ଟିଟୋର ନୟାଗଡ଼ ଲିଙ୍କ୍‌ : ଦୁଇଟି ଟ୍ରକ୍‌ ଜବତ କଲା ଏସ୍‌ଟିଏଫ୍‌

ନୟାଗଡ଼ : ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ୍‌ ସୟଦ ଉସମାନ ଅଲ୍ଲୀର ଗୋଚାଲାଣ କାରବାରରେ ପ୍ରମୁଖ ସହଯୋଗୀ ସାଜିଥିବା ବଟକୃଷ୍ଣ ପାଣିଗ୍ରାହୀ ଓରଫ୍‌ ବଟୁକୁ ଗତକାଲି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିବା ପରେ ଆଜି ତା’ର ଦୁଇଟି ଟ୍ରକ୍‌କୁ ମଧ୍ୟ ଏସ୍‌ଟିଏଫ୍‌ ଅକ୍ତିଆର କରିଛି। ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏସ୍‌ଟିଏଫ୍‌ର ଏକ ତିନି ଜଣିଆ ଟିମ୍‌ ନୟାଗଡ଼ ଟାଉନ ଥାନା ପୁଲିସ ସହଯୋଗରେ ଏହି ଅପରେସନ୍‌ ଆରମ୍ଭ କରିଥିଲା। ନୟାଗଡ଼ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଥୁଆ ହୋଇଥିବା ଦୁଇଟି ଟ୍ରକ୍‌ (ଓଡି ୨୫ ଜି ୪୪୫୭ ଏବଂ ଓଡି ୨୫ଏଫ୍‌ ୩୪୯୫)କୁ ଏସ୍‌ଟିଏଫ୍‌ ଜବତ କରିଥିଲା। ଦୁଇଟି ଟ୍ରକ୍‌କୁ ଜବତ କରାଯାଇ ନୟାଗଡ଼ ଟାଉନ ଥାନାରେ ରଖାଯାଇଛି। ଏଥିରୁ ଗୋଟିଏ ଟ୍ରକ୍‌ ଟିଟୋ ସହଯୋଗୀ ବଟୁ ନାମରେ ଥିବା ବେଳେ ଅନ୍ୟଟି ବଟୁର ଜଣେ ସହଯୋଗୀଙ୍କର ବୋଲି ପୁଲିସ୍‌ ନିକଟରୁ ସୂଚନା ମିଳିଛି।

ରାଜ୍ୟ ତଥା ଦେଶବାହାରକୁ ଟିଟୋ କରୁଥିବା ଗୋଚାଲାଣରେ ତାର ମୁଖ୍ୟ ସହଯୋଗୀ ଥିଲା ବଟୁ। ଟିଟୋ ଗ୍ୟାଙ୍ଗ୍‌ ଗୋରୁ ଗାଡ଼ି ଖୋର୍ଦ୍ଧାରୁ ବେଗୁନିଆ, ଭୁବନେଶ୍ୱର, କୋଲକାତା, ତ୍ରିପୁରା ଦେଇ ବାଂଲାଦେଶ ପଠାଉଥିଲା। ବଟୁ ଓ ତାର ସହଯୋଗୀମାନେ ବେଗୁନିଆରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଗୋରୁ ଗାଡ଼ିଗୁଡ଼ିକୁ ସୁରକ୍ଷା ଯୋଗାଇ ଦେଉଥିଲେ।

ସମ୍ବନ୍ଧିତ ଖବର