ଯାଜପୁର/ଚଣ୍ଡିଖୋଲ/କଂଟିଗଡିଆ : ଗ୍ୟାଙ୍ଗଷ୍ଟର୍ ଟିଟୋ ସାମ୍ରାଜ୍ୟ ସହିତ ଯାଜପୁର ଲିଙ୍କ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଦର୍ପଣ, ଧର୍ମଶାଳା ତହସିଲଦାରଙ୍କୁ ନୋଟିସ୍ ଜାରି କରାଯିବା ପରେ ଖାଦାନ, କ୍ରସର ମାଲିକ, ଠିକାଦାର ଏବଂ ରାଜନେତାଙ୍କ ମଧ୍ୟରେ ଛନକା ପଶିଛି। ବନ୍ଧା ହେବା ଭୟରେ ଏବେ ଅନେକ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ନେଇ ଚର୍ଚା ଜୋର୍ ଧରିଛି।
ଏସ୍ଟିଏଫ୍ ଦ୍ୱାରା ଧର୍ମଶାଳା ଓ ଦର୍ପଣ ତହସିଲଦାରଙ୍କୁ ଗତକାଲି ନୋଟିସ୍ ହେବା ଟିଟୋଙ୍କ ସାହାଯ୍ୟରେ ଖଣିଖାଦାନ, ଟେଣ୍ଡର, କ୍ରସର ପ୍ରଭୃତି ଜରିଆର କୋଟିପତି ହୋଇଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ନିଦ ହଜିଯାଇଛି। କେତେକ ଆତ୍ମଗୋପାନ କରିବା ଆରମ୍ଭ କରିଛନ୍ତି। ଦର୍ପଣ ତହସିଲର ମାଣ୍ଡୁକା, ଅଚ୍ୟୁତବସନ୍ତ, ମଝିପଡ଼ା ଆଦି ପାହାଡ଼ଗୁଡ଼ିକରୁ କୋଟି କୋଟି ଟଙ୍କାର ବେଆଇନ୍ ମୋରମ୍ ଓ ବୋଲଡ଼ର୍ ଖନନ ହୋଇଛି ବୋଲି ତଦନ୍ତକାରୀ ଟିମ୍ର ତଥ୍ୟ ହସ୍ତଗତ ହୋଇଛି। ସେହିପରି ଧର୍ମଶାଳା ତହସିଲର ଡଙ୍କାରୀ, ରାହାଡ଼ପୁର ଓ ବିଛାଖଣ୍ଡିରେ ଚାଲିଥିବା ବ୍ୟାପକ ବେଆଇନ୍ ଖାଦାନ ଓ କ୍ରସର କାରବାରରେ ସଂପୃକ୍ତ କେତେକ ପଥର ମାଫିଆ ଟିଟୋ ସାମ୍ରାଜ୍ୟ ସହିତ ସଂପର୍କ ରଖିଥିବା ତଥ୍ୟ ଅନୁସଂଧାନ ଟିମ୍ ଯୋଗାଡ଼ କରିଛି। ଯେଉଁ କେତେକ ବେଆଇନ୍ ଖଣିଖାଦାନ ଓ କ୍ରସର୍ ସ୍ଥାପନ କରି କୋଟି କୋଟି ମୁନାଫା କମାଉଛନ୍ତି ସେମାନଙ୍କ ଉପରେ ଏସ୍ଟିଏଫ୍ ନଜର ପକାଇଛି। ଗତକାଲି ଧର୍ମଶାଳା ଥାନା କଣ୍ଟିଗଡିଆ ନିକଟସ୍ଥ ରୁବି ଆସୋସିଏଟର୍ସ ଉପରେ ଚଢ଼ଉ କରି ୨ଟି ହାଇୱା (ଓଡ଼ି ୨୯ ଡ଼ି ୨୫୮୬, ଓଡ଼ି ୨୯ ବି ୯୮୦୬) କୁ ଜବତ କରିଥିଲେ।
ସେହିପରି ଡ୍ରେନେଜ୍ ଡିଭିଜନ୍ ଓ ପରାଦୀପ-ହରିଦାସପୁର ରେଳ ପ୍ରକଳ୍ପରେ ଶହ ଶହ କୋଟି ଟଙ୍କା ଟେଣ୍ଡର କାରବାରକୁ ନେଇ ଅନୁସଂଧାନ ଟିମ୍ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି। ଫଳରେ ସଂପୃକ୍ତ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଆବଶ୍ୟକ କାଗଜପତ୍ର ଯୋଗାଡ଼ରେ ଲାଗି ପଡ଼ିଛନ୍ତି। କେତେବେଳେ କାହାକୁ ଏସ୍ଟିଏଫ୍ ଟିମ୍ ନୋଟିସ୍ କରି ତଦନ୍ତର ପରିସରଭୁକ୍ତ କରିବ ସେ ନେଇ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ଶଙ୍କାଗ୍ରସ୍ତ ଅବସ୍ଥାରେ କାଳ କାଟୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/mines-2.jpg)