ଏସ୍‌ଟିଏଫ୍‌ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ, ଅଣ୍ଡରଓ୍ଵାର୍ଲ୍ଡ ଲିଙ୍କ୍‌ ନେଇ ହେଉଛି ଖୋଳତାଡ଼

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି। ବିଶେଷକରି ଟିଟୋର ଅଣ୍ଡରଓ୍ଵାର୍ଲଡ୍‌ ଲିଙ୍କ ନେଇ ଖୋଳତାଡ଼ କରାଯାଉଛି। ଟିଟୋ ଓ ତାର ସହଯୋଗୀମାନଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୬୦ରୁ ଅଧିକ ମାମଲା ରହିଛି। ଯେଉଁଥିରେ ରହିଛି ଅପହରଣ, ହତ୍ୟା, ଟେଣ୍ଡର ଫିକ୍ସିଂ, ହତ୍ୟା ଉଦ୍ୟମ, ବୋମାମାଡ଼ ଭଳି ସଂଘାତିକ ଅଭିଯୋଗ। ପୁଲିସ ତା’ ନେଟଓ୍ଵର୍କ ବିଷୟରେ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରର କେତେକ ସ୍ଥାନରେ ବିଗତ ଦିନରେ ଘଟିଥିବା ହତ୍ୟାକାଣ୍ଡ, ଗୁଳିମାଡ଼, ବୋମାମାଡ଼, ଦାଦାବଟି ଅପରାଧର ଛାନଭିନ୍‌ କରାଯାଉଛି। ରାଜ୍ୟ ଓ ରାଜ୍ୟ ବାହାରେ ଟିଟୋର ନେଟଓ୍ଵର୍କ ରହିଛି। ସେ ନେଇ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଅନୁସନ୍ଧାନ କରୁଛି। ଟିଟୋର ଭୟରେ ବ୍ୟବସାୟୀ, ବିଲଡର, ଠିକାଦାର ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଥିଲେ। ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଦାଦବଟି ଆଦାୟ ତାର ମୁଖ୍ୟ ପେସା ପାଲଟି ଯାଇଥିଲା।

ଏଠାରେ ପ୍ରକାଶଥାଉକି, ସପ୍ତାହକ ତଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନ ଦିଲାରପୁରର ଘରେ ଚଢ଼ଉ କରି ଟିଟୋ ସମେତ ୬ ଜଣ ସହଯୋଗୀକୁ ଗିରଫ କରିଥିଲା। ପରେ ତାକୁ ବଡ଼ଚଣା ପାଖରେ ଏନ୍‌କାଉଣ୍ଟର କରାଯାଇଥିଲା।

ସମ୍ବନ୍ଧିତ ଖବର