ଟିଟୋ କବ୍‌ଜାରେ ବାଲି ସୈରାତ୍‌ : କୂଳକିନାରା ପାଉନି ଭିଜିଲାନ୍ସ, ସରକାର ହରାଇଛନ୍ତି କୋଟିକୋଟି ଟଙ୍କାର ରାଜସ୍ୱ

ଆଜିଠାରୁ ଚାରିଦିନିଆ ରିମାଣ୍ଡରେ ଯିବ

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଗିରଫ ହେବା ପରେ ତାଙ୍କ କଳାସାମ୍ରାଜ୍ୟର ଖୋଳତାଡ଼୍‍ ଅବ୍ୟାହତ ରହିଛି। ତେବେ, ବାଲି ସୈରାତ୍‌ରେ ତଦନ୍ତକାରୀ ଦଳ କୌଣସି କୂଳକିନାରା ପାଉନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାର ସବୁତକ ବାଲି ସୈରାତ୍‌ ଟିଟୋ ଅଧୀନରେ ଥିବାବେଳେ ତା’ ଇଚ୍ଛାରେ ହିଁ ମୂଲଅମୂଲରେ ନିଲାମ୍‌ ଦିଆଯାଉଥିଲା। ନିଲାମ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ବିନା ଦ୍ୱିଧାରେ ସୈରାତ୍‌କୁ ଟିଟୋ ହାତରେ ଟେକି ଦେଉଥିଲେ। ଏ ବାବଦରେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଇଥିବା ଆକଳନ କରାଯାଇଛି।

ସରକାରୀ ହିସାବରେ କେନ୍ଦ୍ରାପଡ଼ାରେ ସମୁଦାୟ ୨୬ଟି ବାଲି ସୈରାତ୍‌ ଥିବାବେଳେ ବେନିୟମ୍‌ ଭାବେ ୬/୭ଟି ସୈରାତ୍‌ ରହିଛି। ଏହିସବୁ ସୈରାତ୍‌ ଉପରେ କେବଳ ଟିଟୋର ହିଁ ରାଜ୍‌ ଚାଲି ଆସୁଥିଲା। ଏପରିକି, ବାଲି ଦର ନିର୍ଦ୍ଧାରଣ ମଧ୍ୟ ପ୍ରଶାସନର ନିୟନ୍ତ୍ରଣ ବାହାରେ ଥିଲା। ଯେଉଁ ବାଲି ଟ୍ରାକ୍ଟର ଟ୍ରିପ୍‌ କଟକରେ ୬ଶହ ଟଙ୍କା ସେହି ବାଲିକୁ ଏଠାରେ ୧୨ଶହ ଟଙ୍କାରେ ବିକ୍ରି କରାଯାଉଥିଲା । ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ଏକ ନୋଟିସ୍‌ ଝୁଲା ଯାଉଥିଲା । ବାଲି ସୈରାତ୍‌ ନିଲାମ୍‌ ପାଇଁ ଯେଉଁ ସମ୍ଭାବ୍ୟ ଧାର୍ଯ୍ୟ ଦର ତାଲିକା ଅଫିସ୍‌ ବୋର୍ଡ଼ରେ ଟଙ୍ଗା ଯାଉଥିଲା, ତାହା ଅନ୍ୟ ବାଲି ବ୍ୟବସାୟୀଙ୍କ ହୋସ୍‌ ଉଡ଼ାଇ ଦେଉଥିଲା । ଏନେଇ ଖୋଲା ଟେଣ୍ଡର ପାଇଁ ଖବରକାଗଜରେ ଯେଉଁ ନିୟମିତ ବିଜ୍ଞାପନ ଦିଆଯାଉଥିଲା , ତାହା କେବଳ ନାମକୁ ମାତ୍ର। ଟେଣ୍ଡର୍‌ରେ କେହି ଭାଗନେବାକୁ ସାହସ କରୁନଥିଲେ। ତା’ପରେ ଟିଟୋର ସ୍ତ୍ରୀଙ୍କ ନାମରେ ଥିବା ବେନ୍‌ଜିର ଇନ୍‌ଫ୍ରା ଲି.ର ମେସର୍ସ ସୁମ୍ବୁଲ ଟ୍ରେଡର୍ସ ସବୁ ସୈରାତର ଏକଚାଟିଆ ନିଲାମଧାରୀ ହେଉଥିଲା।

ରୟାଲିଟି ଦେଇ ସୈରାତ୍‌ ନେବା ପରେ ସବୁ ବାଲି ଘାଟିରେ ଟିଟୋ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଡେରା ପକାଉଥିଲେ । ୩/୪ଦଫାରେ ପ୍ରତିଦିନ ଟିଟୋ ପାଖକୁ ଆଦାୟ ହୋଇ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଆସୁଥିଲା। ଏ ବାବଦରେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିଲେ।

ଭିଜିଲାନ୍ସ ଏବେ ନଜର ରଖିଥିଲେ ମଧ୍ୟ ଏହାର କୌଣସି ଟେର୍‌ ପାଉନି। ନଦୀରୁ କେତେ ପରିମାଣର ବାଲି ଉଠାଇବାକୁ ଅନୁମତି ଦିଆଯାଉଥିଲା, ଏହାର କିଛି ଠୋସ୍‌ ରେକର୍ଡ଼ ପାଇପାରୁ ନାହିଁ । କେତେ ପରିମାଣ ବାଲିର ନିଲାମ ହୋଇଛି ଏବଂ କେତେ ବାଲି ଉଠାଯାଇଛି ତାହାର କୌଣସି ରେକର୍ଡପତ୍ର ନାହିଁ। କେବଳ ନିର୍ଦ୍ଦିଷ୍ଟ ଭାବେ ଡେରାବିଶ, ଗରଦପୁର, ମାର୍ଶାଘାଇ ତହସିଲରୁ କିଛି ତଥ୍ୟ ସଂଗ୍ରହ କରିଛି। ଅବଶିଷ୍ଟ ତଥ୍ୟ ହାସଲ କରିବା ପାଇଁ କେନ୍ଦ୍ରାପଡ଼ା ତହସିଲରେ ଖୋଳତାଡ଼ କରିବା ମସୁଧାରେ ରହିଛି। ତେବେ, ଏହି ଅସାଧୁ କାରବାର ଯୋଗୁ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି। ଏଥିରେ କେଉଁକେଉଁ ସରକାରୀ ଅଧିକାରୀ ସମ୍ପୃକ୍ତ ରହିଛନ୍ତି ଏବଂ ଟିଟୋ ସାମ୍ରାଜ୍ୟ ବଢ଼ାଇବାରେ ସହାୟକ ହୋଇଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ସେମାନଙ୍କ ନିକଟରେ ପହଞ୍ଚ ପାରିନାହିଁ। ତେବେ, ଟିଟୋକୁ ଜେରାବେଳେ ବାଲି ଘାଟ ଲିଜ୍‌ ସମ୍ପର୍କରେ ତଥ୍ୟ ହାସଲ ଲକ୍ଷ୍ୟରେ ରହିଛି ଭିଜିଲାନ୍ସ।

ଆସନ୍ତାକାଲିଠାରୁ ଟିଟୋକୁ ୪ଦିନିଆ ରିମାଣ୍ଡରେ ଅଣାଯିବ। ରିମାଣ୍ଡ ସମୟରେ ବାଲିଘାଟ ସମ୍ପର୍କରେ ପଚରାଉଚରା କରାଯିବାର ମଧ୍ୟ ସମ୍ଭାବନା ରହିଛି। ରିମାଣ୍ଡ ଅବଧି ଶେଷ ପରେ ୩ ତାରିଖ ଦିନ ଟିଟୋକୁ ରାଜନଗର କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର