ଟିଟୋ ପେଟ୍ରୋଲ ପମ୍ପ୍‌ ଜମି ଲିଜ୍‌ ବେଆଇନ୍‌! : ଜିଲ୍ଲାପାଳଙ୍କ ଅଫିସ୍‌ରେ ଭିଜିଲାନ୍ସ

କେନ୍ଦ୍ରାପଡ଼ାର ୮ଟି ସ୍ଥାନରେ ଖୋଳତାଡ଼

କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀକୁ ଜମି ଲିଜ୍‌ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ସମେତ ଆଜି ୮ଟି ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଖୋଳତାଡ଼ କରିଛି। ଭିଜିଲାନ୍ସର ଏକ ଟିମ୍‌ ଆଜି ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଖୋଳତାଡ଼ ପାଇଁ ଉଦ୍ୟମ କରିଥିଲେ। ମାତ୍ର, ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଦୀର୍ଘ ସମୟ ରହି ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାୟୀ, ଟିଟୋର ପତ୍ନୀ ବେନଜୀର୍‌ ବିବିଙ୍କ ନାମରେ ଥିବା ପେଟ୍ରୋଲ୍‌ ପମ୍ପ୍‌ର ଜମି ଲିଜ୍‌ ନେଇ ଖୋଳତାଡ଼ କରାଯାଇଥିଲା। ବେନଜୀରଙ୍କ ସୟଦ ବ୍ରଦର୍ସ ଫିଲିଙ୍ଗ୍‌ ଷ୍ଟେସନ୍‌, ଖାତା ନଂ ୬୨୯/୩୯୬, ପ୍ଲଟ୍‌ ୩୮୧/୧୫୩୧, ଖାତା ନଂ ୬୨୬/୪୩୬ ପ୍ଲଟ୍‌ ନଂ ୩୮୧/୧୫୩୨ର ଭାରତୀୟ ପଞ୍ଜୀକରଣ ଆଇନ୍‌ (୧୭(୧) ଅନୁସାରେ ଜମି ନିବନ୍ଧକଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ କରାଯାଇ ନାହିଁ।

ନିୟମ ଅନୁଯାୟୀ, କୌଣସି ଫିଲିଙ୍ଗ୍‌ ଷ୍ଟେସନ୍‌ର ଅନୁମୋଦନ ପାଇଁ ପ୍ରଥମେ ଆଇଓସିଏଲ୍‌ରେ ଆବେଦନ କରିବାକୁ ପଡ଼ିଥାଏ। ପରେ ଆଇଓସିଏଲ୍‌ କର୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଏନ୍‌ଓସି ମାଗିଥା’ନ୍ତି। ଏଥିସହ ପେଟ୍ରୋଲ ପମ୍ପ୍‌ ପାଇଁ ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ତହସିଲ ଓ ଆବଶ୍ୟକ ସ୍ଥଳେ ପୌରସଂସ୍ଥା ଠାରୁ ଅନୁମତି ନିଆଯାଇଥାଏ। ଏହି ପମ୍ପ୍‌ଟି କେନ୍ଦ୍ରାପଡ଼ା ପୌରସଂସ୍ଥା ଅଧୀନରେ ଥିବାରୁ ସ୍ୱାଭାବିକ ଭାବେ ସେଠାରୁ ଅନୁମତି ଲୋଡ଼ା ଯାଇଥିଲା। ଏଣୁ ତତ୍‌କାଳୀନ ଜିଲ୍ଲାପାଳ ଏ ସମସ୍ତ ଦିଗକୁ ତର୍ଜମା କରିଥିଲେ ହେଁ କିଭଳି ଅନୁମତି ପ୍ରଦାନ କରିଥିଲେ ତାର ଖୋଳତାଡ଼ କରାଯାଇଥିଲା।

ଖୋଳତାଡ଼ ପରେ ଏବେ ପୌର ସଂସ୍ଥା ମଧ୍ୟ ବିବାଦ ଘେରକୁ ଆସିଛି। ଏହି ପେଟ୍ରୋଲ ପମ୍ପ୍‌ ସାମ୍ନାରେ ଥିବା ପୌର ସଂସ୍ଥାର ୫ ଡିସିମିଲ୍‌ ଜାଗାକୁ ବାର୍ଷିକ ମାତ୍ର ୬ ହଜାର ଟଙ୍କାରେ ଲିଜ୍‌ ଦିଆଯାଇଥିଲା। ତେବେ ୧.୮.୨୦୧୫ ରେ କିଭଳି ଅନୁକମ୍ପା ଦେଖାଇ ଏହାକୁ ଲିଜ୍‌ ଦେଇଥିଲା ତା’ର ତର୍ଜମା କରୁଛି ଭିଜିଲାନ୍ସ। ପେଟ୍ରୋଲ ପମ୍ପ୍‌ ପାଇଁ କିଏ ଆବେଦନ କରିଥିଲେ, ପେଟ୍ରୋଲ ପମ୍ପ୍‌ ଯିବାକୁ ରାସ୍ତା ଦେବା ସକାଶେ କିଏ ଅନୁମତି ଦେଇଥିଲେ ସେ ସଂପର୍କରେ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଜମି ଲିଜ୍‌ ଦେବା ପୌର ପରିଷଦର କ୍ଷମତା ବାହାରେ। କେବଳ ତହସିଲଦାର ହିଁ ଲିଜ୍‌ ଦେବା କଥା। କିନ୍ତୁ ତତ୍‌କାଳୀନ ପୌର ପରିଷଦ ଓ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଏହି ଜମିକୁ କିଭଳି ଲିଜ୍‌ ଦିଆଯାଇଥିଲା, ସେ ନେଇ ଭିଜିଲାନ୍ସ ବୈଧାନିକ ଦିଗକୁ ତର୍ଜମା କରୁଥିବା ଜଣାପଡ଼ିଛି।

ଅତିରିକ୍ତ ତହସିଲଦାର ବସନ୍ତ କୁମାର ରାଉତ କହିଥିଲେ ଯେ, ଉକ୍ତ ଜମି ପାଇଁ ଏନ୍‌ଓସି (ନୋ ଅବଜେକସନ୍‌ ସାର୍ଟିଫିକେଟ୍‌) ଦିଆଯାଇଥିଲା। ୨୦୧୫ରେ ବେନଜୀର ବିବିଙ୍କ ନାମରେ ଉକ୍ତ ଜମି ପାଇଁ ଆବେଦନ କରାଯାଇଥିଲା। ସେ ସମ୍ପର୍କିତ କେସ୍‌ ରେକର୍ଡ଼ ଭିଜିଲାନ୍ସ ମାଗିଥିଲା ଓ ଏହାର ପ୍ରତିଲିପି ଦିଆଯାଇଥିଲା। କିନ୍ତୁ ଜମି ଲିଜ୍‌ ପାଇଁ ତହସିଲଦାର କୌଣସି ଅନୁମତି ଦେଇ ନଥିବାରୁ ଏହାର ବୈଧତା ସମ୍ପର୍କରେ ଏବେ ତର୍ଜମା କରାଯାଉଛି। ଭିଜିଲାନ୍ସ ଅଧିକାରୀ ଏସଂପର୍କରେ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ବି ଖୋଳତାଡ଼ କରିଛନ୍ତି।

ପରେପରେ ଭିଜିଲାନ୍ସ ଟିମ୍‌ ସେଚ ବିଭାଗ ନିର୍ବାହ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଯୋଗାଣ ବିଭାଗ, ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଇଡିବିଆଇ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି। ଭିଜିଲାନ୍ସ ବିଭାଗ ମାଗିଥିବା ସମସ୍ତ କାଗଜପତ୍ର ୨ଦିନ ମଧ୍ୟରେ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଭିଜିଲାନ୍ସର ଏକ ଟିମ୍‌ କଟକରେ ଥିବା ରାଜ୍ୟ ପରିବହନ ବିଭାଗ ଅଫିସ୍‌ (ଏସ୍‌ଟିଏ)କୁ ଯାଇ ଟିଟୋ, ପତ୍ନୀ ବେନଜୀର ବିବି ଓ ଅନ୍ୟ ପରିବାର ଲୋକଙ୍କ ନାମରେ ଥିବା ଗାଡ଼ି ସଂପର୍କରେ ମଧ୍ୟ ଖୋଳତାଡ଼ କରିଛି।

ସମ୍ବନ୍ଧିତ ଖବର