କେନ୍ଦ୍ରାପଡା/ରାଜନଗର/କଟକ : ଗ୍ୟାଙ୍ଗ୍ଷ୍ଟର ଟିଟୋ ପିନ୍ଧୁଥିଲା ୫ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା। ଏହି ଘଣ୍ଟାକୁ ଜବତ କରିଛି ଏସ୍ଟିଏଫ୍ । ଉକ୍ତ ଘଣ୍ଟାର ବ୍ୟାଣ୍ଡ୍ଟି ସୁନାରେ ହୋଇଥିବା ବେଳେ ଚାବିଟି କୁଆଡ଼େ ହୀରାରେ ଲାଗିଥିଲା ବୋଲି କୁହାଯାଉଛି। ଏହି ଜବତ ଘଣ୍ଟା ସମ୍ପର୍କରେ ମଧ୍ୟ ପୁଲିସ୍ ତନାଘନା ଚଳାଇଛି। ଟିଟୋର ସମ୍ପର୍କୀୟମାନେ ପିନ୍ଧୁଥିବା ସୁନା ଗହଣା କେଉଁଠି ରଖିଛନ୍ତି ସେ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରୁଛି।
କେନ୍ଦ୍ରାପଡ଼ା ବଜାର ଷ୍ଟେଟ୍ ବ୍ୟାଙ୍କ୍ ଓ ମୁଖ୍ୟ ଶାଖାରେ ଟିଟୋର ପ୍ରତିମାସରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର କାରବାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି । କେବଳ ୨୧ ଲକ୍ଷ ଟଙ୍କାର ହାର୍ଲେ ଡାଭିଡସନ୍ ବାଇକ୍ ନୁହଁ ମୂଲ୍ୟବାନ ଗାଡ଼ି ସବୁ ଏହି ଦୁଇ ବ୍ୟାଙ୍କ୍ରୁ ଫାଇନାନ୍ସ ହୋଇଥିଲା। ଟିଟୋ ପାଇଁ ଏ କ୍ଷେତ୍ରରେ ଅନୁକମ୍ପା ଦେଖା ଯାଇଥିଲା କି ନା ସେ ନେଇ ପୂରା କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ସ୍ୱତନ୍ତ୍ର ଟାସ୍କଫୋର୍ସ। କୋଟିକୋଟି ଟଙ୍କାର ସମ୍ପତ୍ତିର ହିସାବ ପାଇଁ ସ୍ୱତନ୍ତ୍ର ଭାବେ ହିସାବ ନିରୀକ୍ଷକ ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ଙ୍କ ସହାୟତା ଲୋଡ଼ା ଯାଇଛି। ବେନଜିର ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ସମେତ ଅନ୍ୟାନ୍ୟ କାରବାରରେ ଲାଗିଥିବା ଫାଇଲ ସଂଗ୍ରହ କରାଯାଇଛି। ଅନ୍ୟ ୪ଟି ଟିମ୍ ଟିଟୋର ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ସ୍ୱତନ୍ତ୍ର ଭାବେ ତଦନ୍ତ ଚାଲୁ ରଖିଛନ୍ତି ।
ପୂର୍ବତନ ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ତଦନ୍ତ ପରିସରଭୁକ୍ତ
କେନ୍ଦ୍ରାପଡ଼ା ଓ ପାରାଦ୍ୱୀପରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଦୁଇଟି ପେଟ୍ରୋଲ ପମ୍ପ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଟିଟୋର ପତ୍ନୀ ବେନଜିର ବିବିଙ୍କ ନାମରେ ଥିବା ସୟଦ ବ୍ରଦର୍ସ ଫିଲିଙ୍ଗ୍ ଷ୍ଟେସନ୍, ଖାତା ନଂ. ୬୨୯/୩୯୬, ପ୍ଲଟ୍ ୩୮୧/୧୫୩୧, ଖାତା ନଂ. ୬୨୬/୪୩୬ ପ୍ଲଟ୍ ନଂ. ୩୮୧/୧୫୩୨ରେ ରହିଛି। ତେବେ, ଏହି ପେଟ୍ରୋଲ ପମ୍ପ ପାଇଁ କିଭଳି ଅନୁମତି ମିଳିଲା, ତାହା ଜାଣିବା ପାଇଁ ତତ୍କାଳୀନ ପୌରାଧ୍ୟକ୍ଷ ଧୀରେନ୍ କୁମାର ସାହୁ ଓ ପୌର ନିର୍ବାହୀ ଅଧିକାରୀ ଚରଣ ବେହେରାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ଦୁଇ ଜଣ ଜେରାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ସ୍ୱତନ୍ତ୍ର ଟାସ୍କଫୋର୍ସର ଜଣେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।
୩ ଡଜନ ଠିକାଦାରଙ୍କ ସମ୍ପର୍କରେ ଖୋଳତାଡ଼
ଗ୍ୟାଙ୍ଗ୍ଷ୍ଟାର ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀର ଟେଣ୍ଡର ଫିକ୍ସିଂ ଓ ତା’ ଲିଙ୍କ୍ରେ ଥିବା ଠିକାଦାରଙ୍କ ସଂପର୍କରେ ଆରମ୍ଭ ହୋଇଛି ଖୋଳତାଡ଼। କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିଟୋର ଅପରାଧ ଓ ଆର୍ଥକ ସାମ୍ରାଜ୍ୟ ଉପରେ ଛାପା ମାରିବା ପରେ ଏବେ ଟେଣ୍ଡର ଫିକ୍ସିଂ ଉପରେ ନଜର ପକାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଟେଣ୍ଡର ଫିକ୍ସିଂରେ ଟିଟୋ ସହ କେଉଁ କେଉଁ ଠିକାଦାର ଲିଙ୍କ୍ରେ ଥିଲେ ଏବଂ ଫିକ୍ସିଂ ପରେ କେଉଁ କେଉଁ ଠିକାଦାର କାମ ହାତେଇଛନ୍ତି ସେ ନେଇ ଖୋଳତାଡ ଆରମ୍ଭ ହୋଇଛିି। ଟିଟୋ ଲିଙ୍କ୍ରେ ଜିଲ୍ଲାର ୩ ଡଜନରୁ ଅଧିକ ଠିକାଦାର ରହିଥିବା ସମ୍ପର୍କରେ ତଦନ୍ତକାରୀ ଦଳକୁ ସୂଚନା ମିଳିଥିବା ଜଣାପଡ଼ିଛି।