଟଣାରେ ଟିଟୋ ନାଁ ବାରମ୍ବାର ଚର୍ଚ୍ଚାକୁ ଆସିଛି। ପାଖାପାଖି ଦୁଇ ବର୍ଷ ତଳେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲା ପ୍ରଶାସନ ଓ ପୁଲିସକୁ କଡ଼ା ଚିଠି ଲେଖିଥିଲେ। କିଭଳି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ଫିକ୍ସିଂ କରାଯାଉଛି, ସେ ନେଇ ଏଥିରେ ଆପତ୍ତି ଉଠାଯାଇଥିଲା। ସେହିଭଳି ଜଳସଂପଦ ବିଭାଗର ଟେଣ୍ଡର ଫିକ୍ସିଂ ନେଇ ଏବେ ଏସ୍ଟିଏଫ୍ ମକଦ୍ଦମା ରୁଜୁ କରିଛି। ହେଲେ ସ୍ଥାନୀୟ ଯନ୍ତ୍ରୀମାନେ ଏକଥା ଜାଣିନାହାନ୍ତି? ଜିଲ୍ଲା ପ୍ରଶାସନ ପାଖରେ ଖବର ନଥିଲା? ଏମାନଙ୍କୁ ଡାକି ଜେରା କରିବା ଲାଗି ଏସ୍ଟିଏଫ୍ ଏତେ କୁନ୍ଥକୁନ୍ଥ କାହିଁକି?