ରିମାଣ୍ଡ ଶେଷ : ବାରିମୂଳ ଜେଲ୍‌ ଗଲା ଟିଟୋ

କେନ୍ଦ୍ରାପଡ଼ା :ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସ୍‌ମାନ ଅଲ୍ଲୀର ଆଜି ରିମାଣ୍ଡ ଶେଷ ହୋଇଥିବା ବେଳେ ତାକୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ଟିଟୋକୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ ଜେଲ୍‌ ପଠା ଯାଇଛି। ଟିଟୋକୁ ରିମାଣ୍ଡରେ ନେଇ କେନ୍ଦ୍ରାପଡ଼ା ପୁଲିସ୍‌ ୩ଟି ହତ୍ୟାକାଣ୍ଡ ସଂପର୍କରେ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଛି। ଜେରା ସମୟରେ ଟିଟୋ କେବଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ସ୍ୱୀକାର କରି ନାହିଁ ବରଂ ଗ୍ୟାଙ୍ଗ୍‌ଓ୍ଵାର, ଠିକାଦାରଙ୍କ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଏହି ଜେରା ବେଳେ ସୁଲେମାନ୍‌ ହତ୍ୟା ଘଟଣା ଲିଙ୍କ୍‌ରେ ଥିବା କେତେକ ଗ୍ୟାଙ୍ଗ୍‌ ସଦସ୍ୟ ମାମଲାକୁ କିପରି ରଫାଦଫା କରିବାରେ ସଫଳ ହେଲେ ସେନେଇ ମଧ୍ୟ ପୁଲିସ୍‌ କେତେକ ତଥ୍ୟ ହାସଲ କରିଛି। ସ୍ପଷ୍ଟ ଦିବାଲୋକରେ ସୁଲେମନ୍‌କୁ ହତ୍ୟା କରାଯାଇଥିଲେ ହେଁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍‌ ହୋଇଥିଲେ। ଟିଟୋ ଅନ୍ୟ ହତ୍ୟାକାଣ୍ଡଗୁଡ଼ିକ ଭଳି ଏହାକୁ ମଧ୍ୟ ନିଜେ କରାଇଥିବା ପୁଲିସ୍‌ ନିକଟରେ ସ୍ୱୀକାର କରିଛି। ଠିକାଦାର ଶିବ ପ୍ରସାଦ ପରିଡ଼ା ଘଟଣାରେ ପଚରାଉଚୁରା ବେଳେ ମୋରମ୍‌ କାମରେ ଠକାମି ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଟିଟୋ ନିର୍ଦ୍ଦେଶରେ ଶିବ ପ୍ରସାଦ ଯେଉଁସବୁ ଖାଦାନରୁ ମୋରମ୍‌ ଆଣିଥିଲେ ସେତେବେଳେ ସହଯୋଗୀ ବବ୍‌ଲୁ କୁଆଡ଼େ ଏଥିରେ ସଂପୃକ୍ତ ଥିଲା। ଯେଉଁ ଠାରୁ ୨ଶହ ଟ୍ରିପ୍‌ ମୋରମ୍‌ ଆସିବା କଥା ସେଠାରୁ ୬ଶହ ଟ୍ରିପ୍‌ ମୋରମ୍‌ ଆଣି ଟିଟୋକୁ ଭୂଆଁ ବୁଲାଇବାକୁ ଚେଷ୍ଟା ହୋଇଥିଲା। ଏହା ଟିଟୋ ନଜରରେ ପଡ଼ିବା ପରେ ଶିବଙ୍କୁ ସେ ଘରକୁ ଡାକି ନିର୍ଧୁମ ମାଡ଼ ଦେଇଥିଲା ବୋଲି ପୁଲିସ୍‌ ନିକଟରେ ବୟାନ ଦେଇଛି। ଏମିତିକି ନିର୍ଦ୍ଦିଷ୍ଟ ଘଟଣାରେ ବିଶ୍ୱସ୍ତ ବବ୍‌ଲୁକୁ ତାର ଏସମସ୍ତ କାରବାରରୁ ଦୂରେଇ ରଖିଥିଲା ।

ଆଉ କିଛି ଦିନ ମଧ୍ୟରେ କେନ୍ଦ୍ରାପଡ଼ା ପୁଲିସ୍‌ ପୁଣି ସଦର ଥାନାର ଏକ ହତ୍ୟା ମାମଲା ଓ ପାଟକୁରାର ଟେଣ୍ଡର ଫିକ୍ସିଂ, ବୋମାଡ଼ ଘଟଣାରେ ଟିଟୋକୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର