ଭୁବନେଶ୍ୱର : ଆଇଓସିଏଲ ପକ୍ଷରୁ ଗ୍ୟାଙ୍ଗଷ୍ଟର ଟିଟୋ ପତ୍ନୀ ବେନଜୀର୍ ବିବିଙ୍କ ନାମରେ ପଟ୍ରୋଲ ପମ୍ପ ବଣ୍ଟନରେ ଅନିୟମିତା ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଛି। ଆସନ୍ତା ଦୁଇ ତିନି ମଧ୍ୟରେ ତଦନ୍ତ ଆରମ୍ଭ ହେବ। ପ୍ରଥମ ପଦକ୍ଷେପ ସ୍ୱରୂପ ସିବିଆଇ ଟିଟୋର ପତ୍ନୀ ବେନଜୀର୍, ଦୁଇ ସମ୍ପର୍କୀୟ ଭାଇ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟର କେତେକ କର୍ମଚାରୀଙ୍କୁ ନୋଟିସ୍ କରିବ ବୋଲି ସୂଚନା ମିଳିଛି। ଆବଶ୍ୟକ ହେଲେ ସିବିଆଇର ତଦନ୍ତକାରୀ ଅଧିକାରୀ କେନ୍ଦ୍ରାପଡ଼ା ବାରିମୂଳ ଜେଲ୍ ଯାଇ ଟିଟୋକୁ ମଧ୍ୟ ପଚରା ଉଚରା କରି ପାରନ୍ତିି ବୋଲି ଜଣେ ଅଧିକାରୀ କହିଛନ୍ତି।
ସିବିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କେଉଁ ପରିସ୍ଥିତିରେ ଟିଟୋ ଭଳି ଜଣେ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିର ପତ୍ନୀଙ୍କୁ ପାରାଦୀପରେ ପେଟ୍ରୋଲ ପମ୍ପ ପାଇଁ ଅନୁମତି ମିଳିଥିଲା ତାର ତଦନ୍ତ କରାଯିବ। ଏହାଛଡ଼ା କେନ୍ଦ୍ରାପଡ଼ାରେ ଥିବା ଟିଟୋର ପେଟ୍ରୋଲ ପମ୍ପର ମଧ୍ୟ ଅନୁସନ୍ଧାନ ହେବ। ପେଟ୍ରୋଲ ଟାଙ୍କି ଅନୁମତି ଦେବାରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ। ପେଟ୍ରୋଲ ପମ୍ପରେ ଟିଟୋର କଳାଟଙ୍କା ଲାଗିଛି ନା ନାହିଁ। ଯେଉଁମାନେ ପେଟ୍ରୋଲ ପମ୍ପ ପାଇଁ ଅନୁମତି ଦେଇଥିଲେ ସେମାନେ କିଛି ଆର୍ଥିକ ଫାଇଦା ପାଇଛନ୍ତି କିମ୍ବା ନାହିଁ ଏ ନେଇ ଅନୁସନ୍ଧାନ କରାଯିବ।
ଟିଟୋର କେନ୍ଦ୍ରାପଡ଼ାରେ ଥିବା ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦ୍ୱୀପରେ ଥିବା ଅସ୍ଥାୟୀ କୋକୋ ପେଟ୍ରୋଲ ପମ୍ପ ରହିଛି। ଗାଇଡଲାଇନ୍ ଉଲଂଘନ କରି ଦୁଇଟି ପେଟ୍ରୋଲ ପମ୍ପକୁ ଅନୁମତି ପ୍ରଦାନ କରାଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ କୁହାଯାଉଛି। ଏ ନେଇ ଏସ୍ଟିଏଫ୍ କେସ୍ ନମ୍ବର ୮/୧୮ରେ ଏକ ସ୍ୱତନ୍ତ୍ର ଭାବେ ମାମଲା ରୁଜୁ କରି ତଦନ୍ତ କରୁଛି। ଏସ୍ଟିଏଫ୍ ଦୁଇଟି ପେଟ୍ରୋଲ ପମ୍ପକୁ ସିଲ୍ କରି ଦେଇଛି।