ଟିଟୋ ମାମଲାର ନୂଆ ମୋଡ଼ : ପେଟ୍ରୋଲ ପମ୍ପ ଲିଙ୍କ୍‌ ଖୋଳତାଡ଼

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶିଲେ ଏସ୍‌ଟିଏଫ୍‌

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ସୟଦ ଉସମାନ ଅଲ୍ଲୀ ଓରଫ୍‌ ଟିଟୋ ମାମଲା ଦିନକୁ ଦିନ ନୂଆମୋଡ଼ ନେଲାଣି। ଏସ୍‌ଟିଏଫ୍‌ ଯେତିକି ଅଧିକ ଘଣ୍ଟାଚକଟା କରୁଛି, ମାମଲାରେ ସେତିକି ଅଧିକ ଲୋକ ଯୋଡି ହୋଇଯାଉଛନ୍ତି ଓ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଆଜି ଏସ୍‌ଟିଏଫ୍‌ର ତଦନ୍ତକାରୀ ଦଳ ଟିଟୋର ପତ୍ନୀ ତଥା ବେନ୍‌ଜୀର ଇନଫ୍ରାର ପରିଚାଳନା ନିର୍ଦ୍ଦେଶିକା ବେଗମ୍‌ ବେନ୍‌ଜୀର ବିବିଙ୍କୁ ଦୀର୍ଘ ସମୟ ଧରି ଜେରା କରିଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଘଣ୍ଟାଚକଟା କରିଛି ପୁଲିସ। କେଉଁ ପରିସ୍ଥିତିରେ ଟିଟୋକୁ ପେଟ୍ରୋଲ ପମ୍ପ ପାଇଁ ଅନୁମତି ମିଳିଥିଲା, ସେ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତଥ୍ୟ ମାଗିଛନ୍ତି ତଦନ୍ତକାରୀ ଅଧିକାରୀ।

କେନ୍ଦ୍ରାପଡ଼ାରେ ଏତେ ସବୁ ତନାଘନା ଚାଲିଥିବା ବେଳେ ଟିଟୋର ଦୁଇ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଜେରା କରାଯାଇଛି। ସେମାନେ ହେଲେ ସଂଜୟ ରାଉତ ଓ ହିଜ୍‌ବୁଲ ରହେମାନ। ପୁଲିସ କହିଛି, ଦୁହେଁ ଟିଟୋର ଅପରାଧ ଓ ଆର୍ଥିକ ସାମ୍ରାଜ୍ୟ ବୁଝାବୁଝି କରୁଥିଲେ।

ଅନ୍ୟପକ୍ଷରେ ଆଜି ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ପୁଣି ଥରେ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ହେଁ କିନ୍ତୁ କୋର୍ଟ ତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ତେବେ ଆସନ୍ତା ୧୬ ତାରିଖ ସୁଦ୍ଧା କେସ୍‌ ଡାଏରି ଦାଖଲ କରିବାକୁ ଏସ୍‌ଡିଜେଏମ୍‌ ନିହାର ରଂଜନ ସାହୁ ତଦନ୍ତକାରୀ ସ୍ୱତନ୍ତ୍ର ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ।

ରିମାଣ୍ଡ ଆବେଦନ ଶୁଣାଣି ବେଳେ ୯ ଦିନ କାଳ ଜେରାରେ ତାଙ୍କ ମହକିଲ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିବାରୁ ଅଧିକ ଜେରାର କୌଣସି ଆବଶ୍ୟକତା ନାହିଁ ଓ ଏହା ବେଆଇନ୍‌ ବୋଲି ଟିଟୋର ଓକିଲ ବନ ବିହାରୀ ମହାନ୍ତି ଯୁକ୍ତି ଦର୍ଶାଇଥିଲେ। ତେବେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସରକାରୀ ଓକିଲ ଟିଟୋର ଅପରାଧ ଜଗତ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଅଧିକ ପଚରା ଉଚରାର ଆବଶ୍ୟକତା ଅଛି ବୋଲି ଯୁକ୍ତି ବାଢ଼ିଥିଲେ।

ତୃତୀୟ ପର୍ଯ୍ୟାୟରେ ଟିଟୋକୁ ରିମାଣ୍ଡରେ ନେଇ ଏସ୍‌ଟିଏଫ୍‌ ଗ୍ୟାଙ୍ଗଷ୍ଟର ଟିଟୋର ଆଉ କିଛି ଅପରାଧ ଓ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ ଯୋଜନା କରିଛି। ଯେଉଁମାନଙ୍କୁ ଏସ୍‌ଟିଏଫ୍‌ ନୋଟିସ୍‌ କରିଛି ସେମାନଙ୍କୁ ଟିଟୋ ସହିତ ମୁହାଁମୁହିଁ ଜେରା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଦିନ ପାଖାପାଖି ୩ଟା ବେଳେ ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପି ଓ ଦୁଇ ମହିଳା ଇନ୍ସପେକ୍ଟର ଟିଟୋର କେନ୍ଦ୍ରାପଡ଼ା ଦିଲାରପୁର ଘରେ ପହଞ୍ଚିଥିଲେ। ସେମାନଙ୍କୁ କେନ୍ଦ୍ରାପଡ଼ା ପୁଲିସ ସହଯୋଗ କରିଥିଲା। ଏହି ଟିମ୍‌ ପହଁଚିଲା ବେଳକୁ ସେ ଅସୁସ୍ଥ ଥିବା କହିଥିଲେ। ସାଲାଇନ୍‌ ଲଗାଇ ଶୋଇଥିବା ବେଗମ୍‌ ଉଠିବା ପରେ ଜେରା ଆରମ୍ଭ ହୋଇଥିଲା।

ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା ଜେରା। ଜେରା ବେଳେ ବେନଜୀର ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ପାରି ନ ଥିଲେ। ପୁଲିସ ପ୍ରଶ୍ନବାଣରେ ସେ ଥତମତ ହୋଇଯାଇଥିଲେ, ପାଟି ଖନି ମାରିଯାଇଥିଲା। ତଣ୍ଟି ଶୁଖିଯାଇଥିଲା। ବହୁତ କଷ୍ଟରେ କିଛି କାଗଜପତ୍ର ଦେଖାଇଥିଲେ ହେଲେ, ତାହା ପୁଲିସକୁ ସନ୍ତୁଷ୍ଟ କରିପାରିନଥିଲା।

ଏସ୍‌ଟିଏଫ୍‌ ଆଜି ପ୍ରଶ୍ନ କରିଥିଲା ଯେ ବେନଜୀର ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ୍‌ର ପ୍ରକୃତ ମାଲିକ କିଏ? ପାରାଦୀପ ଓ କେନ୍ଦ୍ରାପଡ଼ାରେ ଥିବା ପେଟ୍ରୋଲ ପମ୍ପ କିଏ ଚଳାଏ? ଏତେ ଟଙ୍କା କେଉଁଠୁ ପାଇଲ ଯେ ଜଣେ ଗୃହିଣୀ ହୋଇ ଅଡି ଭଳି ଦାମୀ କାର ଚଳାଉଛ? କେଉଁଠୁ ଆଣିଲ କୋଟି କୋଟି ଟଙ୍କା? ସ୍ୱାମୀ ଟିଟୋ କ’ଣ ବ୍ୟବସାୟ କରନ୍ତି? ନିର୍ଦ୍ଦିଷ୍ଟ ଭାବେ କେତେକ ଜମି କ୍ରୟ ଉପରେ ତଦନ୍ତକାରୀ ଅଧିକାରୀମାନେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ସେ କେତେକ ଜମି କ୍ରୟ/ବିକ୍ରୟ ସମ୍ପର୍କରେ ଉତ୍ତର ରଖିଥିଲେ ବଡ଼ବଡ଼ ଜମି ଡିଲ ସମ୍ପର୍କରେ ଅନ୍ୟ ଡାଇରେକ୍ଟରମାନେ ଜାଣିଥିବେ ବୋଲି ଏଡ଼ାଇ ଯାଇଥିଲେ। କୋଲକାତାର ଦେଢ଼ କୋଟି ଟଙ୍କାର ଜମି କିଣା ଓ ମାର୍ଶଘାଇ, ଗୋପ ଛକ ନିକଟରେ ଥିବା ଷ୍ଟକୟାର୍ଡ଼ ପଏଣ୍ଟର ମୂଲ୍ୟବାନ ଜମି ହାତେଇବା ସମ୍ପର୍କରେ ପଚରାଯାଇଥିଲା। ଏହି ସମୟରେ ବେନଜୀର ଅସୁସ୍ଥ ହେବା ଢଙ୍ଗରେ କାନ୍ଦ କାନ୍ଦ ହୋଇ ପଡ଼ିଥିଲେ। ରୋକ୍‌ଠୋକ୍‌ କହିଥିଲେ, ଯେତିକି ଜାଣିଛି ସେତିକି କହିଲି। ବାସ୍‌ ଅଧିକ ମୁଁ କହିପାରିବି ନାହିଁ। ଏହି ଟିମ୍‌ରେ ସାମିଲ ଥିଲେ ଡିଏସ୍‌ପି ପ୍ରିୟ ରଂଜନ ଶତପଥୀ, ଇନ୍‌ସପେକ୍ଟର ଅଳକା ପଣ୍ଡା ଓ ସାବିତ୍ରୀ ଆଚାର୍ଯ୍ୟ।

ଏହି ତିନି ଜଣିଆ ତଦନ୍ତକାରୀ ଦଳ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଛାପା ମାରିଥିଲେ। ଡିଏସ୍‌ପି ଶ୍ରୀ ଶତପଥୀ ଓ ଅନ୍ୟ ଦୁଇ ମହିଳା ଇନ୍ସପେକ୍ଯର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଜୁଡ଼ିସିଆଲ ସେକ୍ସନ୍‌ରେ ପେଟ୍ରୋଲ ପମ୍ପ୍‌ ବିଷୟରେ ତନାଘନା କରିଥିଲେ। ସେମାନେ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କ ଠାରୁ ଏହି ପେଟ୍ରୋଲ ପମ୍ପ୍‌ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ପ୍ରତିବର୍ଷ କେତେ ପରିମାଣର ପେଟ୍ରୋଲ, ଡିଜେଲ୍‌ କାରବାର ନେଇ ସେମାନେ ପ୍ରଶ୍ନ କରିଥିଲେ। ଏନ୍‌ଓସି ଥିଲା କି ନାହିଁ ସେ ବିଷୟରେ ପଚାରିଥିଲେ। ତେବେ ବିଗତ ବର୍ଷଗୁଡ଼ିକରେ ସୟଦ ବ୍ରଦର୍ସ ଫିଲିଙ୍ଗ୍‌ଷ୍ଟେସନ୍‌ର ରିଟର୍ନ ଫାଇଲ୍‌ ସଂକ୍ରାନ୍ତରେ ତଥ୍ୟ ଦେଇଥିଲେ ଯୋଗାଣ ଅଧିକାରୀ। କିନ୍ତୁ ଏନ୍‌ଓସି ବିଷୟରେ ତଦ୍‌ନ୍ତକାରୀ ଦଳ କିଛି ସ୍ପଷ୍ଟ ହୋଇ ନଥିଲେ। ପେଟ୍ରୋଲ ପମ୍ପ୍‌ର ନୋ ଅବଜେକ୍‌ସନ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତ ହୋଇ ପାରି ନଥିବାରୁ ସେମାନେ କିଛି କାଗଜପତ୍ର ପାଇ ନଥିଲେ। ତେବେ ଛୁଟି ସମୟ ହୋଇଥିବାରୁ ପରେ ଏ ସଂକ୍ରାନ୍ତରେ କାଗଜପତ୍ର ଦାଖଲ କରାଯିବ ବୋଲି ଇସ୍ୟୁ ସେକସନ୍‌ରୁ ଉତ୍ତର ପାଇ ନିରାଶ ହୋଇ ଫେରିଥିଲେ।

ସୟଦ ପେଟ୍ରୋଲ ପମ୍ପ୍‌ ବିଷୟରେ ଗତକାଲି ନୋଟିସ୍‌ ପାଇ ଭୁବନେଶ୍ୱରରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ହାଜର ହୋଇଥିଲେ କେନ୍ଦ୍ରାପଡ଼ା ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ। ପେଟ୍ରୋଲ ପମ୍ପ କିପରି ଲିଜ୍‌ ଦିଆଯାଇଥିଲା ସେ ନେଇ ତାଙ୍କୁ ପ୍ରଶ୍ନ ପଚାରାଯାଇଥିଲା। ୨୦୧୫ ଅଗଷ୍ଟ ୧ରୁ ପୌର ସଂସ୍ଥାର ରାଜିନାମାପତ୍ର ଅନୁସାରେ ୩୫ଡିସିମିଲ ଜମି ଉପରେ ଏହି ପେଟ୍ରୋଲ ପମ୍ପ୍‌ ଲିଜ୍‌ ଦିଆଯାଇଥିଲା ଓ ସେ ଲିଜ୍‌ ପ୍ରଦାନ ସମୟରେ ସେ ପୌର ଅଧିକାରୀ ନଥିଲେ ବୋଲି କହିଥିଲେ। ଚଳିତ ମାସ ୩୧ ତାରିଖରେ ଏହି ରାଜିନାମା ପତ୍ରର ଅବଧି ଶେଷ ହେଉଥିବାରୁ ପୁନର୍ବାର ରାଜିନାମା ପ୍ରକ୍ରିୟା ଅନୁସାରେ ଲିଜ୍‌ ନେଇ ବିଚାର କରାଯାଇଥାନ୍ତା ବୋଲି ସେ ଉତ୍ତର ରଖିଥିଲେ।

ଆଜି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି ଯେ ଗ୍ୟାଙ୍ଗଷ୍ଟର ଟିଟୋ ଓ ତାର ସହଯୋଗୀଙ୍କ ବିରୋଧରେ ଆଉ ୪ଟି ମାମଲା ରୁଜୁ କରାଯାଇଛି। ଟିଟୋ ଭଳି ଜଣେ ଦୁର୍ଦାନ୍ତ ଅପରାଧୀର ପତ୍ନୀ କେନ୍ଦ୍ରାପଡ଼ା ଓ ପାରାଦୀପରେ କେଉଁ ପରିସ୍ଥିତିରେ ପେଟ୍ରୋଲ ପମ୍ପ ପାଇବାକୁ ଅନୁମତି ପାଇଲେ ସେ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ଅନୁସନ୍ଧାନ କରାଯିବ। ଏଥିପାଇଁ କେସ ନମ୍ବର ୮/୧୮ରେ ମାମଲା ରୁଜୁ ହୋଇଛି। କେବଳ ସେତିକି ନୁହେଁ, ଟିଟୋ ପାଇଁ କେଉଁମାନେ କାମ କରୁଥିଲେ କିଏ ଟିଟୋ ପାଇଁ ଦାଦାବଟି ସଂଗ୍ରହ କରୁଥିଲା, କିଏ ତାର ଅପରାଧ ସାମ୍ରାଜ୍ୟ ବୁଝାବୁଝି କରୁଥିଲା ସେ ନେଇ ଖୋଳତାଡ଼ ହେବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ାର ପ୍ରେମାନନ୍ଦ ଲେଙ୍କା ନାମକ ଜଣେ ଠିକାଦାରଙ୍କ ଅଭିଯୋଗ ଆଧାରରେ ଏସ୍‌ଟିଏଫ୍‌ରେ ମାମଲା ରୁଜୁ ହୋଇଛି। ସେହିପରି ‘ଗୋଲଡେନ୍‌ ଲ୍ୟାଣ୍ଡ ଡେଭେଲପମେଣ୍ଟ’ ଅଭିଯୋଗ କ୍ରମେ ଆଉ ଏକ ମାମଲା ରୁଜୁ ହୋଇଛି।

ମାର୍ଶାଘାଇସ୍ଥିତ ଫର୍ଣ୍ଣିିଚର ଦୋକାନ ସିଲ୍‌

ମାର୍ଶାଘାଇ : ଆଜି ରାତିରେ ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋର ମାର୍ଶାଘାଇର ଜୁଣଛକ ନିକଟସ୍ଥ ‘ନେକ୍ସଟ୍‌ ଫର୍ଣ୍ଣିିଚର’ ଦୋକାନ ଉପରେ ମାର୍ଶାଘାଇ ପୁଲିସ ଓ ଏସ୍‌ଟିଏଫ୍‌ ଚଢ଼ଉ କରିଛି। ବର୍ଷାଧିକ ସମୟରୁ ଏଠାରେ ଏକ ଭଡ଼ାଘରେ ଟିଟୋର ଜଣେ ସଂପର୍କୀୟା ଆସମାନ୍‌ ପରବିନ୍‌ଙ୍କ ନାମରେ ଏହି ଫର୍ଣ୍ଣିିଚର ଦୋକାନ ଚାଲୁଥିଲା। ଏହି ଦୋକାନ ବୁଝାଶୁଝା କରୁଥିବା ପରବିନ୍‌ଙ୍କ ସ୍ୱାମୀ ଆସିକ୍‌ ଏବେ ଫେରାର୍‌ ଥିବା ପୁଲିସ କହିଛି । ବାହାରୁ ତିଆରି ହୋଇ ଆସୁଥିବା ବିଭିନ୍ନ ନାମୀଦାମୀ ଫର୍ଣ୍ଣିିଚର ଏଠାରେ ବିକ୍ରି କରାଯାଉଥିଲା । ଏସ୍‌ଟିଏଫ୍‌ ପକ୍ଷରୁ ପ୍ରିୟରଂଜନ ଶତପଥୀ, ବଦ୍ରିକା ବିଶ୍ୱାଳ ଓ ସାବିତ୍ରୀ ଆଚାର୍ଯ୍ୟଙ୍କ ସହ ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରା ଏହି ଚଢ଼ଉରେ ସାମିଲ ଥିଲେ। ଏସ୍‌ଟିଏଫ୍‌ ଏହି ଫର୍ଣ୍ଣିଚର ଦୋକାନ ସିଲ୍‌ କରିଛି।

ସମ୍ବନ୍ଧିତ ଖବର