କେନ୍ଦ୍ରାପଡ଼ା/ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ସୟଦ୍ ଉସ୍ମାନ ଅଲ୍ଲୀ ଓରଫ୍ ଟିଟୋର ୧୨ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। କଡ଼ା ପୁଲିସ୍ ପହରା ଭିତରେ ତାକୁ ଆଜି କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟ ହାଜର କରାଯାଇଥିଲା। ଏସ୍ଟିଏଫ୍ ପକ୍ଷରୁ ଟିଟୋକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ ତାକୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଜେଲ୍କୁ ନିଆଯିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ରଖି ଟିଟୋ କହିଥିଲା ଯେ ସେ ନିର୍ଦ୍ଦୋଷ, ତାକୁ ବିନା ଦୋଷରେ ଫସାଇ ଦିଆଯାଇଛି। ମିଛ କେସ୍ ଦେଇ ହଇରାଣ କରାଯାଉଛି। ତେବେ ଏଥିପାଇଁ କୌଣସି ରାଜନୈତିକ ଷଡ଼ଯନ୍ତ୍ର ଥିବା ବିଷୟରେ ପଚାରିବାରୁ ଟିଟୋ କହିଥିଲା ‘ନୋ କମେଣ୍ଟ୍ସ’। ଟିଟୋ ଏତିକି କହିବା ପରେ ପୁଲିସ୍ କଡନରେ ତାକୁ କୋର୍ଟ ଭ୍ୟାନ୍କୁ ଭିଡି ନିଆଯାଇଥିଲା।
ଅନ୍ୟପକ୍ଷରେ ଟିଟୋକୁ ୩ ଥର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ତାର ଗ୍ୟାଙ୍ଗ୍ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ଟିଟୋର ସାମ୍ରାଜ୍ୟକୁ ଧୂଳିସାତ କରିବାକୁ ଏସ୍ଟିଏଫ୍ ନକ୍ସା ପସ୍ତୁତ କରି ସାରିଛି। ଏବେ ସୁଦ୍ଧା ଏସ୍ଟିଏଫ୍ ଟିଟୋ ସମେତ ୯ ଜଣ ସହଯୋଗୀଙ୍କୁ ଗିରଫ କରି ସାରିଲାଣି। ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଏସ୍ଟିଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ବାହୁଡା ଯାତ୍ରା ପରେ ଟିଟୋକୁ ପୁଣି ଥରେ ରିମାଣ୍ଡରେ ଅଣା ଯିବ।
ରାଜନଗର ଓ ଆଳିରେ ଜଳ ସମ୍ପଦ ବିଭାଗରେ ଠିକା କାମ ନେଇଥିବା କେନ୍ଦ୍ରାପଡ଼ାର ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କଠାରୁ ଟିଟୋ ଓ ତାର ସହଯୋଗୀମାନେ ବନ୍ଧୁକ ମୁନରେ ୭୦ ଲକ୍ଷ ଟଙ୍କା ବଟି ଆଦାୟ କରିଥିଲେ। ଏ ନେଇ ୩ ଦିନ ତଳେ ପ୍ରେମାନନ୍ଦ ଏସ୍ଟିଏଫ୍ରେ ଅଭିଯୋଗ କରିବା ପରେ ଏସ୍ଟିଏଫ୍ ପକ୍ଷରୁ କେସ ନମ୍ବର ୯/୧୮ରେ ମାମଲା ରୁଜୁ ହୋଇଛି। ସେହି ମାମଲାର ଖୋଳତାଡ଼ ପାଇଁ ଟିଟୋକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଗତକାଲି ସ୍ୱତନ୍ତ୍ର ଟାସ୍କଫୋର୍ସ ଗିରଫ କରିଥିବା ବାବୁଲା ପତି ଓ ସୟଦ୍ ସେକ୍ ନାମରେ ଜିଆର୍ ୮୮୨/୧୮, ଏସ୍ଟିଏଫ୍ କେସ୍ ନଂ ୮/୧୮ରେ ଆଇପିସିର ୩୮୬, ୪୧୧, ୪୧୪, ୪୨୦, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ ପରେ ଡିଏସ୍ପି ରାମଚନ୍ଦ୍ର ଥମ୍ବ ଏହାର ତଦନ୍ତ କରୁଛନ୍ତି। ଏସ୍ ଟିଏଫ୍ କେସ୍ ନଂ ୯ରେ ଟିଟୋ, ପତ୍ନୀ ବେନଜିର ବିବିଙ୍କ ନାମରେ ଆଇପିସିର ୩୮୯, ୫୦୬, ୫୦୭, ୨୫, ୨୭ ଆର୍ମସ ଆକ୍ଟ ଓ ୧୦ ନମ୍ବର କେସ୍ରେ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଟିଟୋର ଦୁଇ ସହଯୋଗୀ ଶୁଭେନ୍ଦୁ ଓରଫ୍ ବାବୁଲା ପତ୍ରୀ ଓ ସେକ୍ ସୟଦ୍କୁ ଆଜି କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ୍ ନାମଂଜୁର ହୋଇଯିବାରୁ ଉଭୟଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଏ ଦୁଇଜଣଙ୍କ ମଧ୍ୟରୁ ବାବୁଲା ବିଜେପିରୁ ୩ ନମ୍ବର ଓ୍ଵାର୍ଡ଼ କାଉନସିଲର ପ୍ରାର୍ଥୀ ଥିବାରୁ ତାର କିପରି ଟିଟୋ ସହ ରାଜନୈତିକ ଲିଙ୍କ୍ ଥିଲା ସେନେଇ ଏସ୍ଟିଏଫ୍ ଖୋଳତାଡ଼ ଚଳାଇଛି। ଏ ଦୁଇ ଜଣଙ୍କୁ ମଧ୍ୟ ସାର୍ପ ସୁଟର ଭାବେ ଟିଟୋ ବ୍ୟବହାର କରୁଥିବା ସୂଚନା ମିଳିଛି। ଜିଆର୍ କେସ୍ ନଂ ୮୮୪/୧୮ରେ ଆଇପିସିର ଧାରା ୪୪୭, ୫୦୬, ୧୨୦(ଖ), ୩୪ ଦଫା ଓ ୨୫, ୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଏସ୍ଟିଏଫ୍ କୋର୍ଟରେ ଆବେଦନ କରିବ।
ଏସ୍ଟିଏଫ୍ ବ୍ୟତୀତ କମିସନରେଟ୍ ପୁଲିସ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପୁଲିସ ମଧ୍ୟ ଟିଟୋକୁ ରିମାଣ୍ଡରେ ନେବ। ଏହି ସବୁ ସ୍ଥାନରେ ଘଟିଥିବା ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଦାଦାବଟି ଆଦାୟ, ଟେଣ୍ଡରଫିକ୍ସିଂ ଭଳି ଅପରାଧରେ ଟିଟୋ ଓ ତାର ସହଯୋଗୀମାନେ ସଂପୃକ୍ତ ଅଛନ୍ତି। ଏହି ସବୁ ମାମଲା ଉପରୁ ପରଦା ଉଠାଇବାକୁ ଅଭିଯାନ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/tito-1.jpg-f-1.jpg)