ଗ୍ୟାଙ୍ଗଷ୍ଟର ଟିଟୋ ଝାରପଡ଼ା ଜେଲକୁ ସ୍ଥାନାନ୍ତର

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ୍ ଟିଟୋକୁ ଆଜି କଡ଼ା ପହରା ବ୍ୟବସ୍ଥାରେ ଭୁବନେଶ୍ବର ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି। ଟିଟୋ ଗିରଫ ପରେ ବାରିମୂଳ ଉପକାରାଗାରରେ ରହି ଆସୁଥିବା ବେଳେ ଜେଲ୍ ବିଭାଗ ଉଚ୍ଚ କର୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ଟିଟୋକୁ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରିଥିଲେ। ଏସ୍‌ଟିଏଫ୍ ଟିଟୋକୁ ଚଣ୍ତୀଖୋଲ ନିକଟରେ ଏନକାଉଣ୍ଟର କଲା ପରେ ଗତ ବର୍ଷ ଜୁଲାଇ ୩ ତାରିଖରେ ଗିରଫ କରି ସ୍ଥାନୀୟ ବାରିମୂଳ ଉପକାରାଗାରରେ ରଖିଥିଲା ।ପୂର୍ବରୁ ଏହି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ସମ୍ବଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତମାନ ଟିଟୋ ଗ୍ୟାଙ୍ଗର ୧୨ ଜଣ, ହାଇଦର ଗ୍ୟାଙ୍ଗର ୩ ଜଣ ଓ ଲିଟୁ ଦାସ ଗ୍ୟାଙ୍ଗର ୩ ଜଣ ସଦସ୍ୟ ବାରିମୂଳ ଜେଲରେ ଅଛନ୍ତି। ତେବେ ଜେଲ୍ ଭିତରେ ଏକାଧିକ ପରସ୍ପର ବିରୋଧୀ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବାରୁ ଜେଲ ଭିତରେ ଅନେକ ଥର ଗ୍ୟାଙ୍ଗ୍ ୱାର ହୋଇଥିଲା। ଓକିଲ ମାନଙ୍କ ଧର୍ମଘଟ ବେଳେ ଏହି ବାରିମୂଳ ଜେଲରେ କ୍ଷମତା ଠାରୁ ପ୍ରାୟ ୨ ଗୁଣା ଅଧିକ ବିଚାରାଧୀନବନ୍ଦୀ ଥିବାରୁ ସମସ୍ୟା ଦେଖା ଦେଇଥିଲା । ତେଣୁ ୫୦ ଜଣ ବନ୍ଦୀଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତମାନ ଏହି ଉପକାରାଗାରରେ ୨୭୪ ଜଣ ବିଚାରାଧୀନ ବନ୍ଦୀ ରହୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର