ଟିଟୋ ପାଇଁ କମ୍ପନ : ଆର୍‌ଟିଓ, ତହସିଲ୍‌, ପୌର ଅଫିସ୍‌ରେ ପଶିଲା ଭିଜିଲାନ୍ସ; ସରକାରୀ ଅଧିକାରୀ ଛାନିଆ

ଟିଟୋର ଅପରାଧିକ ସାମ୍ରାଜ୍ୟ ସହ ବିଶାଳ ଅର୍ଥନୈତିକ ସାମ୍ରାଜ୍ୟର ଚେର ବି ଲମ୍ବା। ଏହି ଚେର ଖୋଜିବାକୁ ଭିଜିଲାନ୍ସ ତା’ର ଜାଲ ବିଛାଇଛି। କେନ୍ଦ୍ରାପଡ଼ା ଓ ଚଣ୍ଡିଖୋଲ୍‌ ଆର୍‌ଟିଓ ଅଫିସ୍‌ରେ ତନାଘନା କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ାର ବିଭିନ୍ନ ତହସିଲ୍‌ ଓ ମ୍ୟୁନିସିପାଲ୍‌ଟିରେ ବି ଖୋଳତାଡ଼ କରିଛି। ସରକାରୀ କାର୍ଯ୍ୟାଳୟରେ ଟିଟୋର ଗଭୀର ପ୍ରବେଶ ଦେଖି ଚକିତ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀମାନେ।

କଟକ/କେନ୍ଦ୍ରାପଡ଼ା/ରାଜନଗର/ ଗରଦପୁର/ଡେରାବିଶ୍‌ : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀକୁ ଅନୁକମ୍ପା ଦେଖାଇଥିବା ଅଧିକାରୀଙ୍କ ସଂପର୍କରେ ଭିଜିଲାନ୍ସ ସେଲ୍‌ ପ୍ରମାଣ ଖୋଜିବା ଆରମ୍ଭ କରିଛି। ଟିଟୋର ପତ୍ନୀ ବେନଜୀର୍‌ ବିବିଙ୍କ ନାମରେ ଚାଲିଥିବା ବ୍ୟବସାୟକୁ କେଉଁ ସରକାରୀ ଅଧିକାରୀ କେଉଁ ଢଙ୍ଗରେ ଅନୁଗ୍ରହ କରି ସୁବିଧା ଦେଇଛନ୍ତି, ତାହାର ପ୍ରମାଣ ଖୋଜାଯାଉଛି। ଭିଜିଲାନସ୍‌ ସେଲ୍‌ର ୬ଟି ଟିମ୍‌ ଆଜି କଟକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆରଟିଓ, ତହସିଲ୍‌ ଓ ମ୍ୟୁନିସପାଲିଟି ଅଫିସରେ ଚଢଉ କରି କାଗଜପତ୍ର ସଂଗ୍ରହ କରିଛନ୍ତି। ସଂପୃକ୍ତ କାର୍ଯ୍ୟାଳୟରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍‌ଟି, ଡେରାବିଶ ଓ ଗରଦପୁରସ୍ଥିତ ତହସିଲ୍‌ ଅଫିସ୍‌ ଏବଂ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ ଓ କଟକର ଆର୍‌ଟିଓ ଅଫିସ୍‌ରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଛନ୍ତି।

ଭିଜିଲାନ୍ସ ଟିମ୍‌ ଟିଟୋର ଟ୍ରାନ୍ସପୋର୍ଟ କାରବାରରେ ବ୍ୟବହୃତ ଗାଡ଼ି, ଜାଗୁଆର, ହାର୍ଲେ ଡାଭିଡସନ୍‌ ଭଳି ସୌଖୀନ ଗାଡ଼ି ସମ୍ପର୍କରେ କେନ୍ଦ୍ରାପଡ଼ା ଆର୍‌ଟିଓ ଅଫିସ୍‌ରେ ପଶି ଫାଇଲ୍‌ ଘାଣ୍ଟିଛି। ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଭିଜିଲାନ୍ସର ଏହି ଟିମ୍‌ ଟିଟୋକୁ ଦିଆଯାଇଥିବା ବାଲି, ମୋରମ୍‌ ଖାଦାନ୍‌ର ପରିମାଣ, କେଉଁ ଅଧିକାରୀ ଏସବୁ ଲିଜ୍‌ ଦେବାରେ ସହାୟତା କରିଥିଲେ ଓ କେତେ ରାଜସ୍ୱ ମିଳୁଥିଲା ସେ ସମ୍ପର୍କରେ ପ୍ରାଥମିକ ତଦନ୍ତ କରିଛନ୍ତି। ସ୍ଥାନୀୟ ଆର୍‌ଟିଓ ଅଫିସ୍‌ରେ ଏହି ଟିମ୍‌ ୨୬ଟି ଗାଡ଼ି ସମ୍ପର୍କରେ ଖୋଳତାଡ଼ କରିଥିବା ବେଳେ ମାତ୍ର ୧୦ଟି ନମ୍ବରରେ ଥିବା ଭାରୀଯାନକୁ ଠାବ କରାଯାଇ ପାରିଛି।

ଆର୍‌ଟିଓ ନିଖିଳାନନ୍ଦ ପଟ୍ଟନାୟକ ଆସନ୍ତାକାଲି ସୁଦ୍ଧା ସମସ୍ତ ଗାଡ଼ି ନମ୍ବର ଯାଞ୍ଚ କରି ରେକର୍ଡ଼ ହସ୍ତାନ୍ତର କରାଯିବ ବୋଲି ସମୟ ନେଇଛନ୍ତି। କେନ୍ଦ୍ରାପଡ଼ା ପୌର ପରିଷଦରେ ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କଠାରୁ ଅନ୍ୟ ଏକ ଟିମ୍‌ ଟିଟୋର ପତ୍ନୀ ବେନଜୀର ବିବିଙ୍କ ପକ୍ଷରୁ ପେଟ୍ରୋଲ ପମ୍ପ୍‌ ଜମି ପାଇଁ ଦେଇଥିବା ଆବେଦନ ପତ୍ର, ରାଜିନାମାର ନକଲ, ତତ୍‌କାଳୀନ କାଉନସିଲ ଦ୍ୱାରା ଗୃହୀତ ପ୍ରସ୍ତାବର ସମସ୍ତ ଦସ୍ତାବିଜ୍‌ ନକଲ ସଂଗ୍ରହ କରି ଫେରିଛନ୍ତି । ତେବେ ସୟଦ୍‌ ବ୍ରଦର୍ସ ପେଟ୍ରୋଲ ପମ୍ପ୍‌ ପାଇଁ ଲିଜ୍‌ ଦିଆଯାଇଥିବା ଜମି କିସମ ସମ୍ପର୍କରେ ତଥ୍ୟ ମିଳି ନଥିଲା । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ତହସିଲରୁ ତଥ୍ୟ ସଂଗ୍ରହ ପରେ ସବୁ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଭିଜିଲାନ୍ସର ଏକ ୪ ଜଣିଆ ଟିମ ଦିନ ସାଢେ ୧୧ଟାରୁ ସଂଧ୍ୟା ୬ଟା ପଯ୍ୟର୍ନ୍ତ ଗରଦପୁର ତହସିଲ କାର୍ଯ୍ୟାଳୟରେ ବାଲି ସୈରାତଗୁଡିକର ଟେଣ୍ଡର ଫାଇଲ ଛାନଭିନ କରିଛନ୍ତି। ଅଧିକାରୀମାନେ ୬ଟି ଫାଇଲ ଜବତ କରି ସାଙ୍ଗରେ ନେଇଛନ୍ତି । ଗରଦପୁର ତହସିଲ ଅଧୀନରେ ବିଚଣା, ପୁନ୍ଦାଳୋ, କୋରୁଆ, ଗରଦପୁର, ନାଗଣପୁର ବାଲି ସୈରାତ ବାଲି ସୈରାତ ଟେଣ୍ଡରରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଟିଟୋର କି ପ୍ରକାର ସଂପୃକ୍ତି ରହିଥିଲା, ଟିଟୋ ଲିଙ୍କରେ ରହି ଅନ୍ୟ କେଉଁମାନେ ବାଲି ଟେଣ୍ଡର ହାତେଇଛନ୍ତି, ଅଫିସର ଓ କର୍ମଚାରୀମାନଙ୍କ ଏଥିରେ କି ପ୍ରକାର ଭୂମିକା ଥିଲା, ଟେଣ୍ଡରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ନା ନାହିଁ, ଦୀର୍ଘ ବର୍ଷ ଧରି ବାଲି ସୈରାତ ନାମକୁ ମାତ୍ର ଟେଣ୍ଡର କରାଯାଇ କିଭଳି ନିର୍ଦ୍ଦିଷ୍ଟ କେତେ ଜଣ ବ୍ୟକ୍ତିଙ୍କୁ ଟେକି ଦିଆଯାଇଛି ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲା ଭିଜିଲାନ୍ସ ଟିମ। ତହସିଲଦାର ଉମାକାନ୍ତ ବିଶ୍ୱାଳ ଓ ହେଡକ୍ଲର୍କ କାଗଜପତ୍ର, ଫାଇଲ ଦେଖାଇଥିଲେ। ତହସିଲଦାର ଶ୍ରୀ ବିଶ୍ୱାଳଙ୍କ ସମୟରେ ବାଲି ସୈରାତ ଟେଣ୍ଡର ହୋଇ ନ ଥିବା କୁହାଯାଉଥିବା ବେଳେ ପୂର୍ବ ତହସିଲଦାରମାନଙ୍କ ସମୟରେ ଏପରି ଚଞ୍ଚକତା, ଅନିୟମିତତା ହୋଇଥିବା କୁହାଯାଉଛି।

ଭିଜିଲାନ୍ସ ଟିମ୍‌ ଡେରାବିଶ ତହସିଲ କାଯ୍ୟଳୟରେ ପହଞ୍ଚି ଟିଟୋ ଲିଜ୍‌ ନେଇଥିବା ବିଭିନ୍ନ ବାଲିଘାଟ ନିଲାମ ସଂପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଭିଜିଲାନ୍ସ ଡିଏସ୍‌ପି ପ୍ରକାଶ କୁମାର ନାୟକ, ସରୋଜ ସାମଲ ଓ ସୁଶାନ୍ତ ସେନ୍‌ଙ୍କ ନେତୃତ୍ୱରେ ଏହି ଟିମ୍‌ ତହସିଲ କାଯ୍ୟର୍ାଳୟର ରେକର୍ଡ ରୁମରେ ପଶି ଦୀର୍ଘ ସମୟ ଧରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ବାଲିଘାଟର ନିଲାମ ଓ ଲିଜ କାଯ୍ୟର୍ରେ କିଛି ଅନିୟମିତତା ହୋଇଛି କି ନାହିଁ ଓ ଟିଟୋକୁ ଏଥିରେ କାଯ୍ୟର୍ାଳୟର କେଉଁ କେଉଁ ସରକାରୀ ବାବୁ ଅନୁକମ୍ପା ଦେଖାଇଛନ୍ତି ସେ ନେଇ ତଦନ୍ତ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଏଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଯାଇଥିବା ଜଣାପଡ଼ିଛି।

ଟିଟୋ ପତ୍ନୀ ବେନଜିର ବିବିଙ୍କ ନାମରେ କେନ୍ଦ୍ରାପଡ଼ାରେ ଥିବା ପେଟ୍ରୋଲ ପମ୍ପକୁ ରାସ୍ତା ତିଆରି ପାଇଁ ସରକାରୀ ଜମି ଲିଜ୍‌ ଦିଆଯାଇଛି। କେଉଁ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଥିଲା, ଏଥିରେ କେଉଁ ଅଧିକାରୀଙ୍କର ସ୍ୱୀକୃତି ଥିଲା, ସେ ସଂକ୍ରାନ୍ତରେ କାଗଜପତ୍ର ସଂଗ୍ରହ ପାଇଁ ଆଜି କେନ୍ଦ୍ରାପଡ଼ା ମ୍ୟୁନିସପାଲିଟି ଅଫିସରେ ଭିଜିଲାନ୍ସ ସେଲ୍‌ ଟିମ୍‌ ଚଢଉ କରିଥିଲେ। ଲିଜ୍‌ ଦିଆଯାଇଥିବା ଜମିର ମୂଲ୍ୟ ସମ୍ପର୍କରେ ଭିଜିଲାନସ ଟିମ ଖୋଳତାଡ଼ କରିଥିଲେ। ଉପନିବନ୍ଧକ ଶିବ ଚରଣ ମଲ୍ଲିକ ଉକ୍ତ ଜମିଟି ସମ୍ପୂର୍ଣ୍ଣ ଭାବେ ସରକାରୀ ହୋଇଥିବାରୁ ଏହାର କୌଣସି ବେଞ୍ଚମାର୍କ ଭ୍ୟାଲୁ ନ ଥିବା ଜଣାଇଥିଲେ। ସେହିପରି ମେସର୍ସ ବେନଜିର ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଟିଟୋ ନାମରେ ପଂଜିକୃତ ହୋଇଥିବା ବିଭିନ୍ନ ଗାଡ଼ି ସଂକ୍ରାନ୍ତରେ କଟକ, ଚଣ୍ଡୀଖୋଲ ଓ କେନ୍ଦ୍ରାପଡ଼ା ଆର୍‌ଟିଓ କାର୍ଯ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯାଇଛି। ଟିଟୋର ବିଭିନ୍ନ ବ୍ୟବସାୟରେ ଲାଗିଥିବା ଗାଡ଼ିଗୁଡିକର ବୈଧତା, ଫିଟ୍‌ନେସ୍‌, ଆଇନ୍‌ ଅନୁୟାୟୀ ପଂଜୀକରଣ ହୋଇଛି କି ନାହିଁ, ସେସବୁ ବିଷୟରେ ଆର୍‌ଟିଓ କାର୍ଯ୍ୟାଳୟରେ ଥିବା ସଫ୍‌ଟଓୟାରର ଆଡ୍‌ମିନ୍‌ରୁ ସମସ୍ତ ତଥ୍ୟକୁ ହାସଲ କରାଯାଇଛି। ଯଦି କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗର ସତ୍ୟତା ପ୍ରମାଣିତ ହୁଏ ତାହେଲେ ଦୁର୍ନୀତି ନିବାରଣ ଆଇନ ଧାରା ୧୯୮୮ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଟକ ସଦର ତହସିଲ୍‌ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର କିଛି ଅଧିକାରୀ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ସେଲର ଚଢଉକୁ ଆଗକୁ ଅଧିକ ଜୋରଦାର କରାଯିବ ବୋଲି ସୂଚନା ମିଳିଥିବା ବେଳେ ଟିଟୋକୁ ଅନୁକଂପା ଦେଖାଇ ଆସିଥିବା ଅଧିକାରୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି।

ଭିଜିଲାନ୍ସକୁ ଦେଖି କର୍ମଚାରୀ ଛୁ’

ଚଣ୍ଡିଖୋଲ : ଟିଟୋର ସରକାରୀ ବାବୁମାନଙ୍କ ସହ ସଂପର୍କକୁ ନେଇ ଆଜି ଚଣ୍ଡିଖୋଲ ଆର୍‌ଟିଓ ଅଫିସ୍‌ରେ ଭିଜିଲାନ୍ସ ପକ୍ଷରୁ ଛାନଭିନ୍‌ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିବା ଜାଣି ଅଫିସ୍‌ର କର୍ମଚାରୀ ଓ ଉପସ୍ଥିତ ଦଲାଲ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଆରଟିଓ ଲାଲମୋହନ ସେଠୀ କର୍ମଚାରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ତେବେ ଭିଜିଲାନ୍ସ ଅଧିକାରୀମାନେ ୧୬ଟି ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ୧୦ଟି ଗାଡ଼ିର କାଗଜପତ୍ର ଆରଟିଓ ଅଫିସ୍‌ ଯୋଗାଇ ଦେଇଥିବା ବେଳେ ଅନ୍ୟ ୬ଟି ଗାଡ଼ିର କାଗଜପତ୍ର ଆସନ୍ତାକାଲି ଯୋଗାଇ ଦିଆଯିବ ବୋଲି ଜଣାଯାଇଛି।

ଭିଜିଲାନ୍‌ସ ଡିଏସପି ଶିଶିରକୁମାର ସାହୁଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍‌ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ। ଚଢଉ ସମ୍ପର୍କରେ ଭିଜିଲାନସ ଅଧିକାରୀମାନେ ଅଧିକ ସୂଚନା ଦେବାକୁ ମନା କରିଦେଇଥିଲେ ମଧ୍ୟ ଟିଟୋ ଲିଙ୍କରେ ଥିବା ମୋଟ୍‌ ୧୬ଟି ଗାଡ଼ିକୁ ନେଇ ଭିଜିଲାନସ ଟିମ୍‌ ଖୋଳ ତାଡ଼ କରିଥିବା ଜଣାଯାଇଛି।

ଚଣ୍ଡିଖୋଲ ଆରଟିଓ ଶ୍ରୀ ସେଠୀଙ୍କ କହିବା ଅନୁଯାୟୀ ଭିଜିଲାନସ ଟିମ୍‌ ୧୬ଟି ଗାଡ଼ିର କାଗଜପତ୍ର ମାଗିଥିଲେ। ସେଥି ମଧ୍ୟରେ ୧୩ଟି ଦଶ ଚକିଆ ଟ୍ରକ୍‌ ଥିବା ବେଳେ ଗୋଟିଏ ଛଅ ଚକିଆ ଟ୍ରକ୍‌ ଓ ଦୁଇଟି ମୋଟର ସାଇକେଲ ରହିଛି। ସେଥିମଧ୍ୟରୁ ୨୦୧୧ ରୁ ୨୦୧୪ ମସିହା ମଧ୍ୟରେ ୧୦ଟି ଗାଡ଼ିର ପଞ୍ଜୀକରଣ ସମୟର ସମସ୍ତ ମୂଳ କାଗଜ ପତ୍ର ସହ ଗାଡ଼ିଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ଭିଜିଲାନସ ଟିମ୍‌କୁ ପ୍ରଦାନ କରାଯାଇଛି। ଅନ୍ୟ ଛଅଟି ଗାଡ଼ି ବହୁ ପୂର୍ବରୁ ପଞ୍ଜୀକରଣ ହୋଇଥିବାରୁ ସେଗୁଡ଼ିକର ମୂଳ କାଗଜ ପତ୍ର ପ୍ରଦାନ କରିବା ସମ୍ଭବ ହୋଇପାରିନାହିଁ। ଏହି ଗାଡ଼ିଗୁଡ଼ିକର ସମସ୍ତ କାଗଜପତ୍ର ଆସନ୍ତାକାଲି ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଯେଉଁଗାଡ଼ିଗୁଡ଼ିକ ବିଷୟରେ ଭିଜିଲାନସ ଟିମ୍‌ ତନଖି ଆରମ୍ଭ କରିଥିଲେ ସେଥିରେ ଟିଟୋ ନାମରେ କୌଣସି ଗାଡ଼ି ପଞ୍ଜୀକରଣ ହୋଇ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଗାଡ଼ିଗୁଡ଼ିକ ଟିଟୋର ବ୍ୟବସାୟିକ ପରିସୀମା ମଧ୍ୟରେ ଓ ତାର ସହଯୋଗୀଙ୍କ ନାମରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ପୁନର୍ବାର ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟୋର ବହୁ ସହଯୋଗୀ ଚଢୁଥିବା ଗାଡ଼ି ଓ ବ୍ୟବସାୟରେ ଲଗା ଯାଇଥିବା ଗାଡ଼ି ଚଣ୍ଡିଖୋଲ ଆରଟିଓରେ ପଞ୍ଜୀକୃତ ହୋଇଛି। ସେହି ଗାଡ଼ିଗୁଡ଼ିକର ଟିକସ ଏବଂ ଫିଟନେସ୍‌ ଉପରେ ଭିଜିଲାନସ ପୁନର୍ବାର ତଦନ୍ତ କରି ପାରେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର