ଟଣାହେବେ ନେତା, ଅଫିସର : ୭ ତହସିଲଦାର, ଆଇଜିଆର୍‌ଙ୍କୁ ନୋଟିସ

ଭୁବନେଶ୍ୱର : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀ ଜେରା ବେଳେ ଦେଇଥିବା ତଥ୍ୟକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତାର ତଦନ୍ତକୁ ତ୍ୱରାନ୍ଵିତ କରିଛି। ଏତେ ବିଳାସପୂର୍ଣ୍ଣ ଜୀବନ ଶୈଳୀ, ଶହ ଶହ କୋଟି ଟଙ୍କାର କାରବାର ପଛର ଅସଲ ମହାନାୟକମାନଙ୍କୁ ଖୋଜିବା ଲାଗି ଆଜି ନିଷ୍ପତ୍ତି ହୋଇଛି। ଏଥିସହିତ କ୍ରାଇମବାଞ୍ଚ ଏସ୍‌ଟିଏଫ୍‌ ନଜର ଆଜି ସରକାରୀ ସଂସ୍ଥା ଉପରେ ପଡିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ୭ଜଣ ତହସିଲଦାରଙ୍କୁ ଆଜି ଏସ୍‌ଟିଏଫ୍‌ ନୋଟିସ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା, ଧର୍ମଶାଳା, ବାଲିଚନ୍ଦ୍ରପୁର, ମହାକାଳପଡା, ପଟ୍ଟାମୁଣ୍ଡାଇ, ଗରଦପୁର, ମାର୍ଶାଘାଇ। ଏସବୁ ତହସିଲରେ ଗତ କିଛି ବର୍ଷ ମଧ୍ୟରେ ଯେତେସବୁ ବାଲିଘାଟ, ମୋରମ କ୍ୱାରି ନିଲାମ କରାଯାଇଛି, ସେସଂକ୍ରାନ୍ତ ତଥ୍ୟ ଓ କାଗଜପତ୍ର ହସ୍ତାନ୍ତର ଲାଗି ଚିଠି ଯାଇଛି।

ଏସବୁ ତହସିଲରେ ଟିଟୋ ଓ ତା କଂପାନି କୋଟି କୋଟି ଟଙ୍କାର କାରବାର କରିଥିବା ନେଇ ତଦନ୍ତ ବେଳେ ଜଣାପଡିବା ପରେ ଏସ୍‌ଟିଏଫ୍‌ ଏଭଳି ନୋଟିସ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏସ୍‌ଟିଏଫ୍‌ର ଏଭଳି ପଦକ୍ଷେପ ଆଜି ଉଭୟ ଜିଲ୍ଲାର ସରକାରୀ କର୍ମଚାରୀ ଓ ରାଜନେତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି। କାରଣ ସ୍ଥାନୀୟ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ରହି ଟିଟୋ ଏସବୁ ଅଞ୍ଚଳରେ ତାର କାୟା ବିସ୍ତାର କରିଥିଲା। ଏସବୁ ଅଞ୍ଚଳରେ ଗତ ଦିନମାନଙ୍କରେ ଘଟିଥିବା ଅନେକ ଅପରାଧ ପଛର ପ୍ରମୁଖ କାରଣ ଥିଲା ବାଲିଘାଟ ଓ ମୋରମ କ୍ୱାରି ନିଲାମ। ଏଣୁ କାଳେ ଅଫିସରଙ୍କୁ ଧରି ଟାଣୁ ଟାଣୁ ସେମାନଙ୍କ ନାଁ ସାମ୍ନାକୁ ଚାଲିଆସିବ, ସେ ନେଇ ରାଜନେତାମାନେ ଆତଙ୍କିତ ହୋଇପ଼ଡିଛନ୍ତି। କିଛି କ୍ଷେତ୍ରରେ ଟିଟୋ ରାଜନେତାଙ୍କୁ ଆୟୁଧ କରି କାମ ନେଇଥିବା ତଦନ୍ତ ବେଳେ ଏସ୍‌ଟିଏଫ୍‌ ସୁରାକ ପାଇଛି। ଟିଟୋର ଅପରାଧ ସାମ୍ରାଜ୍ୟର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଯେ କୌଣସି ବ୍ୟକ୍ତି ସଂପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାରୀ ସବୁଜ ସଙ୍କେତ ମିଳିବା ପରେ ଏମାନଙ୍କ ଡର ଆହୁରି ବଢିଯାଇଛି।

ଦ୍ୱିତୀୟତଃ ଟିଟୋର ଅତ୍ୟନ୍ତ ଘନିଷ୍ଠ ସଂପର୍କୀୟ ଏବଂ ସହଯୋଗୀଙ୍କର ଏକ ତାଲିକା କରିଛି ଏସ୍‌ଟିଏଫ୍‌। ଆଖିଦୃଶିଆ ରୋଜଗାର ନ ଥାଇ କିଭଳି ସେମାନେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି, ସେ ନେଇ ବି ଖୋଳତାଡ଼ ଆରମ୍ଭ କରିଛନ୍ତି ତଦନ୍ତକାରୀ ଦଳ। ଟିଟୋ ଏହି ସଂପର୍କୀୟମାନଙ୍କୁ ଆୟୁଧ କରି ତାର ଅର୍ଥନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ପୁଲିସ ସନ୍ଦେହ କରୁଛି। ଆଜି ଏହି କ୍ରମରେ କଟକ ସ୍ଥିତ ଆଇଜି ରେଜିଷ୍ଟ୍ରେସନ୍‌ ଓ ଓଡ଼ିଶା ଇ ଗଭର୍ଣ୍ଣାନ୍‌ସ ସର୍ଭିସ୍‌ ଲିମିଟେଡର ନିର୍ଦେଶକଙ୍କୁ ଚିଠି କରାଯାଇଛି ଓ ଟିଟୋ ସମେତ ତାର ସଂପର୍କୀୟ ଏବଂ ସହଯୋଗୀଙ୍କ ନାମରେ ଓଡ଼ିଶାର କେଉଁ ତହସିଲର କେଉଁ ମୌଜାରେ କେତେ ଜମି ରହିଛି, ଏସବୁ କେବେ କିଣାଯାଇଥିଲା, ଏହାର ବିକ୍ରେତା କିଏ ସେ ସଂକ୍ରାନ୍ତ ତଥ୍ୟ ଦେବାକୁ କୁହାଯାଇଛି।

ଏସ୍‌ଟିଏଫ୍‌ ଟିଟୋକୁ ଜେରା କରିବା ବେଳେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ପାଇଛି। କେନ୍ଦ୍ରାପ଼ଡା ମେଡ଼ିକାଲ ଉପରେ ବି ଟିଟୋର ଛାଇ ପଡ଼ିଥିଲା। ସଂପ୍ରତି କେନ୍ଦ୍ରାପଡାରେ ମଦର ଚାଇଲ୍‌ଡ କେୟାର ହସ୍ପିଟାଲ ନିର୍ମାଣ ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଛି। ୧୧୦ କୋଟି ଟଙ୍କା ବିନିଯୋଗ କରି ୭୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ରାଜ୍ୟ ସରକାର। ଏଥିରେ ଟିଟୋର ଭୂମିକା ନିର୍ଣ୍ଣୟ କରିବା ଲାଗି ଏସ୍‌ଟିଏଫ୍‌ ଆଜି କଡ଼ା ପଦକ୍ଷେପ ନେଇଛି। ଇପିଆଇ ଲିମିଟେଡ୍‌ର ଉପମହାପ୍ରବନ୍ଧକ ଅର୍ଥାତ୍‌ ଡିଜିଏମ୍‌ ଦେବୀଦତ୍ତ ଦାଶଙ୍କୁ ହାଜର ହେବା ପାଇଁ ସମନ କରାଯାଇଛି। ଏ ସଂପର୍କରେ ତାଙ୍କୁ ଜେରା କରାଯିବ ଓ ତଥ୍ୟ ମିଳିବା ପରେ ତଦନ୍ତ ଆଗକୁ ବଢିବ।

ସମାନ୍ତରାଳ ଭାବେ ଟିଟୋର କୋଲକାତାରେ ୧ କୋଟି ୧୦ଲକ୍ଷ ଟଙ୍କାରେ ଜମି କାରବାର ଘଟଣାରେ ଏସ୍‌ଟିଏଫ୍‌ ବନ୍ଦନା ରାୟ ନାମ୍ନୀ ଜଣେ ମହିଳାଙ୍କୁ ସମନ କରିଛି। ଏହି ଜମି କାରବାର ସଂପର୍କରେ ଜାଣିବା ଲାଗି ବନ୍ଦନାଙ୍କୁ ଜେରା କରିବାକୁ ତଦନ୍ତକାରୀ ଅଧିକାରୀ ଆଗ୍ରହ ଦେଖାଇଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗୋଟିଏ କି ଦୁଇଟି ନୁହେଁ, ଟିଟୋ, ତା ପତ୍ନୀ ବେନଜୀର୍‌ ଓ ଅନ୍ୟ ସଂପର୍କୀୟ ଏହିପରି ମୋଟ ୧୮ ଜଣଙ୍କର ୫୦ଟି ଆକାଉଣ୍ଟକୁ ଅଚଳ କରିବା ଲାଗି ଏସ୍‌ଟିଏଫ୍‌ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଚିଠି ଲେଖିଛି। ପାଖାପାଖି ୩୪ଟି ବ୍ୟାଙ୍କରେ ଏସବୁ ବ୍ୟକ୍ତିମାନେ କାରବାର କରିଛନ୍ତି। ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଓ ଦୁଇଜଣ ଉଚ୍ଚସ୍ତରୀୟ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏବେ ଟିଟୋ ଓ ତାଙ୍କ ସଂପର୍କୀୟଙ୍କ କାଗଜପତ୍ର ଯାଞ୍ଚ ଚାଲିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେଉଛି। ଦୈନିକ ୮ଜଣ ଅଫିସର ପୃୃଥକ୍‌ ପୃଥକ୍‌ ଭାବେ ଯାଇ ଟିଟୋକୁ ଜେରା କରୁଛନ୍ତି। ଟିଟୋ କିଛି କଥାକୁ ବାଏଁ ବାଏଁ ଉ଼ଡ଼ାଇ ଦେଉଛି ଓ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଓଗାଳିବା ଆରମ୍ଭ କଲାଣି। ଟିଟୋର ରିମାଣ୍ଡ ଅବଧି ବୃଦ୍ଧି କରିବା ଲାଗି ଆବେଦନ କରାଯିବ କି ନାହିଁ, ସେ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ବିଚାର ବିମର୍ଶ ଚଳାଇଛନ୍ତି।

ଏପଟେ କାଳେ ଟିଟୋ ସେମାନଙ୍କ ନାଁ ନେଇଯିବ, ସେ ନେଇ କିଛି ପୁଲିସ ଅଧିକାରୀ, ସରକାରୀ ଅଧିକାରୀ ଏବଂ ରାଜନୈତିକ ନେତା ଓ କୁଜି ଠିକାଦାର ଭୟରେ କମ୍ପୁଛନ୍ତି। ତଦନ୍ତକାରୀ ଦଳର ଜଣେ ଅଧିକାରୀ କହିଛନ୍ତି, ଟିଟୋ ଠାରୁ ଆବଶ୍ୟକ ସୂଚନା ମିଳିସାରିବା ପରେ ଅନ୍ୟମାନଙ୍କୁ ସମନ କରାଯାଇ ଜେରା କରାଯିବ।

ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଗଣମାଧ୍ୟମକୁ କହିଛନ୍ତି କି ଟିଟୋର ଆର୍ଥିକ ସାମ୍ରାଜ୍ୟ ଉପରେ ଅନୁସନ୍ଧାନ ଜାରି ରହିଛି। ଓଡ଼ିଆ ଫିଲ୍ମ ଓ ସିରିଏଲ ନିର୍ମାଣରେ ମଧ୍ୟ ଟିଟୋର ଟଙ୍କା ନିବେଶ କରିଛି। ଜେରାବେଳେ ଏସ୍‌ଏଟିଏଫ୍‌ ଜାଣିବାକୁ ପାଇଛି ଟିଟୋ ତାର ସମ୍ପର୍କୀୟମାନଙ୍କ ନାଁରେ ପାଖାପାଖି ୧୫୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଛି। ଏହି ସବୁ ଟଙ୍କା ସେ କେଉଁଠୁ ଆଣୁଥିଲା, ତାର ଅନୁସନ୍ଧାନ କରାଯିବ। ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଇଡି ଓ ଆୟକର ବିଭାଗକୁ ଚିଠି କରାଯାଇଛି। ବର୍ତମାନ ଟିଟୋର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ପେଟ୍ରୋଲ ପମ୍ପକୁ ସିଲ୍‌ କରି ଦିଆଯାଇଛି ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଧମକାଇଲା : ଏଥର ରାଜଧାନୀରେ ଆସି ରହିବି

ଭୁବନେଶ୍ୱର : ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆସନ୍ତାକାଲି ସରିବ। ଏହା ପୂର୍ବରୁ ଆଜି ଅପରାହ୍‌ଣରେ ଜେରା କରିଛନ୍ତି ଏସ୍‌ଟିଏଫ୍‌ ଟିମ୍‌। ଏଥିରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ତାର ଗୋଟିଏ ଗୋଟିଏ ସାମ୍ରାଜ୍ୟକୁ ସିଲ୍‌ କରାଯାଉଥିବାରୁ ଟିଟୋ କ୍ଷୁବ୍ଧ ହୋଇ ଯାଇଛି। ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଆଜି ତୁତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଟିଟୋର ରକ୍ତଚାପ ମଧ୍ୟ ବଢ଼ି ଯାଇଥିଲା ଓ ଅପରାହ୍‌ଣରେ ଟିଟୋକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତବାକ, ଆଜିର ଜେରାବେଳେ ଟିଟୋ ଏସ୍‌ଟିଏଫ୍‌ର ଅଧିକାରୀମାନଙ୍କ ଉପରେ କ୍ଷୁବ୍ଧ ହୋଇଛି। ମୁହେଁ ମୁହେଁ ଶୁଣାଇ ଦେଇଛି ଯେ ପ୍ରଥମେ ଗିରଫ ବେଳେ ଅଣ୍ଡରଓ୍ଵାଲର୍ଡ ଲିଙ୍କ୍‌ ଅଛି କହି ତଦନ୍ତ ଆରମ୍ଭ କଲ। ମୋର ଗିରଫଦାରୀ ପରେ ଜଣେ ହେଲେ ବି ମୋର ସହଯୋଗୀଙ୍କୁ ଗିରଫ କରିନାହଁ।

କେବଳ ମୋ ପରିବାରର ଆର୍ଥିକ କାରବାର ଉପରେ ଚଢ଼ଉ କରାଯାଉଛି। ଦୁଇ ବର୍ଷ ହେବ ଅପରାଧ ଛାଡିବା ପରେ ମଧ୍ୟ ମୋତେ ଅପରାଧୀ ସଜାଇ ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରକୁ ଆସୁ ନ ଥିଲି ଏବେ ରାଜଧାନୀରେ ଆସି ରହିବି ବୋଲି ଟିଟୋ ଧମକ ଦେଇଛି। ପୂର୍ବରୁ କୋର୍ଟରେ ହାଜର ହେବା ବେଳେ ମଧ୍ୟ ଟିଟୋ ପୁଲିସ ଉପରେ ବିଗିଡିଯାଇଥିଲା।

ଆସନ୍ତାକାଲି ଟିଟୋର ରିମାଣ୍ଡ ଅବଧି ଶେଷ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଟିଟୋକୁ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା କୋର୍ଟ ନିଆଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର